ଭୁବନେଶ୍ୱର,୨୮/୦୫: ଏଥର ନିର୍ବାଚନରେ ୧୪୭ ବିଧାନସଭା ଆସନ ପାଇଁ ୧୨୮୫ ପ୍ରାର୍ଥୀ ଲଢ଼ୁଛନ୍ତି । ସେଥିରୁ ୩୪୮ଜଣ ଦାଗୀ । ଅର୍ଥାତ୍ ପାଖାପାଖି ୨୭% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଛି । ବିଭିନ୍ନ ଜାତୀୟ ଦଳରୁ ଟିକଟ ପାଇଥିବା ୪୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୩ଜଣ ଦାଗୀ । ଆଞ୍ଚଳିକ ଦଳରୁ ୨୦୭ଜଣ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥିରୁ ମୋଟ ୫୮ ଜଣ ଦାଗୀ । ସ୍ୱାଧୀନ ଲଢ଼ୁଥିବା ୪୨୫ ଜଣରୁ ୯୨ଜଣ ଦାଗୀ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ସୋମବାର ପ୍ରକାଶିତ ଏଡିଆର୍ (ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
୨୦୧୯ ନିର୍ବାଚନର ଏଡିଆର୍ ରିପୋର୍ଟକୁ ତୁଳନା କଲେ, ଗତଥର ୧୧୨୧ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିଥିଲେ । ତନ୍ମଧ୍ୟରୁ ୩୦% ଅର୍ଥାତ ୩୩୨ଜଣ ଦାଗୀ ନେତା ଥିଲେ । ଚଳିତ ନିର୍ବାଚନରେ ଏହି ହାର ୩% କମିଛି । ଜଘନ୍ୟ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ହାର ପ୍ରାୟତଃ ସମାନ, ଅର୍ଥାତ ୨୩% । ଚଳିତ ନିର୍ବାଚନରେ ୨୯୨ ଜଣ ଓ ୨୦୧୯ରେ ୨୫୭ ଜଣ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଦଫା ରହିଛି ।
ରିପୋର୍ଟରେ ଦର୍ଶାଯାଇଛି, ଦାଗୀ ପ୍ରାର୍ଥୀଙ୍କ ମଧ୍ୟରେ ୧୦ ଜଣ ହତ୍ୟା ଅଭିଯୁକ୍ତ । ୬୬ଜଣଙ୍କ ନାଁରେ ମହିଳା ବିରୋଧୀ ଅପରାଧିକ ଦଫା ଲାଗିଛି । ସେଥିରୁ ୪ଜଣ ବଳାତ୍କାର ଅଭିଯୁକ୍ତ । ୭୦ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ଅଛି । ଅପମାନସୂଚକ ଭାଷଣ ଦେଇ ୫ଜଣ ନେତା ମାମଲାରେ ଛନ୍ଦି ହୋଇଛନ୍ତି । ୫୯ ନିର୍ବାଚନମଣ୍ଡଳୀ ରେଡ୍ ଆଲର୍ଟ ଅନ୍ତର୍ଭୁକ୍ତ । ଅର୍ଥାତ, ସେଠାରେ ୩ରୁ ଅଧିକ ଦାଗୀ ନେତା ନିର୍ବାଚନ ଲଢ଼ୁଛନ୍ତି ।
ରିପୋର୍ଟ ମୁତାବକ, ଦାଗୀ ନେତାଙ୍କୁ ପ୍ରାର୍ଥୀ କରିବାରେ ସବୁଠୁ ଆଗରେ ବିଜେପି । ଦଳର ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ଶହେ ଜଣ ଦାଗୀ । ୮୫ଜଣଙ୍କ ନାଁରେ ଜଘନ୍ୟ ଦଫା ଲାଗିଛି । ଗତ ନିର୍ବାଚନଠୁ ବିଜେପିର ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ୯% ବଢ଼ିଛି । ବିଜେଡିର ୪୬ଜଣ ପ୍ରାର୍ଥୀଙ୍କ ନାଁ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଗତଥରଠୁ ପ୍ରାୟ ୯% କମ୍ ଦାଗୀ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେଡି । କଂଗ୍ରେସଠାରୁ ଟିକଟ ୟପାଇଥିବା ୧୪୫ଜଣଙ୍କ ମଧ୍ୟରୁ ୬୦ଜଣଙ୍କ ଅପରାଧିକ ପୃଷ୍ଠଭୂମି ଅଛି । ୨୦୧୯ ତୁଳନାରେ କଂଗ୍ରେସର ମଧ୍ୟ ୪ ପ୍ରତିଶତ ହାର କମିଛି । ଆପ୍ରୁ ୪୧ଜଣ ଦାଗୀ ତାଲିକାରେ ଅଛନ୍ତି ।
ଅପରାଧିକ ତାଲିକାରେ ସର୍ବାଗ୍ରେ ଅଛନ୍ତି ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ । ତାଙ୍କ ନାଁରେ ସମୁଦାୟ ୪୬ ମାମଲା । ୧୧୧ଟି ଜଘନ୍ୟ ଦଫା ବି ଲାଗିଛି । ଶିବ ଏଥର ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ବିରୋଧରେ ମହିଳାଙ୍କୁ ଅସଦାଚରଣଜନିତ ୩ଟି ଓ ଯୌନ ନିର୍ଯାତନା ବାବଦକୁ ଗୋଟିଏ ମାମଲା ଲାଗିଛି ।
ତା’ ତଳକୁ ଅଛନ୍ତି, ଗଞ୍ଜାମ ଜିଲ୍ଲାର ଆଉ ଜଣେ ଟାଣୁଆ ନେତା । କଂଗ୍ରେସ ଟିକଟରୁ ସାନଖେମୁଣ୍ଡିରେ ଲଢ଼ୁଥିବା ରମେଶ ଜେନାଙ୍କ ନାଁରେ ୪୨ଟି ମାମଲା ଅଛି । ୫ଟି ମାମଲାରେ ସେ ହତ୍ୟା ଅଭିଯୁକ୍ତ । ୯୪ଟି ସଙ୍ଗୀନ ଦଫା ତାଙ୍କ ବିରୋଧରେ ଲାଗିଛି । ସେଥିରୁ ୧୦ଟି ହତ୍ୟା ଉଦ୍ୟମଜନିତ । କଂଗ୍ରେସର ପାଟକୁରା ପ୍ରାର୍ଥୀ ରତିକାନ୍ତ କାନୁନ୍ଗୋଙ୍କ ନାଁରେ ଥିବା ୨୮ଟି ମାମଲାରୁ ୯ଟି ଠକେଇ ଓ ୪ଟି ଜାଲିଆତିଜନିତ । ଆଠଗଡ଼ ବିଜେପି ପ୍ରାର୍ଥୀ ଅଭୟ ବାରିକଙ୍କ ନାଁରେ ୨୬ଟି ମାମଲା ଅଛି ।
ତାଳଚେର ବିଜେଡି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନଙ୍କ ନାଁରେ ୩୧ ମାମଲା ଅଛି । ୨୦୧୯ରୁ ତାଳଚେର କୋଲିଆରୀ ଥାନାରେ ଏକ ବଳାତ୍କାର ମାମଲା ଗଡୁଛି । ଜୟ ମହାଭାରତ ଦଳର ନିମାପଡ଼ା ପ୍ରାର୍ଥୀ ଗୋପାଳକୃଷ୍ଣ ବେହେରା, କେନ୍ଦ୍ରାପଡ଼ା ମହାକାଳପଡ଼ାରୁ ସ୍ୱାଧୀନ ଭାବେ ଲଢ଼ୁଥିବା ରାଜକିଶୋର ପ୍ରଧାନଙ୍କ ନାଁରେ ବଳାତ୍କାର ମାମଲା ଅଛି ।
ସୋରଡ଼ା ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇଙ୍କ ନାଁରେ ୨ଟି ହତ୍ୟାଜନିତ ମାମଲା ଅଛି । ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ସମ୍ବଲପୁରର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ଭଟ୍ଲିର ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ନାଁରେ ମଧ୍ୟ ହତ୍ୟା ଅଭିଯୋଗ ହୋଇଛି । ପୋଲସରା ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ, ତେଲକୋଇର ରାଷ୍ଟ୍ରୀୟ ମାନବ ଦଳ ପ୍ରାର୍ଥୀ ଘନଶ୍ୟାମ ବରି, ବେଗୁନିଆର ମାନସ ଲୋକଶକ୍ତି ଦଳର ପ୍ରାର୍ଥୀ ମାନସ ରଞ୍ଜନ ଦାସ ଏବଂ ବରଗଡ଼ର ସ୍ୱାଧୀନ ପ୍ରାର୍ଥୀ ପାଣ୍ଡବ କର୍ଣ୍ଣ ମଧ୍ୟ ହତ୍ୟା ଅଭିଯୁକ୍ତ ।