ଚନ୍ଦନେଶ୍ଵର, ୨୪/୦୫: ନାଟକ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବକ । ଘରଠାରୁ ଅଳ୍ପ ଦୂରରେ ଥିବା ବର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ କୁମ୍ଭୀରମୂଳି ପଞ୍ଚାୟତ ଅଧୀନସ୍ଥ ଚୌକି ଗାଁର ପ୍ରସନ୍ନ ପାତ୍ରଙ୍କ ପୁଅ ଜଗନ୍ନାଥ ପାତ୍ର (୪୮) ।
ସୂଚନା ମୁତାବକ, ଶୁକ୍ରବାର ସଂଧ୍ୟାରେ ଜଗନ୍ନାଥଙ୍କ ପରିବାର ଲୋକ ଏକ ବିବାହ ଭୋଜି ଖାଇବା ପାଇଁ ଯାଇଥିଲେ । ଏହି ସମୟରେ ଜଗନ୍ନାଥ ଘରେ ଏକାକୀ ଥିଲେ ଏବଂ ପରେ ପାଖ ଗାଁ ରାଇପୁରରକୁ ନାଟକ ଦେଖିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ ଜଗନ୍ନାଥ। ଶନିବାର ସକାଳେ ଘରଠାରୁ ଅଳ୍ପ ଦୂରରେ ଥିବା ଏକ ବର ଗଛରେ ତାଙ୍କର ମୃତଦେହ ଝୁଲୁ ଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ। ଭୋଗରାଇ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।