ପାତ୍ରପୁର: ସାମନ୍ତିଆପଲ୍ଲୀ ବନାଞ୍ଚଳ ଜରଡ଼ା ସେକସନର ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ପଞ୍ଚାମ୍ବ ଗ୍ରାମ ନିକଟରେ କୁକୁର ହାବୁଡ଼ରେ ପଡ଼ି ଜଙ୍ଗଲରୁ ଗ୍ରାମକୁ ଚାଲି ଆସିଥିବା ହରିଣକୁ ପାଞ୍ଚାମ୍ବ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ଏକ ହରିଣଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଗ୍ରାମ ମଧ୍ୟକୁ ଚାଲି ଆସିଥିଲା।
ଏହା ଜାଣି ଗ୍ରାମର ଲୋକମାନେ ତାକୁ ନେଇ ଏକ ଘର ମଧ୍ୟରେ ରଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଫରେଷ୍ଟର ଅବିନାଶ ଚୌଧୁରୀ ଟିମ ସହିତ ପହଞ୍ଚି ହରିଣଟିକୁ ଉଦ୍ଧାର କରିବା ସହ ପାତ୍ରପୁର ପ୍ରାଣିଧନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ। କୁକୁର ହରିଣର ଗୋଡ଼କୁ କାମୁଡି ରକ୍ତାକ୍ତ କରିଦେଇଛି।
ଉଦ୍ଧାର ହରିଣଟିର ବୟସ ଦୁଇ ବର୍ଷରୁ ଉର୍ଦ୍ଧ ହେବ ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି ତେବେ ହରିଣଟି ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଏସସିଏଫ୍ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।