ବ୍ରହ୍ମପୁର, ୧୭/୫ (ବ୍ୟୁରୋ) : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ବୋମା ଠାବ। ୩ଟି ବୋମା ବୋମା ଜବତ କରିଛି ବୈଦ୍ୟନାଥପୁର ଥାନା ପୁଲିସ । ଘଟଣାସ୍ଥଳରେ ବୋମାକୁ ନିଷ୍କ୍ରିୟ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସିଥିଲେ। ଏକ ବ୍ୟାଗକୁ ସନ୍ଦିଗ୍ଧ ଅବସ୍ଥାରେ ଜେଲ ଗେଟ୍ ସମ୍ମୁଖରେ ଓଭରବ୍ରିଜ୍ ତଳେ ରଖିଥିଲେ। ଏହାପରେ ବାଇକରେ ସେଠାରୁ ଚାଲି ଯାଇଥିଲେ। ଜଣେ ସ୍ଥାନୀୟ ଲୋକ ଏହାକୁ ଦେଖି ବୈଦ୍ୟନାଥପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସମୟରେ ସେଥିରେ ୩ଟି ଜୀବନ୍ତ ବୋମା ଥିବା ଦେଖିଥିଲା। ବୋମାକୁ ନିଷ୍କ୍ରିୟ କରାଯାଇଛି। ଘଟଣାକୁ ଗୁରୁତ୍ବର ସହ ନେଇ ବୈଦ୍ୟନାଥପୁର ଥାନା ପୁଲିସ ସେଠାରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରୁଛି। ତେବେ ବୋମା ମିଳିଥିବା ଘଟଣା ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି।