ମନମୁଣ୍ଡା, ୧୨।୮ : ଓଡ଼ିଶା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଦହ୍ୟା ଓ ମନମୁଣ୍ଡା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗ , ରକ୍ସା ( ଦହ୍ୟା ) ସରପଞ୍ଚ ବିଭୂତି ଭୂଷଣ ଡ଼ାଙ୍ଗ , ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ , ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟେଲ , ଡିଇଓ ଟେମଲାଲ ଦୁବେ, ବିଜେପି ନେତା ବିପ୍ରଚରଣ ମହାନ୍ତି, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ , ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ ପ୍ରମୁଖ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଦହ୍ୟା ହାଟପଦା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିଭୂତି ଭୂଷଣ ଡ଼ାଙ୍ଗଙ୍କ ସହ ଅଞ୍ଚଳର ସମସ୍ୟା ଉପରେ ମନ୍ତ୍ରୀଆଲୋଚନା କରିଥିଲେ । ସୁଭଦ୍ରା ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ।
ଏହି ଅବସରରେ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରାରେ ମନ୍ତ୍ରୀ ସାମିଲ ହୋଇଥିଲେ। ଦହ୍ୟା ଉଚ୍ଚ ବିଦ୍ୟାଳୟ , ଜୀବନ ବିକାଶ ମହାବିଦ୍ୟାଳୟ ଛାତ୍ରଛାତ୍ରୀ , ମହିଳା ସ୍ୱୟଂ ସହାୟକ ସଦସ୍ୟା, ସାଧାରଣ ଜନତା ଓ ପ୍ରଶାସନିକ ଅଧିକାରୀଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ମହାପାତ୍ର, ବିଧାୟକ ଶ୍ରୀ ଡ଼ାଙ୍ଗ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଦେଶପ୍ରେମ ଭାବନା ସାଧାରଣରେ ଉଜ୍ଜୀବିତ କରିଥିଲେ।
ମନ୍ତ୍ରୀ ଶ୍ରୀ ମହାପାତ୍ର ଦହ୍ୟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ମନ୍ତ୍ରୀ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ଦେଖିବା ସହ ବିଦ୍ୟାଳୟ ର ଶ୍ରେଣୀ ପ୍ରକୋଷ୍ଠ ଓ କାର୍ଯ୍ୟାଳୟ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକ " ମା’ ପାଇଁ ଗଛ ଟିଏ " ଅବସରରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ। ସେହିପରି ବିଦ୍ୟାଳୟ ପରିସର ବାହାରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ଦହ୍ୟା ଜୀବନ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ଓ ବିଧାୟକ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିଥିବାରୁ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି କିଶୋର କୁମାର ମେହେରଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ମହାବିଦ୍ୟାଳୟରେ ମଧ୍ୟ ମନ୍ତ୍ରୀ ଓ ବିଧାୟକ ବୃକ୍ଷରୋପଣ କରିଥିଲେ।
ମନ୍ତ୍ରୀ ଶ୍ରୀ ମହାପାତ୍ର ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ।ସିଏଚସି ର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସାଏ , ଡାକ୍ତର ମାନସ ତ୍ରିପାଠୀ ଓ ଅନ୍ୟ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣର ଅବଧି ଏକ ବର୍ଷ ପୂରଣ ହୋଇଯାଇଥିବା ସତ୍ତ୍ଵେ ସିଏଚସି ପରିସରରେ ' ମାତୃ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ' ସମ୍ପୂର୍ଣ୍ଣ ହୋଇ ନ ଥିବା ନେଇ ସାମ୍ବାଦିକ ବୈଦ୍ୟନାଥ ହୋତା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନମୁଣ୍ଡା ବନ ବିଭାଗ ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା ଓ ବନ କର୍ମଚାରୀ ଙ୍କ ସହଯୋଗ ରେ ମନ୍ତ୍ରୀ ଡାକ୍ତରଖାନା ପରିସରରେ ମଧ୍ୟ ବୃକ୍ଷ ରୋପଣ କରିଥିଲେ।
ସେହିପରି ତେଲନଦୀ ସେତୁ କଡ ରେ ଥିବା ବୁଦ୍ଧ ପାର୍କ ରେ " ମା ପାଇଁ ଗଛ ଟିଏ " କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେଇଥିଲେ । କଣ୍ଟାମାଳ ବିଡ଼ିଓ ସାମ୍ମି ଜୟଶ୍ରୀ ରେଡ୍ଡୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ବନ ବିଭାଗ ର ସହଯୋଗ ରେ ବୁଦ୍ଧ ପାର୍କ ରେ ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ। ପ୍ରଶାସନିକ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବ ରୁ ପାର୍କ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିବା ସାମ୍ବାଦିକ ବୈଦ୍ୟନାଥ ହୋତା ମନ୍ତ୍ରୀଙ୍କୁ କହିଥିଲେ। ଏନେଇ ବିହିତ ପଦକ୍ଷେପ ନେବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।