ଭୁବନେଶ୍ୱର,୧୬/୦୭ : ରାଜ୍ୟରେ ୨୦୩୦ ସୁଦ୍ଧା ଅଣଜୀବାଶ୍ମ ଇନ୍ଧନରୁ ୫୦% ବିଦ୍ୟୁତ ଉତ୍ପାଦନ କରାଯିବ । ସେହିପରି ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ହାସଲ ଲକ୍ଷ୍ୟ ରଖାଯାଇଛି । ତେବେ ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ନବୀକରଣ ଯୋଗ୍ୟ ଶକ୍ତି ଉପରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି । ଓଡ଼ିଶା ପବନ ଓ ସୌରଶକ୍ତି ଭଳି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛି । ଏହାର ପ୍ରାକୃତିକ ସମ୍ପଦ, ଲମ୍ୱା ଉପକୂଳ ଓ ଅବ୍ୟବହୃତ ଶୂନ୍ୟ ପାହାଡ଼ ଶିଖର ବ୍ୟବହାର କରି ପବନ ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟ ରହିଛି । ବୈଠକରେ ଏଭ୍ରେଡି ନାମକ ଏକ ଦକ୍ଷିଣ ଆଫ୍ରିକୀୟ କମ୍ପାନି ଓଡ଼ିଶାର କିଛି ଜିଲ୍ଲାରେ ପବନ ଟର୍ବାଇନ୍ ସ୍ଥାପନ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲା । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଗ୍ରୀଡ୍କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ତ୍ରିପାଠୀ, ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ, ଏଭରେଡି ଦକ୍ଷିଣ ଏସିଆ ବ୍ୟବସାୟ ମୁଖ୍ୟ ଅରିଜିତ ଦାସ, ଜଳସେଚନ ଓ ଜଳସମ୍ପଦ, କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।