ବ୍ରହ୍ମପୁର, ୧୭/୦୫: ସିନ୍ଦୂରାପଲ୍ଲୀରେ କିଆ ଫୁଲ ତୋଳିବା ଓ ରକ୍ଷଣାବେକ୍ଷଣ କରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ସିନ୍ଦୂରାପଲ୍ଲୀରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କିଆ ଫୁଲ ତୋଳିବା ଓ ରକ୍ଷଣାବେକ୍ଷଣ କରିବା କଥାକୁ ନେଇ ସିନ୍ଦୂରାପଲ୍ଲୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରାୟ ୩୦ ମିନିଟ ଧରି ଖଣ୍ଡା, କାତି ଏବଂ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ଗୋଷ୍ଠୀ । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପଟେ ଏହି ଗଣ୍ଡଗୋଳ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।