ପାଟଣାଗଡ଼ ୦୯/୬ : ପାଟଣାଗଡ଼ ରାମଜୀ ଛକ ସ୍ଥିତ ଏକ ଆଇରନ ଷ୍ଟୋରର ମାଲିକ ପର୍ଶୁରାମ ପନସାରୀଙ୍କ ଠାରୁ ଗତ ୨ ତାରିଖ ପୂର୍ବାହ୍ନରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୪ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଏନେଇ ଦୋକାନ ମାଲିକ ଶ୍ରୀ ପନସାରୀ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଜାରି ରଖିଥିଲା । ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ଗଞ୍ଜାମ ଆସ୍କା ଏବଂ ଛତିଶଗଡ ମହାସମୁନ ଅଞ୍ଚଳରୁ ଗିରଫ କରି ଗତକାଲି ରାତ୍ରିରେ ଥାନାକୁ ଅଣାଯାଇଥିଲା। ଅଧିକ ତଦନ୍ତ ପରେ ସୋମବାର ଗଞ୍ଜାମ ଆସ୍କାର ଡି ରାହୁଲ,ଏମ ଶ୍ରୀକାନ୍ତ, ପି ଶିବା ଓ ଛତିଶଗଡ଼ ମହାସମୁନର କରମ ନେତାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିସହ ସେମାନଙ୍କ ଠାରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରିବା ସହ ସେମାନେ ବ୍ୟବହୃତ କରିଥିବା ଦୁଇଟି ପଲସର ଓ ପାସିଆନ୍ ବାଇକ,ତିନୋଟି ମୋବାଇଲ ଓ ଏକ ଡ଼ିକି ଭାଙ୍ଗିବା ପାଇଁ ବ୍ୟବହୃତ ଲୁହାରଡ଼କୁ ଜବତ କରାଯାଇଛି।
ପ୍ରକାଶ ଯେ ଗତ ୨ ତାରିଖ ଦିନ ଦୋକାନ ମାଲିକ ଶ୍ରୀ ପନସାରୀ ସ୍ଥାନୀୟ କଲେଜ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ପୂର୍ବାହ୍ନରେ ୪ ଲକ୍ଷ ଟଙ୍କା ଉଠାଣ କରି ଉକ୍ତ ଟଙ୍କାକୁ ସେ ଏକ ବ୍ୟାଗରେ ଭର୍ତ୍ତି କରି ବାଇକ ଡ଼ିକିରେ ରଖି ଦୋକାନ ସମ୍ମୁଖରେ ପହଂଚିଥିଲେ। ସେଠାରୁ ବାଇକ ଡ଼ିକିରୁ ଟଙ୍କା ବାହାର କରୁଥୁବା ବେଳେ ପଛ ପଟୁ ଜଣେ ଦୁର୍ବୃତ୍ତ ଆସି ଉକ୍ତ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲା।