ନୂଆଦିଲ୍ଲୀ, ୨୮/୦୭ : ମଦରୁ ବ୍ୟାପୁଛି କ୍ୟାନସର। ବୋତଲରେ ଲଗାନ୍ତୁ ଚେତାବନୀ ଷ୍ଟିକର। ବିଶେଷଜ୍ଞଙ୍କ ପରାମର୍ଶ, ତମ୍ବାଖୁ ଭଳି ମଦରେ କ୍ୟାନସର ତତ୍ତ୍ଵ ରହିଛି। ହେଲେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି। ତେଣୁ ତମ୍ଵାଖୁ ଭଳି ମଦ ବୋତଲରେ ଚେତାବନୀ ଥିବା ଲେବୁଲ ଲଗାଯିବା ନିହାତି ଜରୁରୀ। ଦିଲ୍ଲୀ ଏମ୍ସର ରାଡିଏସନ୍ ଆଙ୍କୋଲୋଜୀ ବିଭାଗର କ୍ୟାନସର ବିଶେଷଜ୍ଞ ଡ. ଅଭିଷେକ ଶଙ୍କର, ଡ. ବୈଭବ ସାହାଣୀ ଏବଂ ଡ. ଦୀପକ ସୈନୀଙ୍କ ଦ୍ଵାରା ଲେଖାଯାଇଥିବା ଏକ ରିସର୍ଚ୍ଚରେ ଏହି ପରାମର୍ଶ ଦିଆଯାଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ମଦ ବୋତଲରେ ସାକ୍ଷ୍ୟ ଆଧାରିତ ଚେତାବନୀ ଥିବା ଲେବୁଲ ଲଗାଗଲେ ଲୋକଙ୍କ ମଧ୍ୟରେ ସଚେତନତା ବଢିବ। ଏହାଦ୍ଵାରା କ୍ୟାନସର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ। ସବୁ ବର୍ଗର ଲୋକମାନେ ସଚେତନ ହୋଇପାରିବେ। ଭାରତରେ ଏବେ ତୀବ୍ର ଗତିରେ କ୍ୟାନସର ମାମଲା ବୃଦ୍ଧି ପାଇବାରେ ଲାଗିଛି। ୨୦୧୨ ରୁ ୨୦୨୨ ମଧ୍ୟରେ କ୍ୟାନସର ମାମଲା ୩୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ଦେଶରେ ପ୍ରାୟ ୧୪.୧ ଲକ୍ଷ ନୂଆ କ୍ୟାନସର ମାମଲା ଚିହ୍ନଟ ହୋଇଛି। ଗତ ୫ ବର୍ଷ ଭିତରେ ୩୨.୫ ଲକ୍ଷ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯ ଲକ୍ଷ ୧୬ ହଜାର ୮୨୭ ଜଣଙ୍କର ମୃତ୍ୟୁ ହୋଇଛି। ମଦ୍ୟପାନ ଯୋଗୁଁ ହେଉଥିବା ରୋଗ ଯୋଗୁଁ ଲୋକଙ୍କ ବୟସ ହାରାହାରି ୬.୬ ବର୍ଷ ହ୍ରାସ ପାଇଛି। ତମ୍ବାଖୁ ସେବନ କରୁଥିବା ଲୋକଙ୍କ ବୟସ ହାରାହାରି ୧୦.୯ ପ୍ରତିଶତ ବର୍ଷ ହ୍ରାସ ପାଇଛି। ମଦ୍ୟପାନ ଯୋଗୁଁ ୭ ପ୍ରକାରର କ୍ୟାନସର ହେବାର ସମ୍ଭାବନା ରହିଛି। ମଳଦ୍ଵାର, ଯକୃତ, ସ୍ତନ, ଖାଦ୍ୟନଳୀ, ଗଳା, ଗ୍ରୀବା ଏବଂ ମୁଖ କର୍କଟ ରୋଗ ଭଳି ସାତ ପ୍ରକାରର କର୍କଟ ରୋଗ ହେବାର ସମ୍ଭାବନା ରହିଛି।