ସୋର,୨୩/୦୫: ସୋର ଥାନା ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଲୁଟ୍ ଘଟଣାରେ ପୁଲିସ ସଫଳତା । ୨୪ ଘଣ୍ଟା ମଧ୍ୟରେ ସୋର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ସୋର ଥାନାରେ ବାଲେଶ୍ୱର ଏସପି ରାଜ୍ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ନିକଟରୁ ଦୁଇଟି ପିସ୍ତଲ, ୨୦ଟି ଅଫୁଟା ଗୁଳି, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର, ଗୋଟିଏ ବୁଲେଟ୍ , ହନୁମାନ ପଇସା ସମେତ କିଛି ପୁରୁଣା ମୁଦ୍ରା ଜବତ କରିଛି ପୋଲିସ ।
ସୂଚନା ମୁତାବକ, ଦୟାନିଧିପୁର ଗାଁରେ ବୁଧବାର ବିଳମ୍ବିତ ରାତିରେ ରବିନ୍ଦ୍ର ନାୟକଙ୍କ ଘରେ ପଶି ୭ରୁ ୮ଜଣ ଦୁର୍ବୃତ୍ତ ଗୁଳି ଫୁଟାଇ ଲୁଟ୍ କରିଥିଲେ । ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ସମେତ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଗୁଳି ମାଡ଼ରେ ଦୁଇ ପଡୋଶୀ ଗୁରୁତର ଭାବେ ଆହତ ହୋଇଥିଲେ । ଉକ୍ତ ଘଟଣା ପରେ ବାଲେଶ୍ୱର ଏସପି ରାଜ୍ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ପରେ ତାଙ୍କ ନେତୃତ୍ୱରେ ଅତିରିକ୍ତ ଏସପି, ସଦର ଏସଡିପିଓ ଓ ସୋର ଆଇଆଇସି ସୁଦୀପ୍ତ ସାହୁ ସମେତ ସୋର ଥାନାର କିଛି ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ବାଗୁଡ଼ି ଅଞ୍ଚଳରୁ ଲୁଟ୍ର ମାଷ୍ଟରମାଇଣ୍ଡ୍ ବା ମୁଖ୍ୟ ଅଭିଯୁକ୍ତ ବାପି ମନୋରଞ୍ଜନ ପାଣିକୁ ଗିରଫ କରାଯାଇଛି । ବାପି ମନୋରଞ୍ଜନର ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆଲାବାଗ ଗାଁରେ ଗିରଫ ପରେ ପୋଲିସ ତା' ନିକଟରୁ ଦୁଇଟି ପିସ୍ତଲ, ୨୦ଟି ଅଫୁଟା ଗୁଳି , ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର, ଗୋଟିଏ ବୁଲେଟ ବାଇକ୍, ନଗଦ ୨୭ ହଜାର ଟଙ୍କା, ହନୁମାନ ପାଇଲା ସମେତ କିଛି ପୁରୁଣା ମୁଦ୍ରାକୁ ଜବତ କରିଛି ।
ଅଭିଯୁକ୍ତ ନାଁରେ ପୂର୍ବରୁ ଖଇରା, ସୋର, ସିମୁଳିଆ, ବାସୁଦେବପୁର, ଚାନ୍ଦବାଲି, ତାଳଚେର ଥାନାରେ ୧୯ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ୨ଦିନ ମଧ୍ୟରେ ଗିରଫ କରାଯିବ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏସପି ।