ଭୁବନେଶ୍ଵର, ୦୨/୧୨ : ରାଜ୍ୟ ସରକାରଙ୍କ ଅଧିନରେ ଥିବା ୧୯୬ ଜଣ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘଦିନ ଧରି ଛୁଟିରେ ଥିବାରୁ ଏହି ଡାକ୍ତରଙ୍କ ଉପରେ ଆକ୍ସନ୍ ନିଆଯିବ। ଏହି ଡାକ୍ତରମାନେ କାର୍ଯ୍ୟରେ ଅବହେଳା କରିଥିବାରୁ ସ୍ଵାସ୍ଥ୍ୟସେବା ପ୍ରଭାବିତ ହୋଇଛି। ତେଣୁ ସରକାର ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ନେବେ। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି।
ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ଡାକ୍ତର ପଦବୀ ଖାଲି ପଡିଛି। ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି। ଅପରପକ୍ଷରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି। ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ପଦବୀ ଖାଲି ପଡ଼ିଛି। ଗଞ୍ଜାମରେ ସର୍ବାଧିକ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ୨୮୧ ଡାକ୍ତର ପଦବୀ ଖାଲିପଡିଛି। ସେହିପରି ମୟୁରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲିପଡ଼ିଛି।