ଫିରିଙ୍ଗିଆ, ୧୪/୦୭: ଦିନଥିଲା ଗ୍ରାମାଞ୍ଚଳରେ କୌଣସି ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ହେଲେ ଭୋଜିଭାତ ପାଇଁ ଖୋଜା ପଡୁଥିଲା ଶିଆଳି ପତ୍ରରେ ନିର୍ମିତ ଖଲି ଓ ଦନା । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ଶିଆଳି ପତ୍ରରେ ନିର୍ମିତ ଖଲି ଓ ଦନାକୁ ବାଦ ଦେଇ କୌଣସି କାର୍ଯ୍ୟକ୍ରମ ବିଷୟରେ ଚିନ୍ତା କରାଯାଉନଥିଲା । ହେଲେ ସମୟର ପରିବର୍ତନ ସଂଗେ ସଂଗେ ଅନେକ କିଛି ପରିବର୍ତନ ହୋଇଯାଇଛି । ଲୋକେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ଖଲି, ପ୍ଲାଷ୍ଟିକ ଦନା ଓ ପ୍ଲାଷ୍ଟିକ ଗ୍ଲାସର ବହୁଳ ବ୍ୟବହାର କରୁଛନ୍ତି ।
ଆଗ କାଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଝୀଅ ଓ ସ୍ତ୍ରୀ ଲୋକ ମାନେ ଜଙ୍ଗଲକୁ ଯାଇ ଶିଆଳି ପତ୍ର ସଂଗ୍ରହ କରି ଆଣୁଥିଲେ ଓ ବାଉଁଶକୁ ଅତି ସୁକ୍ଷ୍ମ ସୁକ୍ଷ୍ମ କାଠି କରି ତହିଁରେ ବିଭିନ୍ନ ପ୍ରକାଶ ଖଲି ଓ ଦନା ତିଆରି କରି ଆଖପାଖ ହାଟରେ ଯାଇ ବିକ୍ରି କରୁଥିଲେ ଓ ବେସ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ବଜାରରେ ମିଳୁଥିବା ଆଧୁନିକ ଖଲିଦନାର ବହୁଳ ବ୍ୟବହାର ଏମାନଙ୍କ ଜୀବନ ଜୀବିକାରେ ପ୍ରତିବନ୍ଧକ ସାଜିଲା । ଦୁଇ ପଇସା ରୋଜଗାର ଆଶାରେ ଏବେ ଆଉ ଗାଁର ଝୀଅ ଓ ସ୍ତ୍ରୀ ଲୋକମାନେ ଜଙ୍ଗଲକୁ ଯାଉନାହାନ୍ତି କି ଜଙ୍ଗଲରୁ ପତ୍ର ତୋଳିଆଣି ଖଲି କି ଦନା ତିଆରି କରୁନାହାନ୍ତି । କିଛି କିଛି ଗାଁ ମାନଙ୍କରେ ଗାଁର ଝୀଅ ସ୍ତ୍ରୀ ଏବେ ବି ଏହି କୌଶଲକୁ ବଂଚେଇ ରଖିଥିବା ଦେଖିବାକୁ ମିଳେ।
ବିଶେଷକରି ଦଶାହକ୍ରିୟା ଓ ନାମକରଣ ଭଳି ଛୋଟମୋଟ କାର୍ଯ୍ୟକ୍ରମରେ ଗାଁ ସ୍ତ୍ରୀ ଓ ଝୀଅ ବୋହୁ ମାନେ ଜଙ୍ଗଲକୁ ଯାଇ ଶିଆଳି ପତ୍ର ତୋଳି ଆଣନ୍ତି ଓ ବାଉଁଶ କାଠି ସାହାଯ୍ୟରେ ପତ୍ର ସବୁକୁ ସିଲେଇ କରି ଖଲି ଓ ଦନା ତିଆରି କରନ୍ତି । ସେସବୁକୁ ଭୋଜିରେ ବ୍ୟବହାର କରାଯାଏ । ଗ୍ରାମାଞ୍ଚଳରେ ସିଆଳି ପତ୍ରର ଯେତିକି ବ୍ୟବହାର କରାଯାଏ ସିଆଳି ଦଉଡିର ମଧ୍ୟ ସେତିକି ବ୍ୟବହାର କରାଯାଏ । ବିଶେଷ କରି ଧାନକଟା ସମୟରେ ଗ୍ରାମାଞ୍ଚଳର ଚାଷୀମାନେ ଜଙ୍ଗଲରୁ ଶିଆଳି ଲତା ଆଣି ତାକୁ ଦଉଡି ଭାବେ ବ୍ୟବହାର କରନ୍ତି । ହେଲେ ସମୟର ପରିବର୍ତନ ସହିତ ଏସବୁର ବ୍ୟବହାର ମଧ୍ୟ ଦିନକୁ ଦିନ କମି କମି ଯାଉଛି । ଗ୍ରାମାଞ୍ଚଳର ସାମାଜିକ କାର୍ଯ୍ୟରେ ଗାଁର ସ୍ତ୍ରୀ ଲୋକମାନେ ଏକାଠି ବସି ଭଲମନ୍ଦ ଆଲୋଚନା କରିବା ସହିତ ଖଲି ଓ ଦନା ତିଆରି କରିବା ଦୃଶ୍ୟ ବେସ ଦେଖିବା ଭଳି ଥିଲା । ଏସବୁ ଦ୍ୱାରା ସେମାନେ ଗୋଟିଏ ସୂତ୍ରରେ ବାନ୍ଧି ହୋଇଥିଲେ । ହେଲେ ଧୀରେ ଧୀରେ ଏସବୁ ଲୁପ୍ତ ହେଉଥିବାରୁ ଗାଁ ସ୍ତ୍ରୀ ମାନଙ୍କ ମଧ୍ୟରେ ଆଉ ସେମିତି ନିବିଡ ସମ୍ପର୍କ ଆଉ ଦେଖିବାକୁ ମିଳୁନି ।