ବାଲେଶ୍ୱର, ୦୪/୧୨ (ଆଲୋକ କୁମାର ବାରିକ୍): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ର ଦୁର୍ଗାଦେବୀ ପଞ୍ଚାୟତ । ଏଠାରେ ଗଢ଼ି ଉଠିଥିଲା ହରପ୍ପାର ପରବର୍ତ୍ତୀ ସଭ୍ୟତା । ଦୁଇ ବର୍ଷ ପୂର୍ବେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ପରେ ଏହି ବିରଳ ସଭ୍ୟତା ଆବିଷ୍କୃତ ହୋଇଛି । ଏହି ସଭ୍ୟତା ଉପରେ ଦେଶ ବିଦେଶରୁ ଲୋକେ ଆସି ଗବେଷଣା କରୁଛନ୍ତି । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଦୁର୍ଗାଦେବୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର ପ୍ରଚାର ପ୍ରସାର ଅଭାବରୁ ଆବିଷ୍କୃତ ଏହି ସଭ୍ୟତା ବିଷୟରେ ଜିଲ୍ଲା ସମେତ ରାଜ୍ୟବାସୀ ଜାଣିପାରୁନାହାନ୍ତି ।
ବାଲେଶ୍ୱରଠାରୁ ପ୍ରାୟ ୨୦ କିମି ଦୂରରେ ରେମୁଣା ବ୍ଲକ୍ର ଦୁର୍ଗାଦେବୀ । ସେଠାକାର ଆରାଧ୍ୟା ଦେବୀ ଦୁର୍ଗାଦେବୀଙ୍କ ପାଇଁ ଏହା ପ୍ରସିଦ୍ଧ । ଭଞ୍ଜ ରାଜବଂଶ ଅଧୀନରେ ଥିବା ଏହି ଅଞ୍ଚଳରେ ପ୍ରାୟ ୩ଶହ ବର୍ଷ ଧରି ମା’ ଦୁର୍ଗା ପୂଜା ପାଇ ଆସୁଛନ୍ତି । ମାତ୍ର ପତ୍ନତତ୍ତ୍ୱ ବିଭାଗର ଖନନ ପରେ ଏଠାରେ ୩୫୦୦ ବର୍ଷ ତଳର ସଭ୍ୟତା ଆବିଷ୍କୃତ ହୋଇଛି । ଏହି ଗ୍ରାମୀଣ ସଭ୍ୟତା ଅନେକ କ୍ଷେତ୍ରରୁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ବିଶେଷ କରି ସେଠାରେ ବସବାସ କରୁଥିବା ଲୋକେ ଚାଷ ଉପରେ ନିର୍ଭର କରୁଥିଲେ । ଏହି ସଭ୍ୟତା ତାମ୍ର, ଲୌହ ଯୁଗର ବୋଲି ପ୍ରମାଣ ମିଳିଛି । ଏହି ଅଞ୍ଚଳରେ ପ୍ରାଚୀନ ସଭ୍ୟତା ଥିବା ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିଭାଗର ଆର୍ଥିକ ସହାୟତାରେ ଓଡ଼ିଶା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେରିଟାଇମ୍ ଆଣ୍ଡ୍ ସାଉଥ୍ ଇଷ୍ଟ୍ ଏସିଆନ ଷ୍ଟଡିଜ୍(ଓଆଇଏମଏସ୍ଇଏଏସ୍) ପକ୍ଷରୁ ଖନନ କାମ ଆରମ୍ଭ ହୋଇଥିଲା । ପତ୍ନତତ୍ତ୍ୱବିତ୍ ସୁନିଲ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିସି ପ୍ରଧାନ, ବଳରାମ ତ୍ରିପାଠୀ, ସରିତା ନାୟକଙ୍କୁ ନେଇ ଏକ ଟିମ୍ ଦୁର୍ଗାଦେବୀ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଖନନ କରିଥିଲେ । ଦୁଇଟି ପର୍ଯ୍ୟାୟ ଅର୍ଥାତ୍ ୨୦୨୧, ୨୦୨୨ରେ ପ୍ରାୟ ୧୭ଟି ସ୍ଥାନରେ ଏହି ଖନନ ହୋଇଥିଲା । ଖନନ ବେଳେ ବହୁ ମାଟି ପାତ୍ର, ଅଳଙ୍କାର, ମୂର୍ତ୍ତି ସମେତ ବହୁ ଗୃହ ଉପକରଣ ମିଳିଥିଲା । ପରେ ସେଗୁଡ଼ିକକୁ ପରୀକ୍ଷା ପାଇଁ ଆମେରିକାରେ ଥିବା ବିଇଟିଏ(ବେଟା) ରିସର୍ଚ୍ଚ ଲାବୋରେଟୋରିକୁ ପଠାଯାଇଥିଲା ।
ଏହି ସାମଗ୍ରୀଗୁଡ଼ିକ ୧୩୫୦ ବିସିଇ ଅର୍ଥାତ୍ ୩୫୦୦ ବର୍ଷ ତଳର ବୋଲି ସୂଚନା ମିଳିଛି । ଏହା ତାମ୍ର, ଲୌହ ଯୁଗୀୟ, ପ୍ରାକ୍ ଐତିହାସିକ ସଭ୍ୟତା ସମୟର । ଅର୍ଥାତ୍ ହରପ୍ପା ସଭ୍ୟତାର ଠିକ୍ ପରବର୍ତ୍ତୀ ସମୟରେ ଏଠାରେ ଏକ ଗ୍ରାମ୍ୟ ସଭ୍ୟତା ଗଢ଼ି ଉଠିଥିଲା । ଏହି ସଭ୍ୟତାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିଲେ । ସେହି ସମୟରେ ଏହି ଅଞ୍ଚଳରେ ରାଗି, ଡାଲି ଜାତୀୟ ତୈଳ ବୀଜ, ଯଅ, ସୂତା, ଚାଉଳ, ବାର୍ଲି ଚାଷ ହେଉଥିବାର ପ୍ରମାଣ ମିଳିଛି । ଏନେଇ ଦୁର୍ଗାଦେବୀରେ ଖନନର ନେତୃତ୍ୱ ନେଇଥିବା ପ୍ରତ୍ନତତ୍ତ୍ୱବିତ୍ ସୁନିଲ ପଟ୍ଟନାୟକଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା, ଦୁର୍ଗାଦେବୀ ଅଞ୍ଚଳରୁ ଯେଉଁ ସଭ୍ୟତା ଆବିଷ୍କୃତ ହୋଇଛି ତାହା ହରପ୍ପା ସଭ୍ୟତାର ଠିକ୍ ପରବର୍ତ୍ତୀ ସଭ୍ୟତା । ହରପ୍ପା ସଭ୍ୟତା ୧୫ଶହ ବର୍ଷ ତିଷ୍ଠି ରହିଥିଲା । ପରେ ଚାଷକୁ ନେଇ ଭାରତ ବର୍ଷରେ କିଛି ସଭ୍ୟତା ଗଢ଼ି ଉଠିଥିଲା । ତାହା ଥିଲା ତାମ୍ରଯୁଗୀୟ ସଭ୍ୟତା । ଦୁର୍ଗାଦେବୀରୁ ଯେଉଁ ସଭ୍ୟତା ଆବିଷ୍କୃତ ହୋଇଛି ତାହା ଥିଲା ଏହି ଯୁଗର । ତାମ୍ରଯୁଗୀୟ ସଭ୍ୟତା ୧୩୫୦ ବିସିଇ ଅର୍ଥାତ ୩୫୦୦ ବର୍ଷର ଏବଂ ଲୌହଯୁଗୀୟ ସଭ୍ୟତା ୩ ହଜାର ବର୍ଷ ତଳର ।
ଦୁର୍ଗାଦେବୀ ନିକଟରେ ସାଢ଼େ ୪ କିମି ଲମ୍ବର ଏକ ବ୍ୟବହାର ଅନୁପଯୋଗୀ ମାଟି ବନ୍ଧ ଅଛି । ଏହି ମାଟି ବନ୍ଧ ଉଚ୍ଚତା ୯ ମିଟର ଥିବା ବେଳେ ଓସାର ୩୦ ମିଟର । ଏହି ମାଟି ବନ୍ଧ ଲୌହ ସଭ୍ୟତା ଯୁଗର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଭାରତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଭ୍ୟତା ଆବିଷ୍କୃତ ହୋଇଥିବା ବେଳେ ଏଭଳି ମାଟି ବନ୍ଧ ମଧ୍ୟ ଆବିଷ୍କୃତ ହୋଇଛି । ଓଡ଼ିଶାର କଳାହାଣ୍ଡିର ଅସୁରଗଡ଼ରେ ଏଭଳି ଏକ ବନ୍ଧ ଥିଲେ ବି ଦୁର୍ଗାଦେବୀ ବନ୍ଧ ସବୁଠୁ ପୁରଣା । ଏଠାରୁ ଆବିଷ୍କୃତ ହୋଇଥିବା ସଭ୍ୟତା ଭାରତ ଇତିହାସ ଗବେଷଣାକୁ ନୂଆ ଦିଗଦର୍ଶନ ଦେଇଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ³ ଓଡ଼ିଶାର ଅଢ଼େଇ ହଜାର ବର୍ଷର ଇତିହାସ ବିଷୟରେ ସମସ୍ତେ ଜାଣିଥିଲେ । ତେବେ ଦୁର୍ଗାଦେବୀର ଖନନ ପରେ ଓଡ଼ିଶାର ୩ ହଜାର ବର୍ଷର ଇତିହାସ ବିଷୟରେ ଜଣାପଡ଼ିଛି । ପ୍ରାୟ ୮ ହଜାର ବର୍ଷ ପୂର୍ବରୁ ଲୋକେ ଚାଉଳ ବ୍ୟବହାର ଜାଣିଥିଲେ । ମାତ୍ର ଓଡ଼ିଶାରୁ ଅବିଷ୍କୃତ ହେଉଥିବା ସଭ୍ୟତାଗୁଡ଼ିକରେ ଲୋକେ ଚାଉଳ ବ୍ୟବହାର କରୁଥିବା ଜଣାପଡ଼ୁ ନ ଥିଲା । ମାତ୍ର ଦୁର୍ଗାଦେବୀ ଖନନ ପରେ ଓଡ଼ିଶାରେ ଚାଉଳ ବ୍ୟବହାର ହେଉଥିବା ପ୍ରମାଣ ମିଳିଛି ବୋଲି ସେ କହିଥିଲେ ।
ଆଗାମୀ ଦିନରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏହି ସଭ୍ୟତା ଉପରେ ଗବେଷଣା ଜାରି ରହିବ । ଆହୁରି ଅନେକ କିଛି ତଥ୍ୟ ଜଣାପଡ଼ିବ ବୋଲି ସେ କହିଥିଲେ । ଏହି ସଭ୍ୟତାର ବିଲୋପ ଉପରେ କୌଣସି ସୂଚନା ମିଳୁନି । ଏନେଇ ବିଭିନ୍ନ ଐତିହାସିକ ଗବେଷକଙ୍କ ଉପରେ ଆଲୋଚନା କରାଯାଇଥିଲା । ସେମାନଙ୍କ କହିବା କଥା³ ମରୁଡ଼ି, ଦୁର୍ଭିକ୍ଷ କିମ୍ବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏହି ସଭ୍ୟତା ବିଲୋପ ହୋଇଥିଲା । ଏହା ବ୍ୟତୀତ ଏହି ଅଞ୍ଚଳରେ ଥିବା ବୁଢ଼ାବଳଙ୍ଗ, ପ୍ରସନ୍ନ କିମ୍ବା ଅନ୍ୟ ନଦୀର ଗତିପଥ ପରିବର୍ତ୍ତନ ପାଇଁ ମଧ୍ୟ ଏହି ସଭ୍ୟତା ନଷ୍ଟ ହୋଇଥାଇପାରେ ବୋଲି ସେମାନେ ସନ୍ଦେହ କରିଥିଲେ ।