ଭୁବନେଶ୍ୱର,୧୦/୦୧: ଜି. ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଏଠାରେ ରାତି ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି । ୮ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ତଥାପି ଦୁଇ ଦିନ ପରେ ଶୀତ କମିଯିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି ।
ପାଣିପାଗ ବିଭାଗ ଆକଳନ କରୁଛି, ଶନିବାର ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ରବିବାରଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ଶୀତ କମିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୧ ତାରିଖ ଯାଏ ଶୀତ ଜାରି ରହିବ। ୧୨ ତାରିଖରୁ ପଶ୍ଚିମା ବାୟୁର ପ୍ରଭାବ ରହିବ । ଏଥିପାଇଁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିଯିବ । ୧୬ ତାରିଖରୁ ପୁଣି ଥଣ୍ଡାର ପ୍ରକୋପ ରହିବ । ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହ ଯାଏ ଥଣ୍ଡା ଜାରି ରହିବ । ତେବେ ମଝିରେ ପାରଦ କେବେ ଉପରମୁହାଁ ତ ଆଉ କେବେ ତଳମୁହାଁ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ବୁଧବାର ରାତିରେ ଝାରସୁଗୁଡ଼ାରେ ପାରଦ ୬ ଡିଗ୍ରୀ ରହିଥିଲା । ଫୁଲବାଣୀରେ ୬.୮ଡିଗ୍ରୀ, ରାଉରକେଲାରେ ୬.୪, ଦାରିଙ୍ଗିବାଡ଼ିରେ ୮, ସୁନ୍ଦରଗଡ଼ରେ ୮.୨, କେନ୍ଦୁଝରରେ ୮.୮, ଭବାନୀପାଟଣାରେ ୯.୧, ସୋନପୁରରେ ୯.୯, ବଲାଙ୍ଗିର ଓ କୋରାପୁଟରେ ୧୦.୫, ନବରଙ୍ଗପୁର ଓ ଭଦ୍ରକରେ ୧୧, ହୀରାକୁଦରେ ୧୧.୨, ସମ୍ବଲପୁରରେ ପାରଦ ୧୧.୬ ଡିଗ୍ରୀ ରହିଥିଲା ।
ଶୁକ୍ରବାର ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ୭ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ, କୋରାପୁଟ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।