ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପୁଣି ଚର୍ଚ୍ଚାରେ ଦାନ ମାଝିଙ୍କ ଗାଁ ମେଲଘରା, ଅଧା ରହିଲା ଆବାସ... ଆଖି ବୁଜିଲେ ଲାକି

ଭବାନୀପାଟଣା, ୨୨/୦୫ : କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ଗମ କର୍ଲାପାଟ ଭିତରେ ଥିବା ଏହି ଗାଁର ଲାକି ମାଝି ମଙ୍ଗଳବାର ଏକ ପିକଅପ୍‌ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କର୍ଲାପାଟ ପୁଲିସ୍‌ ମଙ୍ଗଳବାର ଶବ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରିଛି । 

ପ୍ରକାଶ ଯେ, ଉକ୍ତ ଗାଁର ଲାକି ମାଝିଙ୍କୁ ଗତ ୨୦୧୯-୨୦ ମସିହାରେ ଆବାସ ଯୋଜନାରେ ଏକ ପକ୍କାଘର ମିଳିଥିଲା । ପଞ୍ଚାୟତ ପକ୍ଷରୁ ଠିକାଦାର ନିୟୋଜିତ କରି ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୫ବର୍ଷ ବିତିବାକୁ ବସିଥିବା ବେଳେ ଠିକାଦାର ଆରମ୍ଭରୁ ହିଁ ଘର ଅଧା ନିର୍ମାଣ କରି ଛାଡ଼ି ଦେଇଥିଲା । ଘରର ଛାତ ପଡ଼ିଲା ନାହିଁ । ଠିକାଦାର ସବୁତକ ଟଙ୍କା ଉଠାଣ କରି ଚମ୍ପଟ ମାରିଥିଲା । ଘରର ଛାତ ସଂପୂର୍ଣ୍ଣ କରିବାକୁ ଲାକି ବାରମ୍ବାର ପଞ୍ଚାୟତକୁ ଦୌଡ଼ି ନିରାଶ ହୋଇଥିଲେ । ଶେଷରେ ଧାରଉଧାର କରି ଲାକି ବର୍ଷା ମାସ ପୂର୍ବରୁ ଘରକୁ ଆଜ୍‌ବେଷ୍ଟସ୍‌ କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ ସୋମବାର ଭବାନୀପାଟଣା ଯାଇ ଆଜବେଷ୍ଟସ୍‌ କିଣି ଏକ ପିକ୍‌ଅପ୍‌ ଭ୍ୟାନରେ ଅପରାହ୍ନରେ ଗାଁକୁ ଫେରିଥିଲେ । ମାତ୍ର ଗାଁ ନିକଟ ଉଠାଣିରେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଲାକିଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗାଁ ଲୋକେ କର୍ଲାପାଟ ଥାନାକୁ ଖବର ଦେଇଥିଲେ ମଧ୍ୟ ପୁଲିସ ଆସିନଥିଲା । ଫଳରେ ଗାଁ ଲୋକେ ରାତି ତମାମ ପୁଲିସ ଆସିବ ବୋଲି ଘଟଣାସ୍ଥଳରେ ଜଗି ରହିଥିଲେ । 

ମଙ୍ଗଳବାର ପୂର୍ବାହ୍ନରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଅପରପକ୍ଷେ ଦୀର୍ଘ ବର୍ଷ ପରେ ମଧ୍ୟ ଲାକିଙ୍କ ପକ୍କାଘର ସ୍ୱପ୍ନ ପୂରଣ ହେଲାନାହିଁ । ଯଦି ଠିକାଦାର କାମ ସଂପୂର୍ଣ୍ଣ କରିଥିଲେ ହୁଏତ ଆଜି ଏଭଳି ଅଘଟଣ ଘଟିନଥାନ୍ତା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଲାକି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ଛୋଟଛୋଟ ୪ଟି ସନ୍ତାନ ଅସହାୟ ହୋଇପଡ଼ିଛନ୍ତି । ସରକାରୀ ସହାୟତା ଯୋଗାଇ ବର୍ଷା ପୂର୍ବରୁ ଲାକିଙ୍କ ଘର ଛାତ ପକାଇବା ସହ ଆବାସ କାମ ନେଇଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.