ଅନୁଗୁଳ,୧୮/୧୨ : ଅନୁଗୁଳ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ । ମାତିଛନ୍ତି ଶିକାରୀ । କେତେବେଳେ ବିଦ୍ୟୁତ୍ ଫାଶ ତ ଆଉ କେଉଁଠି ଶିକାରୀର ଗୁଳି ମାଡ଼ରେ ଟଳି ପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ବନ୍ୟପ୍ରାଣୀ । ଏକଦା ହାତୀଙ୍କ ଚାରଣ ଭୂମି ଭାବେ ଜଣାଶୁଣା ଅନୁଗୁଳ ହାତୀଙ୍କ ପାଇଁ ମରଣ ଭୂମି ପାଲଟିଛି । ଗତ ୭ ମାସ ମଧ୍ୟରେ ଜିଲ୍ଲାରେ ୯ଟି ହାତୀଙ୍କ ଜୀବନ ଯିବା ହିଁ ଏହା ବୟାନ କରୁଛି । ଉଦ୍ବେଗର ବିଷୟ, ଗଲା ୭ ମାସରେ ଆଖି ବୁଜିଥିବା ୯ ହାତୀଙ୍କ ମଧ୍ୟରୁ ୩ଟି ହାତୀଙ୍କ ଜୀବନ ଯାଇଛି ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ।
ସାତକୋଶିଆରୁ ଆରମ୍ଭ କରି ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ହେଉଛି ହାତୀଙ୍କ ଆବାସ ସ୍ଥଳୀ । ମାତ୍ର ଏହି ୩ ବନଖଣ୍ଡରେ ଚଳିତ ବର୍ଷ ଚିନ୍ତାଜନକ ଭାବେ ହାତୀ ମୃତ୍ୟୁ ବଢ଼ିଚାଲିଛି । ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲାରେ ୧୧ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ୨୦୨୩-୨୪ ବର୍ଷରେ ୧୨ଟି ହାତୀଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ଉଦ୍ବେଗର ବିଷୟ, ଚଳିତ ଆର୍ଥିକ ବର୍ଷର ଗତ ୭ ମାସ ମଧ୍ୟରେ ୯ଟି ହାତୀଙ୍କ ମୃତ୍ୟୁ ଘଟିଲାଣି । ସରକାରୀ ତଥ୍ୟ ମୁତାବକ, ଗତ ୭ ମାସରେ ଅନୁଗୁଳ ବନଖଣ୍ଡରେ ୪ଟି ହାତୀଙ୍କ ଜୀବନ ଯାଇଛି । ଏଥିରୁ ୨ଟି ହାତୀ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ପ୍ରାଣ ହରାଇଛନ୍ତି । ଆଉ ୨ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେହିପରି ଆଠମଲ୍ଲିକ ବନଖଣ୍ଡରେ ୨ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ଓ ଅନ୍ୟ ଗୋଟିଏ ପ୍ରତିଶୋଧ ପରାୟଣ ହତ୍ୟା ବୋଲି ବନ ବିଭାଗ ପକ୍ଷରୁ ଦର୍ଶାଯାଇଛି ।
ଅପରପକ୍ଷରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୩ଟି ହାତୀଙ୍କ ମୃତ୍ୟ ହୋଇଛି । ଏଥିରୁ ୨ଟି ହାତୀ ରୋଗରେ ଓ ଅନ୍ୟ ଗୋଟିଏର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା କୁହାଯାଇଛି । କେବଳ ହାତୀ ମୃତ୍ୟୁ ନୁହଁ, ବନ୍ୟପ୍ରାଣୀ ମୃତ୍ୟୁ ମଧ୍ୟ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଗତ ସାତ ମାସରେ ଅନୁଗୁଳ ବନଖଣ୍ଡରେ ଗୋଟିଏ ସମ୍ବର, ୪ଟି ହରିଣ, ୨ଟି ବାର୍ହାଙ୍କ ମୃତ୍ୟୁ ହୋଇଛି । ଆଠମଲ୍ଲିକ ବନଖଣ୍ଡରେ ୪ଟି ହରିଣ, ୩ଟି ବାର୍ହା, ୨ଟି ଭାଲୁ ଆଖି ବୁଜିଥିବା ବେଳେ ସାତକୋଶିଆ ବନଖଣ୍ଡରେ ୮ଟି ଗୟଳ, ୫ଟି ହରିଣ ଓ ୨ଟି ବାର୍ହା ମୃତ୍ୟୁ ମୁଖରେ ପଡ଼ିଥିବା ସରକାରୀ ତଥ୍ୟ କହୁଛି । ସରକାରୀ ତଥ୍ୟଠୁ ବାସ୍ତବ ଚିତ୍ର ବେଶ୍ ଚିନ୍ତାଜନକ । ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡରେ ହରିଣ ଓ ବାର୍ହା ଶିକାର ବେଧଡ଼କ ଚାଲିଛି । ଶିକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଏହି ଦୁଇ ବନଖଣ୍ଡ । ନିତି ଶିକାରୀ ବିଦ୍ୟୁତ୍ ଫାଶ ଓ ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଛନ୍ତି । ହରିଣ, ସମ୍ବର ଓ ବାର୍ହା ମାରିବାକୁ ବିଦ୍ୟୁତ୍ ଫାଶ ବିଛା ଯାଉଥିବା ବେଳେ ସଂସ୍ପର୍ଶରେ ଆସି ହାତୀର ଜୀବନ ଯାଉଛି ।
ଅନୁଗୁଳ ବନଖଣ୍ଡରେ ଅଧିକାଂଶ ସମୟରେ ବନବିଭାଗ ବିଦ୍ୟୁତ୍ ଫାଶ ପାଇଁ ବ୍ୟବହୃତ ଜିଆଇ ତାର, ବାଉଁଶ ବାଡ଼ି ଆଦି ଜବତ କରୁଥିବା ବେଳେ ଶିକାରୀ ଖସି ଯାଉଛନ୍ତି । ଶିକାରୀଙ୍କ ଏହି ବିଦ୍ୟୁତ୍ ଫାଶ ହାତୀଙ୍କୁ କାଳ ହେଉଛି । ଯଦିଓ ହାତୀ ଦାନ୍ତ ଶିକାରୀ ଭୟ ନାହିଁ, ତଥାପି ଅନ୍ୟ ଜନ୍ତୁ ଶିକାର ପାଇଁ ବସା ଯାଉଥିବା ବିଦ୍ୟୁତ୍ ଫାଶରେ ହାତୀ ପଡ଼ୁଛନ୍ତି । ଅନୁଗୁଳ ବନଖଣ୍ଡରେ ଗଜସାଥୀ, ଗଜମିତ୍ର ନିଯୁକ୍ତି ସାଙ୍ଗକୁ ପାଟ୍ରୋଲିଂକୁ କଡାକଡି କରାଯାଇଛି । ପାଟ୍ରୋଲିଂ ଟିମ୍ ଅଧିକାଂଶ ସମୟରେ ଜନ୍ତୁ ଶିକାର ଯୋଜନା ପଣ୍ଡ କରୁଥିଲେ ହେଁ ଶିକାରୀଙ୍କ ପ୍ରାଦୁର୍ଭାବ ଥମିବାର ନାଁ’ ନେଉନାହିଁ । ବିଦ୍ୟୁତ୍ ଫାଶ ଜରିଆରେ ବନ୍ୟଜନ୍ତୁ ଶିକାର ବଢ଼ି ଚାଲିଥିବା ବେଳେ ଏଥିନେଇ ଠୋସ୍ ପଦକ୍ଷେପର ଆବଶ୍ୟକ ରହିଥିବା ପରିବେଶବିତ୍ ମତ ରଖିଛନ୍ତି । ଏ ସଂକ୍ରାନ୍ତରେ ଆଞ୍ଚଳିକ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରାଙ୍କ ସହ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ସମ୍ଭବ ହୋଇପାରିନାହିଁ ।