ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଭୋକ, ପେଟ୍ରୋଲ ଓ ସୁପରସାଇକ୍ଲୋନ୍

Published By : Swapna Ray | August 24, 2025 3:42 PM

ଭୁବନେଶ୍ୱର, ୨୪।୮: ଏହା ଭିତରେ ଅନେଶତ ସୁପର ସାଇକ୍ଲୋନ୍‌ କଥା  ଅନେକ ଭୁଲିଯିବେଣି । ଭୁଲିଯିବାଟା ବି ସ୍ୱାଭାବିକ ।  ମଣିଷ ଅନେକ କଥା ଭୁଲିଯାଏ । ଏଇ ଯେମିତି ମଣିଷ  ହୀରୋସିମା-ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ  କଥା ଭୁଲିଗଲାଣି । ପୋଲିଓ, ବସନ୍ତ, ପ୍ଲେଗ୍‌, ହଇଜା, ଭଳି  ମହାମାରୀ କଥା ମଣିଷ ଭୁଲିଗଲାଣି । ଏଇ ଏବେ ଏବେ  ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀକୁ ବି ମଣିଷ  ଭୁଲିଗଲାଣି । ଅଠରଶ’ ଛଷଠି ସାଲରେ ଓଡ଼ିଶାରେ ଦେଖା  ଦେଇଥିବା ନ’ଅଙ୍କ ଦୁର୍ଭିକ୍ଷକୁ କିଏ ବା ମନେ ରଖିଥିବ ? ଆଜିକାଲିର ରିଲ୍‌ସ, ଇନ୍‌ଷ୍ଟା ଯୁଗର ଛୁଆମାନେ ଉଣେଇଶ’  ଅନେଶତ ମସିହାର ସୁପରସାଇକ୍ଲୋନ୍‌ କଥା କ’ଣ  ବା ବୁଝିବେ ? ସୁପରସାଇକ୍ଲୋନ୍‌ କହିଲେ, ସେମାନେ  ସୁପରମ୍ୟାନ୍‌ ବୁଝିବେ ।  ଉଣେଇଶ ଅନେଶତ ସୁପର ସାଇକ୍ଲୋନ୍‌ ବେଳର ଗୋଟିଏ  ନିଛକ କାହାଣୀ ଏବେ ଆମର ମନକୁ ଆସୁଛି ।  

କଥା କ’ଣ କି, ସୁପର ସାଇକ୍ଲୋନରେ ଜଗତସିଂହପୁର  ଜିଲ୍ଲାର ଏରସମା, ତିର୍ତ୍ତୋଲ ଆଉ କେନ୍ଦ୍ରାପଡ଼ା ଜିଲ୍ଲାର   ରାଜନଗର, ମହାକାଳପଡ଼ା ଭଳି ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱସ୍ତ  ହୋଇଯାଇଥିଲା । ଆପଣମାନେ ଜାଣିଥିବେ । ପାଖାପାଖି  ଦଶ ହଜାର ଲୋକ ପୋକ ମାଛି ଭଳି ମରି ଯାଇଥିଲେ ।  କେତେ ସମୁଦ୍ରରେ ଭାସି ଯାଇଥିଲେ ତା’ର ଠିକଣା ନାହିଁ ।  ଓଃ, କି ପବନ, କି ଝଡ଼ତୋଫାନରେ ଭାଇ! ମନ  ପଡ଼ିଲେ ଦେହ ଶୀତେଇ ଉଠୁଛି । କଲିଜା ଥରି ଉଠୁଛି ।  ଝଡ଼ତୋଫାନରେ ଗଛବୃଚ୍ଛସବୁ ଭାଙ୍ଗି ପଡ଼ିଥାଏ ।  ଘରଦ୍ୱାର ମାଟିରେ ମିଶି ଯାଇଥାଏ । ଚାରିଆଡ଼େ ମଣିଷ,  ଗାଈ, ମଇଁଷି, ଛେଳିମେଣ୍ଢାଙ୍କ ମଢ଼ ଆଉ ଧରାଶାୟୀ  ଗଛଙ୍କ ମେଳା । ଲକ୍ଷ ଲକ୍ଷ ସଂଖ୍ୟାରେ ଗଛସବୁ ଭାଙ୍ଗି ରାସ୍ତା  ଅବରୋଧ କରିଥାନ୍ତି । କଟକ, ଭୁବନେଶ୍ୱର ଆଡୁ ଗାଡ଼ି  ଆସିପାରୁ ନଥାଏ । ରାସ୍ତାରେ ହଜାର ହଜାର ଗାଡ଼ି ଅଟକି  ରହିଥାଏ ।  

ଚଣ୍ଡୀଖୋଲ-ପାରାଦୀପ ପାଞ୍ଚ ନମ୍ବର ଜାତୀୟ  ରାଜପଥର ବଡ଼ପାଳ ଗୋଡ଼ାଠାରେ ଅଟକି ରହିଥାଏ  ଗୋଟିଏ ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ବୋଧେ ପେଟ୍ରୋଲ  ଟ୍ୟାଙ୍କରଟି ପାରାଦୀପ ଆଡ଼େ ଯାଉଥିଲା କି କ’ଣ? ବାତ୍ୟା  ପବନରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ସେଇଠି ଅଟକି  ଯାଇଥିଲା ।  ଦୁଇଦିନ ଧରି ପ୍ରକୃତି ନିଜର ଉଗ୍ର ବିକଟାଳ ରୂପ  ଦେଖାଇବା ପରେ ଶାନ୍ତ ପଡ଼ିଥିଲା । ଝଡ଼ତୋଫାନ ଛାଡ଼ି  ଯାଇଥିଲା । ପରିବେଶ ଶାନ୍ତ ପଡ଼ିଥିଲା ।   ଲୋକଙ୍କ ଘରେ ନିଆଁ ଚୁଲି ବନ୍ଦ୍‌ ହୋଇଯାଇଥାଏ ।  ରୋଷେଇବାସ ବନ୍ଦ୍‌ । ଝଡ଼ତୋଫାନରେ ଲୋକଙ୍କ ଘର  ଭାଙ୍ଗି ଯାଇଥାଏ । ଚାଳ ଛପର ଉଡ଼ିଯାଇଥାଏ । ମାଟିକାନ୍ଥ  ଧସି ଚୂଲି ପୋତି ହୋଇଯାଇଥାଏ । ଗଚ୍ଛିତ ଖାଦ୍ୟସବୁ  ନଷ୍ଟ ହୋଇଯାଇଥାଏ । ଲୋକେ ଦି’ମୁଠା ଭାତ ପାଇଁ  ଡହଳ ବିକଳ ହେଉଥାନ୍ତି । ବାତ୍ୟା ଛାଡ଼ିବାର ତିନିଦିନ  ବିତି ଯାଇଥିଲେ ବି ଲୋକଙ୍କର ପେଟକୁ ଦାନା ମୁଠାଏ  ଯାଇ ନଥାଏ । ଏଣୁ ଖାଦ୍ୟ ପାଇଁ ମଣିଷ ଭିତରେ ସଂଘର୍ଷ  ଆରମ୍ଭ ହୋଇଯାଇଥାଏ । କୋଉଠି ଦି’ମୁଠା ଚାଉଳ କି   ଚୁଡ଼ା ଦେଖିଲେ ଲୋକଙ୍କ ଭିତରେ ଭିଡ଼ା ଓଟରା, ଟଣାଟଣି  ଲାଗି ଯାଉଥିଲା ।  ବାତ୍ୟା ପରଦିନ ଗାଁର ପହଲି ସାହୁ ଭୁଶାମାଲ୍‌ ଦୋକାନ  ଭାଙ୍ଗି ଲୋକେ ଯିଏ ଯାହା ପାରିଲେ ଲୁଟି ଆଣିଲେ । ଯେଉଁ  ଜଣେ ଦୁଇଜଣ ଧନୀ ଲୋକଙ୍କ କୋଠାଘରେ ଖାଦ୍ୟ  ମହଜୁଦ ଥିଲା ତାକୁ ଛଡ଼େଇ ଆଣିଲେ । ଖାଦ୍ୟ ସରିଗଲା ।  ଲୋକେ ଅଖାଦ୍ୟ ଖାଇଲେ । ଭୋକରେ ଲୋକଙ୍କ କରଡ଼ି  ଜଳୁଥାଏ । ବ୍ରହ୍ମ ଜଳୁଥାଏ । ଭୋକ ଦାଉରୁ ମଣିଷକୁ ରକ୍ଷା ନଥାଏ ।  ଏତିକିବେଳକୁ ଆମ ଗାଁର ରତନା, ମଗା, ହାଡ଼ିଆ,  ଟାଙ୍ଗା, କାଙ୍ଗାଳି, ଗୁରୁବାରିଆ, ଚଇତନମାନେ କ’ଣସବୁ  ବୋହି ଆଣୁଥିବାର ଗାଁଲୋକେ ଦେଖିଲେ ।  ଜଣେ କହିଲା- “ଆରେ, ଭାଇ ଏମାନେ କ’ଣ ବୋହି   ଆଣୁଛନ୍ତି କି?’  ଆଉ ଜଣେ କହିଲା- “ନିଶ୍ଚୟ ଖାଇବା ଜିନିଷ କିଛି  ହୋଇଥିବ । କୋଉ ସଂସ୍ଥା ରିଲିଫ ବାଣ୍ଟୁଥିବ ।’ 

ଆଉ ଜଣେ କହିଲା- “ହେ, ତୁ ଜାଣିନୁ କି ? ହାଇୱେରେ ପରା ଗୋଟିଏ ପେଟ୍ରୋଲ ବୋଝେଇ ଟ୍ୟାଙ୍କର  ଠିଆ ହୋଇଛି । ଲୋକେ ଟ୍ୟାଙ୍କର ଫଟେଇ ତେଲସବୁ  ବୋହି ଆଣୁଛନ୍ତି । ତୁ ଯାଇନୁ କି?’  ସେଉଠୁ ଗାଁର ପିଲାଠୁ ବୁଢ଼ା, ଅଣ୍ଡା, ଡାଗରା... ସବୁ ଧାଇଁଲେ ପେଟ୍ରୋଲ୍‌ ବୋହି ଆଣିବାକୁ । କିଏ ହାଣ୍ଡିରେ ତ  କିଏ ମାଠିଆରେ, ଆଉ କିଏ ବାଲ୍‌ତିରେ ତ କିଏ ରସ  ଗରିଆରେ ଭର୍ତ୍ତି କଲା ପେଟ୍ରୋଲ । ଜଣେ ବୁଢ଼ା କିଛି ନ ପାଇ   ତା’ ଗାମୁଛାକୁ ବୁଡ଼େଇ ବୋହି ଆଣିଲା ପେଟ୍ରୋଲ । ଆଉ  ଘରେ ପହଞ୍ଚି ପେଟ୍ରୋଲ ଭିଜା ଗାମୁଛାକୁ ଥାଳି, ତାଟିଆ,  ଗିନାରେ ଚିପୁଡ଼ି ଭର୍ତ୍ତି କଲା ।  ଏଣେ ଭୋକରେ ଗାଁ ଲୋକଙ୍କ କରଡ଼ି ଜଳୁଥାଏ । କ୍ଷୁଧା   ପେଟରେ ନିଆଁ ଲଗେଇଥାଏ । ପେଟ୍ରୋଲ୍‌ରେ କି ପେଟ ପୂରେ ? ଏତିକିବଳେ ଲୋକଙ୍କର ତ ଖାଦ୍ୟ ଲୋଡ଼ା । ତଥାପି କିଛି ସମୟ ପାଇଁ ମଣିଷ ଖାଦ୍ୟର ଜ୍ୱାଳା ଭୁଲି ପେଟ୍ରୋଲ୍‌  ଲୁଟିବାରେ ସମୟ ବିନିଯୋଗ କଲା । ଲୋକେ ବାଡ଼ିରେ, ଦାଣ୍ଡ ଅଗଣାରେ, ଦେଈପିଣ୍ଡିରେ, ରୋଷେଇଘରେ, ଅମାର  ଘରେ, ଗୋରୁ ଗୁହାଳେ ପେଟ୍ରୋଲ୍‌ ସାଇତି ରଖିଲେ । ଭବିଷ୍ୟତ ପାଇଁ ।  ବାତ୍ୟା ଛାଡ଼ିଗଲା । ଭାଙ୍ଗିରୁଜି ଧ୍ୱଂସ ହୋଇ ଯାଇଥିବା   ଘରସବୁକୁ ଲୋକେ ସଜାଡ଼ିବା ଆରମ୍ଭ କଲେ । କାନ୍ଥ   ମରାମତି କଲେ । ଛପର ପକାଇଲେ । ଲିପାପୋଛା କରି   ପୁଣି ଭଙ୍ଗା ଘରସବୁକୁ ସଳଖି କରି ଛିଡ଼ା କରାଇଲେ ।  ମହାବାତ୍ୟାର କିଛିଦିନ ପରେ ଘରସବୁ ପୁଣି ନିଜ ସ୍ଥିତିକୁ  ଫେରି ଆସିଲେ ।  ଏହା ମଧ୍ୟରେ ସରକାର ଆଉ ଦେଶବିଦେଶର ବିଭିନ୍ନ  ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଗାଁରେ ରିଲିଫ ଖାଦ୍ୟ ପହଞ୍ଚିଲା । ଚାଉଳ, ଚୂଡ଼ା, ଗୁଡ଼ ପହଞ୍ଚିଲା । ସରକାର ମାଗଣାରେ ରନ୍ଧା  ଖାଦ୍ୟ ଯୋଗେଇଲେ । ଲୋକଙ୍କ କ୍ଷୁଧା ମେଣ୍ଟିଲା । ଲୋକେ  ଶାନ୍ତ ପଡ଼ିଲେ । ତୁନି ପଡ଼ିଲେ । କିଛି ଦିନ ବିତିଗଲା...ଖରାଦିନ ଆସିଲା ।   

ଗୋଟିଏ ସଞ୍ଜରେ ଦେଖିବାକୁ ମିଳିଲା, ଗାଁର ସବୁ ଘର  ହୁତୁହୁତୁ ହୋଇ ଜଳୁଛି । ଅନ୍ଧାର ରାତିରେ ଆଲୋକିତ  ହୋଇ ଉଠିଛି ସାରା ଗାଁ । ନିଆଁ ଦୋଳି ଖେଳୁଥାଏ ଗାଁର  ମଥାନରେ ।  ଦଇବ ସହିଲାନି । ମଣିଷ ଉପର ତା’ର କି ରାଗ କେଜାଣି ? ଏଇ କିଛିଦିନ ତଳେ ସୁପରସାଇକ୍ଲୋନ ଗାଁକୁ ଛାରଖାର କରି ଦେଇଥିଲା । ଏବେ ଏ ସର୍ବଗ୍ରାସୀ ନିଆଁ ଗାଁକୁ   ଗିଳି ପକାଇଲା । ଜଣେ ବୁଢ଼ାଲୋକ କହୁଥିବାର ଶୁଣା ଯାଉଥିଲା- “ମହାବାତ୍ୟା ବେଳେ ଗାଁଲୋକେ ପେଟ୍ରୋଲ ଟ୍ୟାଙ୍କରରୁ   ଯେଉଁ ପେଟ୍ରୋଲ୍‌ ଲୁଟି ଆଣି ଘରେ ସାଇତି ରଖିଥିଲେ, ଏ  ତା’ର ଫଳ ।’  ଆଉ ଜଣେ କିଏ କହୁଥିବାର ଶୁଣାଯାଉଥିଲା-  “ହବନି ? ଘୋର କଳିକାଳ । ମାଳିକା ପରା ଲେଖିଚି ‘ବାଇଶି ପାହାଚେ ଖେଳିବ ମୀନ ।   ହରେ କୁଷ୍ଟଁ, ହରେ କୁଷ୍ଟଁ । ସାଧୁ ସାବଧାନ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.