ମୁମ୍ବାଇ,୨୮/୦୭: ଜାଲିଆତିର ସୀମା ପାର । ଯୋଜନା ଜଣଙ୍କ ପାଇଁ ଲାଭ ପାଇଲେ ଆଉ ଜଣେ । ମହିଳାଙ୍କ ପାଇଁ ଥିବା ଯୋଜନାର ଲାଭ ପାଇଲେ ପୁରୁଷ । ହଜାର କି ଦୁଇ ହଜାର ନୁହେଁ ପ୍ରାୟ ୧୪ ହଜାର ପୁରୁଷ ମହିଳାଙ୍କ ପାଇଁ ଯୋଜନାରେ ପଞ୍ଜୀକରଣ କରିଛନ୍ତି । ମହାରାଷ୍ଟ୍ରରେ 'ଲଡକୀ ବହିନ୍' ଯୋଜନାରେ ଏପରି ଦୁର୍ନୀତି ହୋଇଥିବା ଖବର ଆସିଛି ।
ମହାରାଷ୍ଟ୍ରରେ ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ହୋଇଥିବା 'ଲଡକୀ ବେହନ୍' ଯୋଜନାରେ ବ୍ୟାପକ ଦର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ଏହି ଯୋଜନା ଅଧୀନରେ ୧୪ ହଜାରରୁ ଅଧିକ ପୁରୁଷ ଜାଲିଆତି କରି ଆର୍ଥିକ ଲାଭ ପାଇଥିବା ଖବର ସାମ୍ନାକୁ ଆସିଛି । ଗତବର୍ଷ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୧ରୁ ୬୫ ବର୍ଷ ବୟସର ଯେଉଁ ମହିଳାଙ୍କ ପରିବାର ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରନ୍ତି ସେମାନଙ୍କୁ ମାସିକ ୧୫୦୦୦ ଟଙ୍କା ଦିଆଯାଉଛି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପାଇଁ ବଡ଼ ସଫଳତାର କାରଣ ହୋଇଥିଲା ।
ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ହୋଇଥିବା ଏକ ଅଡିଟ୍ରୁ ଜଣାପଡିଛି ଯେ ଅନ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥାରେ ହେରଫେର୍ କରି ମହିଳା ହିତାଧିକାରୀ ଭାବେ ୧୪ ହଜାରରୁ ଅଧିକ ପୁରୁଷ ନିଜ ନାମ ପଞ୍ଜୀକୃତ କରିଛନ୍ତି । ୧୪, ୨୯୮ ପୁରୁଷଙ୍କୁ ୨୧.୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ଯୋଜନାର ୧୦ ମାସ ପରେ ଏହି ଜାଳିଆତି ପଦାରେ ପଡିଛି । ପୁରୁଷମାନେ ଏହି ଯୋଜନାର ହିତାଧିକାରୀ ହେବାର କୌଣସି କାରଣ ନାହିଁ । ସେମାନଙ୍କୁ ଦିଆଯାଇଥିବା ଟଙ୍କା ଆଦୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ।
ଡିସେମ୍ବର ୨୦୨୪ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ଯୋଜନାର ବ୍ୟାପକ ସମୀକ୍ଷା କରିବାକୁ ନିର୍ଦ୍ଦେସ ଦେଇଥିଲେ । ଚଳିତ ବର୍ଷ ଜାନୁଆରୀରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆଦିତି ତଟ୍କରେ ସଂଶୋଧନମୂଳକ ପଦକ୍ଷେପ ନେବାକୁ ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଥିଲେ । ଫେବୃଆରୀ ସୁଦ୍ଧା ୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବ୍ୟବସ୍ଥାରୁ ହଟାଇ ଦିଆଯାଇଥିଲା ।