ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଘଟିଥିବା ରୋଡ୍ ରେଜ୍ ମାମଲା ନୂଆ ମୋଡ଼ ନେଇଛି। ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଓ ଡିଆରଡିଓର ଉଇଙ୍ଗ କମାଣ୍ଡର ଆଦିତ୍ୟ ବୋସ୍ ଓ ତାଙ୍କ ପତ୍ନୀ ସ୍କ୍ୱାଡ୍ରନ ଲିଡର ମଧୁମିତାଙ୍କୁ ନେଇ ଏହି ଘଟଣା ଘଟିଥିଲା। ବୋସ୍ ସୋସିଆଲ ମିଡିଆରେ ଦାବି କରିଥିଲେ ଯେ ଏକ ବାଇକର ସେମାନଙ୍କୁ ଅଟକାଇ କନ୍ନଡ଼ରେ ଗାଳିଗୁଲଜ କରିବା ସହ ପ୍ରଥମେ ଆକ୍ରମଣ ଆରମ୍ଭ କରିଥିଲେ। ଯାହାଫଳରେ ତାଙ୍କ ମୁହଁ ଓ ଗଳାରେ ଆଘାତ ଲାଗିଥିଲା। କିନ୍ତୁ ସିସିଟିଭି ଫୁଟେଜ୍ ଦେଖାଇଛି ଯେ ବୋସ୍ ହିଁ ପ୍ରଥମେ ବାଇକରଙ୍କୁ ଆକ୍ରମଣ କରିଥିଲେ।
ଏପ୍ରିଲ୍ ୧୮ରେ, ସିଭି ରମଣ ନଗରରୁ ବିମାନବନ୍ଦର ଯାଉଥିବା ବେଳେ ବୋସ୍ ଓ ତାଙ୍କ ପତ୍ନୀଙ୍କ ଗାଡ଼ିକୁ ବାଇକରେ ଜାଉଥିବା ଜଣେ ଅଜଣା ବ୍ୟକ୍ତି ଅଟକାଇଥିଲେ। ବୋସ୍ ଅଭିଯୋଗ କରିଥିଲେ ଯେ ବାଇକର ଜଣକ ତାଙ୍କ ଗାଡିରେ ଡିଆରଡିଓ ଷ୍ଟିକର ଦେଖି ଅପମାନଜନକ ମନ୍ତବ୍ୟ ଦେବା ସହ ଚାବିରେ ତାଙ୍କୁ ଆଘାତ କରିଥିଲେ। କିନ୍ତୁ ଫୁଟେଜ୍ ଅନୁଯାୟୀ, ବୋସ୍ ବାଇକରଙ୍କୁ ଠେଲି ଦେଇ ଗୋଇଠା ଓ ମୁଥ ମାରିଥିଲେ। ମଧୁମିତା ମଧ୍ୟ ଏହି ବିବାଦରେ ଜଡ଼ିତ ଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ବୋସ୍ଙ୍କୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ସେ ଆକ୍ରମଣ ଜାରି ରଖିଥିଲେ।
ମଧୁମିତା ବୈୟାପନହାଲ୍ଲୀ ଥାନାରେ ଅଭିଯୋଗ ଦାୟର କରିଥିଲେ। ପୋଲିସ ଅଭିଯୁକ୍ତ ବିକାଶ କୁମାରଙ୍କୁ ଗିରଫ କରିଛି। ଡିସିପି ଡି. ଦେବରାଜ କହିଛନ୍ତି, “ଏହା ରୋଡ୍ ରେଜ୍ ମାମଲା। ଉଭୟ ପକ୍ଷ ଏହି ଆକ୍ରମଣରେ ଜଡ଼ିତ। ଏହା ଭାଷା କିମ୍ବା ଅଞ୍ଚଳ ସହ ଜଡ଼ିତ ନୁହେଁ।”
ବୋସ୍ଙ୍କ ଭିଡିଓ ଭାଇରାଲ ହେବା ପରେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀମାନେ ନିନ୍ଦା କରିଥିଲେ। କିନ୍ତୁ ଫୁଟେଜ୍ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ମାନେ ବୋସ୍ଙ୍କ ଏପରି ଉଗ୍ର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ଓ ଏହି ମାମଲାରେ ଆଇଏଏଫ୍ ମଧ୍ୟ ସହଯୋଗ କରୁଛି। ଏହି ଘଟଣା ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି।