ମନମୁଣ୍ଡା ୧୬ ।୮ ପୂର୍ବଶତ୍ରୁତା କୁ ନେଇ ଜଣେ ଯୁବତୀ କୁ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋପୀନାଥ ମହାକୁଡ ।
ମନମୁଣ୍ଡା ଥାନା ଯୋଗୀପଦର ଗ୍ରାମର ଗୋପୀନାଥ ମହାକୁଡ ( ପିଙ୍କୁ) ଜନୈକା ଯୁବତୀଙ୍କ ବେକରେ ଭୁଜାଲି ରଖି ନିଜ ହାତ ଧରି ନିଜ ଘରକୁ ନେଉଥିଲା। ଯୁବତୀ ଜଣକ ଖସିଯିବାକୁ ଉଦ୍ୟମ କରିବାକୁ ଅଭିଯୁକ୍ତ ଭୁଜାଲିରେ ହାତ,ଗୋଡ, ମୁଣ୍ଡକୁ ହାଣି କ୍ଷତାକ୍ତ କରିଦେଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ତା ବଡ ଭଉଣୀ ଉଦ୍ଧାର କରିବାକୁ ପହଞ୍ଚିଥିଲା। ଅଭିଯୁକ୍ତ ବଡ ଭଉଣୀଙ୍କୁ ମଧ୍ୟ ପଥର ଓ ଭୁଜାଲି ରେ ଆକ୍ରମଣ କରି ଥିଲା। ଖବର ପାଇ ପୁଲିସ ପହଞ୍ଚି ଦୁଇ ଭଉଣୀ କୁ ଉଦ୍ଧାର କରି ମନମୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଏହାର ଅଧିକ ତଦନ୍ତ ଜାରି ରହିଥିବା ଆଇ ଆଇ ସି ଅଞ୍ଜଳି ବିଶ୍ଵାଳ କହିଛନ୍ତି।
ସୂଚନାଯୋଗ୍ୟ , କିଛି ଦିନ ତଳେ ଅନ୍ୟ ଜଣେ ମହିଳାକୁ ଅଭିଯୁକ୍ତ ଟଣା ଓଟରା କରି ମାଡ ମାରିଥିଲା। ଉକ୍ତ ମହିଳାକୁ ରକ୍ଷା କରିବାକୁ ଯାଇ ପୀଡ଼ିତାର ଭାଇ ଅଭିଯୁକ୍ତକୁ ମାଡ ମାରି ଥିଲା। ସେନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପରବର୍ତ୍ତି ସମୟ ରେ ତାହାକୁ ନେଇ ଉଭୟ ପରିବାର ମଧ୍ୟରେ ପୁନଃ ଗଣ୍ଡଗୋଳ ହୋଇଥିଲା । ପୀଡ଼ିତାର ଭାଇକୁ ନ ପାଇ ତା'ର ଭଉଣୀ କୁ ମାରଣାସ୍ତ୍ର ରେ ଆକ୍ରମଣ କରି ମୁଣ୍ଡ କ୍ଷତାକ୍ତ କରିଦେଇଥିଲା। ସେନେଇ ଉଭୟ ପରିବାର ପକ୍ଷରୁ ପୁନଃ ଥାନାରେ ଅଭିଯୋଗ ହୋଇଥିଲା। ଏତେ ଘଟଣା ଘଟିଲା ପରେ ମଧ୍ୟ ପୁଲିସ କାହାକୁ ଗିରଫ କରି ନ ଥିଲା। ଯଦ୍ୱାରା ପୁନର୍ବାର ଏ ଅଭାବନୀୟ ଘଟଣା ଘଟିଥିଲା ବୋଲି ଆଲୋଚନା ହେଉଛି।