ଭୁବନେଶ୍ୱର,୨୯/୧୨: ଦେହରେ ଗେରୁଆ ବସ୍ତ୍ର । ମୁଣ୍ଡରେ ଚନ୍ଦନ ଓ ସିନ୍ଦୁର । ବେକରେ ରୁଦ୍ରାକ୍ଷ ମାଳ । ହାତରେ କମଣ୍ଡଳୁ । ସେଥିରେ ରହିଛି ବିଭୂତି ଓ କଉଡ଼ି । ଘର ଘର ବୁଲୁଥିଲେ । କୁମ୍ଭମେଳାର ବିଭୂତି କହି ବାଣ୍ଟୁଥିଲେ । ମଉକା ଦେଖି ଘରୁ ଲୁଟ୍ପାଟ କରୁଥିଲେ । ଏଭଳି ୫ ଭଣ୍ଡ ବାବାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି ଲୋକେ । ରାଜଧାନୀର ମୈତ୍ରୀବିହାର ଅଞ୍ଚଳରେ ଘଟିଛି ଏମିତି ଘଟଣା । ଏହି ବାବାମାନଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶନିବାର ସକାଳ ପ୍ରାୟ ୮ଟା ହେବ । ୫ ଜଣ ବାବା ମୈତ୍ରୀ ବିହାର ଅଞ୍ଚଳରେ ଅଲଗା ହୋଇ ବୁଲୁଥିଲେ । କିଛି ଆପାର୍ଟମେଣ୍ଟ ଭିତରକୁ ଯାଇଥିଲେ ।
ଆଉ କିଛି ଏକ ପାର୍ଲର ଓ କଲୋନୀକୁ ଯାଇଥିଲେ । ଗେଟ୍ ଖୋଲି ଘର ଭିତରେ ଯାଇ ବୁଲାବୁଲି କରୁଥିଲେ । ଏହା ଦେଖି କିଛି ଲୋକଙ୍କ ସନ୍ଦେହ ହୋଇଥିଲା । ତେଣୁ ସେମାନଙ୍କ ପାଖକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ୨ଜଣ ବାବା ଦୌଡ଼ିଥିଲେ । ଲୋକେ ସେମାନଙ୍କୁ ଗୋଡ଼ାଇ ଧରିଥିଲେ । ପରେ ଆଉ ୩ ବାବାଙ୍କୁ ଧରି ସେଠାକୁ ଆଣିଥିଲେ । ପଚରାଉଚରା କରିବାରେ ରାଜସ୍ଥାନରୁ ୫୦ରୁ ଊଦ୍ଧ୍ୱର୍ ବାବା ଭୁବନେଶ୍ୱର ଆସି ଭିକ୍ଷାବୃତ୍ତି କରୁଥିବା ସେମାନେ କହିଥିଲେ । ସେମାନଙ୍କୁ କିଛି ମନ୍ତ୍ର ଉଚ୍ଚାରଣ କରିବାକୁ କୁହାଯାଇଥିଲା । ହେଲେ କେହି ବି ମନ୍ତ୍ର ଉଚ୍ଚାରଣ କରିପାରିନଥିଲେ । ତେଣୁ ଲୋକଙ୍କ ସନ୍ଦେହ ଆହୁରି ବଢ଼ିଯାଇଥିଲା । ମୈତ୍ରୀ ବିହାର ଥାନାକୁ ଜଣାଇବାରୁ ପୁଲିସ ଆସି ସେମାନଙ୍କୁ ଥାନାକୁ ନେଇଥିଲା । ସୂଚନାଯୋଗ୍ୟ, ୩ ଦିନ ତଳେ ନୀଳାଦ୍ରି ବିହାରର ସମରେନ୍ଦ୍ର ହେମ୍ବ୍ରମଙ୍କ ଘରେ ଶ୍ରାଦ୍ଧ ଚାଲିଥିଲା । ୨ଜଣ ବାବା ପହଞ୍ଚି ଗ୍ରହ ଶାନ୍ତି ନାଁରେ ତାଙ୍କୁ ରତ୍ନ ମୁଦି ଦେଇ ୨୦ ହଜାର ଟଙ୍କା ନେଇଯାଇଥିଲେ । ପରେ ଜଣାପଡ଼ିଥିଲା ତାହା ନକଲି । ସେହିପରି ୨ ମାସ ତଳେ ପଟିଆ ଷ୍ଟେସନ ରାସ୍ତାରେ ସୁନିଲ ମଲ୍ଲିକଙ୍କ ଦୋକାନରୁ କିଛି ସାମଗ୍ରୀ ନେଇ ଚମ୍ପଟ ମାରିଥିଲେ । ଏୟାରପୋର୍ଟ ଥାନା ଅଞ୍ଚଳରେ ମଧ୍ୟ ବାବାଙ୍କ ନାମରେ ଜୋର ଜବରଦସ୍ତି ଟଙ୍କା ମାଗିବା ଅଭିଯୋଗ ହୋଇଥିଲା ।