ଝରିଗାଁ,୧୮/୦୭: ଦୁଇଟି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଭାବେ ଆହତ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁଋଷିଙ୍ଗା ମହଣ୍ଡି ଗାଁରୁ ଏଭଳି ଖବର ଆସିଛି । ଗୁରୁତର ବୃଦ୍ଧା ହେଲେ ୭୦ ବର୍ଷୀୟା ରସନା ଭତରା ।
ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ଟା ସମୟରେ ବୃଦ୍ଧା ଜଣକ ଶୌଚ ପାଇଁ ଗାଁ ନିକଟ ପୋଖରୀକୁ ଯାଇଥିଲେ । ସେହି ସମୟରେ ସେ ଦୁଇଟି ଭାଲୁ ହାବୁଡ଼ରେ ପଡ଼ି ପଡ଼ିଯାଇଥିଲେ । ଦୁଇ ଭାଲୁ ଅତର୍କିତ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ରସନା ଭତରା ପ୍ରାଣ ବିକଳରେ ଚିତ୍କାର କରିଥିଲେ । ପାଟି ଶୁଣି ପରିବାର ଏବଂ ସାହି ଲୋକ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼େଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଇଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବୃଦ୍ଧାଙ୍କ ପିଠିରେ ୯ଟି ସ୍ଥାନରେ କ୍ଷତ ହୋଇଥିବା ବେଳେ ଜଙ୍ଘରେ ଗଭୀର କ୍ଷତ ହୋଇଛି । ଶରୀରର ୧୫ଟି କ୍ଷତ ସ୍ଥାନରେ ଷ୍ଟିଚ୍ କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଥିବା ଡାକ୍ତର ସୁରଭିତ ନାୟକ ସୂଚନା ଦେଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବନ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ମହିଳାଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି।