ଭୁବନେଶ୍ୱର, ୨୪।୮: ଚେନ୍ନାଇରେ ଚାଲିଥିବା ୬୪ତମ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସରେ ଆଜି ଓଡ଼ିଶାକୁ ୨ଟି ପଦକ ମିଳିଛି । ଷ୍ଟାର୍ ଆଥଲେଟ୍ ଅନିମେଶ କୁଜୁର ୨୦୦ମିଟରରେ ନୂଆ ମିଟ୍ ରେକର୍ଡ଼ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ହାଇଜମ୍ପରେ ସ୍ୱାଧୀନ କୁମାର ମାଝୀ ବ୍ରୋଞ୍ଜ ହାସଲ କରିଛନ୍ତି ।
ପୁରୁଷ ୨୦୦ମିଟର: ଫାଇନାଲ୍ରେ ଅନିମେଶ ୨୦.୬୩ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିସହ ସେ ନିଜ ପୂର୍ବ ମିଟ୍ ରେକର୍ଡ଼ (୨୦.୬୫ସେକେଣ୍ଡ) ମଧ୍ୟ ଭଙ୍ଗ କରିଥିଲେ । ସ୍ୱର୍ଣ୍ଣ ପଦକ ଜିତିବା ସହ ଅନିମେଶ ୧୨୨୩ ର୍ୟାଙ୍କିଙ୍ଗ୍ ପଏଣ୍ଟ ହାସଲ କରିଛନ୍ତି । ଏହା ତାଙ୍କର ଆଗାମୀ ବିଶ୍ୱ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ପଏଣ୍ଟ ବୃଦ୍ଧି କରିଛି । ତାମିଲନାଡ଼ୁର ରଗୁଲ କୁମାର ଜି ୨୦.୯୨ ସେକେଣ୍ଡ ସହ ରୌପ୍ୟ ଏବଂ ଆସାମର ଅମ୍ଳାନ ବୋର୍ଗୋହେଁ ୨୧.୧୯ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନ୍ୟ ଓଡ଼ିଆ ପ୍ରତିଯୋଗୀ ଦଣ୍ଡପତି ଏମ୍. ଜୟରାମ ୨୧.୪୧ ସେକେଣ୍ଡ ସହ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ପୂର୍ବରୁ ଅନିମେଶ ହିଟ୍-୧ରେ ଦୌଡ଼ି ୨୧.୦୬ ସେକେଣ୍ଡ ଟାଇମିଂ ସହ ପ୍ରଥମ ଏବଂ ଦଣ୍ଡପତି (ହିଟ୍-୨) ୨୧.୪୪ ସେକେଣ୍ଡ ସହ ତୃତୀୟରେ ରହି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲେ ।
ପୁରୁଷ ହାଇଜମ୍ପ: ଓଡ଼ିଶାର ସ୍ୱାଧୀନ ୨.୧୮ମିଟର ଉଚ୍ଚ ଜମ୍ପ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଥିଲେ । ଭାରତ ତଥା ମହାରାଷ୍ଟ୍ରର ତାରକା ଆଥଲେଟ ସର୍ବେଶ କୁଶାରେ ୨.୨୪ମି. ଉଚ୍ଚ ଜମ୍ପ କରି ସ୍ୱର୍ଣ୍ଣ ଏବଂ ତାମିଲନାଡ଼ୁର ଆଦର୍ଶ ରାମ ୨.୨୧ମି. ସହ ରୌପ୍ୟ ଜିତିଛନ୍ତି ।
ନିରାଶ କଲେ ମନୀଷା: ମହିଳା ଲଙ୍ଗଜମ୍ପରେ ଓଡ଼ିଶାର ମନୀଷା ମେରେଲ ବିଫଳ ହୋଇଛନ୍ତି । ସେ ନିଜର ତୃତୀୟ ପ୍ରୟାସରେ ୫.୬୦ମିଟର ଦୂର ଜମ୍ପ କରି ୧୧ତମ ସ୍ଥାନରେ ରହିଥିଲେ । ପଶ୍ଚିମବଙ୍ଗର ମୌମିତା ମଣ୍ଡଳ ୬.୨୭ମି. ସହ ସ୍ୱର୍ଣ୍ଣ, ଉତ୍ତରପ୍ରଦେଶର ସାଇଲି ସିଂହ ୬.୧୬ମି. ସହ ରୌପ୍ୟ ଏବଂ ତାମିଲନାଡ଼ୁର ଶେରିନ ୬.୧୬ମି. ସହ ବ୍ରୋଞ୍ଜ ଜିତିଛନ୍ତି ।
ସଟପୁଟ୍ରେ ତଜିନ୍ଦର ପାଲ୍ଙ୍କୁ ପଛରେ ପକାଇଲେ ସମରଦୀପ: ପୁରୁଷ ସଟପୁଟ୍ରେ ମଧ୍ୟପ୍ରଦେଶର ସମରଦୀପ ଗିଲ୍ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛନ୍ତି । ସେ ୧୯.୮୨ମି. ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । ଷ୍ଟାର୍ ଆଥଲେଟ ପଞ୍ଜାବର ତଜିନ୍ଦରପାଲ ଟୁର ୧୯.୪୧ମି. ସହ ରୌପ୍ୟ ଓ ଉତ୍ତରାଖଣ୍ଡର ଅନିକେତ ୧୮.୦୯ମି. ସହ ବ୍ରୋଞ୍ଜ ହାସଲ କରିଛନ୍ତି ।
ମହିଳା ୮୦୦ ମିଟର: ହରିୟାଣାର ପୂଜା ୨:୦୨.୨୭ ସେକେଣ୍ଡ ସହ ସ୍ୱର୍ଣ୍ଣ, ମଣିପୁରର ଏଚ୍. ଦେବୀ ୨:୦୪.୪୪ ସେକେଣ୍ଡ ସହ ରୌପ୍ୟ ଏବଂ ଛତିଶଗଡ଼ର ଟି.ଏସ୍. ଆନା ୨:୦୪.୫୬ ସେକେଣ୍ଡ ସହ ବ୍ରୋଞ୍ଜ ଜିତିଛନ୍ତି । ଓଡ଼ିଶାର ଲକ୍ଷ୍ମୀପ୍ରିୟା କିଷନ ୨:୦୯.୩୭ ସେକେଣ୍ଡ ଟାଇମିଂ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।
ମହିଳା ଜାଭେଲିନ: ଉତ୍ତରପ୍ରଦେଶର ଅନୁ ରାଣୀଙ୍କୁ ଆଧିପତ୍ୟ ଦେଖିବାକୁ ମିଳିଥିଲା । ସେ ୬୧.୦୫ମି. ସହ ସ୍ୱର୍ଣ୍ଣ ଜିତିଥିବାବେଳେ ହରିଆନାର ଦୀପିକା ୫୭.୧୯ମି. ସହ ରୌପ୍ୟ ଓ କର୍ଣ୍ଣାଟକର କରିଶ୍ମା ସାନିଲ ୫୧.୩୦ମି. ସହ ବ୍ରୋଞ୍ଜ ଜିତିଛନ୍ତି ।