ଫୁଲବାଣୀ, ୧୬/୭: ଜଣେ ୪ ବର୍ଷର ଶିଶୁଙ୍କୁ ଦୁଷ୍କର୍ମ ଏବଂ ତାଙ୍କ ମାଙ୍କୁ ଅସଦାଚାରଣ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୩୦ ହଜାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି । ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଂଚଳର ଶଙ୍କର ପ୍ରଧାନ(୨୬) ।
ଘଟଣା ଅନୁଯାୟୀ, ୨୦୨୪ ମସିହା ଜାନୁଆରୀ ୩୦ ତାରିଖ ଦିନ ଅଭିଯୁକ୍ତ ଶଙ୍କର ପ୍ରଥମେ ପିଡିତାଙ୍କ ଘରକୁ ଯାଇ ତାଙ୍କ ମାଙ୍କୁ ଅସଦାଚାରଣ କରିଥିଲେ । ଏହି ବିଷୟରେ ମହିଳା ଜଣକ କାହାକୁ କିଛି କହି ନଥିଲେ । ଏହାର ଠିକ ୭ ଦିନ ପରେ ଅଭିଯୁକ୍ତ ଜଣକ ପୁଣି ତାଙ୍କ ଘରକୁ ଯାଇଥିଲେ। ତେବେ ମହିଳା ଜଣଙ୍କ ତାଙ୍କ ଦୋକାନରେ ଥିବା ବେଳେ ଘର ଭିତରେ ଥିବା ୪ ବର୍ଷର ଝିଅକୁ ଏକୁଟିଆ ପାଇ ଶଙ୍କର ତାଙ୍କ ସହ ଦୁଷ୍କର୍ମ କରି ଚାଲି ଯାଇଥିଲା । ଏନେଇ ପରେ ପିଡିତା ଶିଶୁ ଜଣଙ୍କ ତାଙ୍କ ମାଙ୍କୁ କହିଥିଲେ । ହେଲେ ମହିଳା ଜଣଙ୍କ ଏନେଇ କାହାକୁ କହି ନ ଥିଲେ । ପୁଣି ଫେବୃୟାରୀ ୧୫ ତାରିଖରେ ଅଭିଯୁକ୍ତ ଶଙ୍କର ଗ୍ରାମର ଆଉ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିଲେ । ସମ୍ପୃକ୍ତା ମହିଳା ଘଟଣା ବିଷୟରେ ଜଣାଇବାରୁ ୧୬ ତାରିଖରେ ଗ୍ରାମରେ ସଭା ବସିଥିଲା ।
ସେହି ସଭାରେ ପୂର୍ବରୁ ଅସଦାଚାରଣ ହୋଇଥିବା ମହିଳା ନିଜ କଥା ଏବଂ ଝିଅକୁ ବଳାତ୍କାର ହୋଇଥିବା ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ମହିଳା ୧୯ ତାରିଖରେ ରାଇକିଆ ଥାନାରେ ଏନେଇ ଏତଲା ଦେଇଥିଲେ । ପୋଲିସ ୨୦/୨୪ରେ ଏକ ମାମଲା ରୁଜୁ କରି ଶଙ୍କରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣୀ କରି ବିଚାରପତି ମନୋରଞ୍ଜନ ଦାସ ୧୯ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଦେବା ସହ ପିଡୀତାଙ୍କୁ କ୍ଷତି ପୁରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।