ପ୍ରମୂଖ ଖବର
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ; ପୀଡ଼ିତାଙ୍କୁ ୧୦.୫୦ଲକ୍ଷ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ

Published By : Bijay Swain | May 19, 2025 10:13 PM

ବ୍ରହ୍ମପୁର,୧୯/୫ (ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ୨୦୨୩ରେ ହୋଇଥିବା ନାବାଳିକା ବଳତ୍କାର ମାମଲାରେ ଅଭିଯୁକ୍ତ ରଞ୍ଜନ ବିଷୋୟୀ(୩୨)ଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ। ଏଥସହ ପୀଡ଼ିତାଙ୍କୁ ୧୦ଲକ୍ଷ ୫୦ହଜାର ଟଙ୍କା ସହାୟତା ରାଶି ଯୋଗାଇଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍ଏ)କୁ କୋର୍ଟ ନିର୍ଦ୍ଦେଶ ଦେଇଥ‌ିବା ସୂଚନା ଦେଇଛନ୍ତି ପୋକ୍‌ସୋ କୋର୍ଟ ପିପି ନାରାୟଣ ପଣ୍ଡା।

ସୂଚନାଯୋଗ୍ୟ ଅଭିଯୁକ୍ତ ବିବାହିତ ଥ‌ିବା ବେଳେ ନାବାଳିକାଙ୍କୁ ହତ୍ୟା ଧମକ ଦେଇ ବଳାତ୍କାର କରିଥିଲା। ନାବାଳିକା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ତାଙ୍କ ଘରେ ଏବେ ରହୁଛନ୍ତି। ନାବାଳିକାଙ୍କ ବାପା ଓ ମାଆ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେମାନେ କାମକୁ ଯିବା ବେଳେ ନବାଳିକା ଘରେ ଏକୁଟିଆ ରହୁଥିଲେ।

୨୦୨୨ ନଭେମ୍ବର ମାସରେ ଘରେ କେହି ନଥ‌ିବା ବେଳେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇଥିଲା। ନାବାଳିକାଙ୍କ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇ ବଳାତ୍କାର କରିଥିଲା। ପରବର୍ତ୍ତୀ ସମୟରେ ବି ହତ୍ୟା ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ନାବାଳିକା ଜଣକ ମନ ଦୁଃଖରେ ରହୁଥିଲେ। ଦିନେ ତାଙ୍କ ମାଆ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲେ। ସେତେବେଳେ ନାବାଳିକା ୮ମାସର ଗର୍ଭବତୀ ଥିଲେ। ଏ ସମ୍ପର୍କରେ ଅଭିଯୁକ୍ତର ଘରେ କହିବାରୁ ସେ ଗର୍ଭନଷ୍ଟ କରିବାକୁ କହିଥିଲା ଏବଂ କାହାକୁ କହିଲେ ହତ୍ୟା କରିବ ବୋଲି ଧମକ ଦେଇଥିଲା। 

ନାବାଳିକାଙ୍କ ବାପା ଭଞ୍ଜନଗର ଥାନାରେ ୨୦୨୩ ଫେବ୍ରୁଆରୀ ୨ ତାରିଖରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ରଞ୍ଜନ ବିଷୋୟୀଙ୍କୁ କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସେ ବ୍ରହ୍ମପୁର ସର୍କଲ୍ ଜେଲ୍‌ରେ ଥିବା ବେଳେ ନାବାଳିକାଙ୍କ ପ୍ରସବ ହୋଇସାରିଛି। ସେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ବାପା-ମାଆଙ୍କ ସହ ରହୁଥ‌ିବା ପିପିଙ୍କ ଠାରୁ ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.