ଚନ୍ଦନେଶ୍ଵର, ୨୨/୫ (ଆ.ପ୍ର): ବାଲେଶ୍ଵର ଜିଲା ଭୋଗରାଇ ବ୍ଲକର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବିଟିତ୍ରପୁର ପ୍ରକୃତି ନିବାସର ବିକାଶ ଲାଗି ସରକାର ଅଣ୍ଟା ଭିଡିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଭୋଗରାଲ ଗସ୍ତ ପରେ ଗୁରୁବାର ଅପରାହ୍ନରେ ବାଲେଶ୍ଵର ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଇକୋ ଟୂରିଜିମର ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି। ଏହି ଅବସରରେ ଜିଲାପାଳ ବୋଟରେ ପ୍ରାକୃତିକ ସୌନ୍ଦଯ୍ୟ ଉପଭୋଗ କରିବା ସହିତ ଏହାର ସର୍ବାଙ୍ଗୀନ ବିକାଶ ଲାଗି ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ପୋଲ,ରାସ୍ତା ଓ ହୋଟେଲ ଶିଳ୍ପ ବିକାଶ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ପର୍ଯ୍ୟଟକ ରହଣି ପାଇଁ ଇଡକୋ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଏକ ସ୍ପାର ହୋଟେଲ ନିର୍ମାଣ ହେବା ନେଇ ଆଲୋଚନା କରିଥିଲେ।
ବଙ୍ଗୋପସାଗରର ସୁବିସ୍ତୀର୍ଣ୍ଣ ବେଳାଭୂମିକୁ ସଂଯୋଗ କରୁଛି ବିଚିତ୍ରପୁର ଇକୋ ଟୁରିଜିମ। ପ୍ରାୟ ୮ଶହ ହେକ୍ଟର ଜାଗାକୁ ନେଇ ଘେରି ରହିଛି ଏହି ମନୋରମ ପର୍ଯ୍ୟଟନସ୍ଥଳ। ସୁଦୀର୍ଘ ଝାଉଁ ଜଙ୍ଗଲ ସାଙ୍ଗକୁ ଧଳାବନୀ, ବଡବନୀ, ସିଙ୍ଗାଳବନୀ, ରଇ, ବନ୍ଦରୀ, ସିନ୍ଧୁକା, କାଳିଆଚୁଆ, ଗରଣୀ, ଖରସୀ, ଅରୁଅଁ, କେରୁଅଁ, ବଣରୁଅ, ଗାମା, ସଲ୍ମାସ ପ୍ରଜାତିର ସୁଆଁଇତା,ମାରିଡିଆଁ ଆଦି ଗଛ ସବୁ ପ୍ରକୃତି ପ୍ରେମୀଙ୍କୁ ବିଭୋର କରେ।
ଖାଲି ସେତିକି ନୁହେଁ ଡଲଫିନ, ନାଲି କଙ୍କଡା, ବିଦେଶାଗତ ପକ୍ଷୀଙ୍କ କାକଳି, ସରୀସୃପ ଓ ପଶୁମାନଙ୍କ ମଧ୍ୟରେ ହାଇନା, ବିଲୁଆ,ଠେକୁଆ ଆଦି ଏହି ଅଞ୍ଚଳରେ ବହୁଳଭାବେ ଦେଖାଯାଇଥାନ୍ତି। ଅମାପ ଜୀବନ୍ମୟତାରେ ଭରିଆସେ ଗବେଷକଙ୍କ ହୃଦୟ । କୁମ୍ଭୀରଙ୍କ ପାଇଁ ମଧ୍ୟ ଏହି ସ୍ଥାନଟି ଉପଯୁକ୍ତ। ତେବେ ସମୁଦ୍ରର ଭଟ୍ଟା ସମୟରେ ବୋଟିଂ ହୋଇ ପାରୁ ନଥିବାରୁ ଅନେକ ପର୍ଯ୍ୟଟକ ନିରାଶ ହେଉଥିଲେ। ଜିଲାପାଳ ଏହାକୁ ହୃଦୟଙ୍ଗମ କରି ଖୁବ ଶିଘ୍ର ଏକ ପୋଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ବାଲେଶ୍ଵର ଡିଏଫଓ ଖୁସୱନ୍ତ ସିଂ ଏବଂ ସହକାରୀ ବନାଂଚଳ ଅଧିକାରିଣୀ ଜୟଶ୍ରୀ ମୁର୍ମୁଙ୍କ ସହିତ କଥା ହୋଇଥିଲେ। ବୋଟିଂରେ ସୁବର୍ତ୍ତଦୀପକୁ ଯିବା ସହିତ ବଙ୍ଗୋପସାଗର ଓ ସୁବର୍ଣ୍ଣରେଖାର ମିଳନସ୍ଥଳକୁ ମଧ୍ୟ ଯାଇଥିଲେ। ଏହାଛଡା ବନ ବିଭାଗ ଦ୍ୱାରା ସୃଷ୍ଠି ହୋଇଥିବା ଜଙ୍ଗଲକୁ ବୁଲି ଦେଖିଥିଲେ। ତୁରନ୍ତ ହୋଟେଲ ନିର୍ମାଣ ପାଇଁ ଇଡକୋ କମ୍ପାନୀର ଡିଭିଜନାଲ ମୁଖ୍ୟ ସ୍ମୃତି ରଞ୍ଜନ ମଲ୍ଲିକଙ୍କ ସହିତ ଆଲୋଚନା କରିଥିଲେ। ଏଥିପାଇଁ ଆବଶ୍ୟକୀୟ ଜାଗା ସରକାର ଯୋଗାଇ ଦେବେ ବୋଲି କହିଥିଲେ। ଏହା ହେଲେ ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ବୃଦ୍ଧି ପାଇବା ସହିତ ଲୋକଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇବ। ଏଥିରେ ଅତିରିକ୍ତ ଜିଲାପାଳ ହେମତ କୁମାର ସିଂହ, ଜିଲା ପର୍ଯ୍ୟଟନ ଅଧିକାରୀ ଅମ୍ଳାନ ନାୟକ, ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାଇ ନୟକ, ପୂର୍ତ ବିଭାଗର ଏସଡିଓ ପିନାକି ପ୍ରସାଦ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ଦାସ, ଇକୋ ଟୁରିଜିମର ସଭାପତି ଶମ୍ଭୁନାଥ ମାଝୀ, ନେଚର କ୍ୟାମ୍ପର ସଭାପତି ବଳରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।