ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପୋକ ଖାଉଛି ୩ ହଜାର କୁଇଣ୍ଟାଲ୍‌ ମାଣ୍ଡିଆ, ୬ ମାସ ହେଲା ରିଟେଲ୍‌ ପଏଣ୍ଟ୍‌ରେ ଗଦା ହୋଇଛି

ଅନୁଗୁଳ, ୨୬।୬: ଗରିବଙ୍କୁ ମାଣ୍ଡିଆ ଧୋକ୍କା । ଖାଉଟିଙ୍କୁ ବଣ୍ଟା ହେବାକୁ ମାଣ୍ଡିଆ ସିନା ଆସିଲା, ହେଲେ ଅଟକି ଗଲା ରିଟେଲ୍‌ ପଏଣ୍ଟ୍‌ରେ । କୁଇଣ୍ଟାଲ୍‌ କି ଦୁଇ କୁଇଣ୍ଟାଲ୍‌ ନୁହଁ, ପ୍ରାୟ ୩ ହଜାର କୁଇଣ୍ଟାଲ୍‌ ମାଣ୍ଡିଆ ଗଲା ୬ ମାସ ହେଲା ଅନୁଗୁଳ ଜିଲ୍ଲାର ବିଭିନ୍ନ ରିଟେଲ୍‌ ପଏଣ୍ଟରେ ପୋକ ଖାଉଛି । ଗୋଟିଏ ପଟେ ମାଣ୍ଡିଆକୁ ଖାଉଟି ଚାହିଁ ରହିଥିବା ବେଳେ ଯୋଗାଣ ବିଭାଗ କିନ୍ତୁ ବେଫିକର ହୋଇ ବସିଛି । ସରକାରୀ ନିର୍ଦ୍ଦେଶ ନାହିଁ କହି ନିରବ ମୁଦ୍ରାରେ ରହିଛି । ସେପଟେ ନିର୍ବାଚନ ପୂର୍ବରୁ ସରକାର ତରତର ହୋଇ ବ୍ୟାଗ୍‌ ଓ ଟଙ୍କା ସିନା ବାଣ୍ଟିଦେଲେ, ହେଲେ ଭୁଲିଗଲେ ମାଣ୍ଡିଆ ବାଣ୍ଟିବାକୁ । ପୋଷଣତତ୍ତ୍ୱରେ ଭରପୁର ମାଣ୍ଡିଆ ଦେହ ପାଇଁ ହିତ । ଦିନକୁ ଦିନ ମାଣ୍ଡିଆର ଲୋକପ୍ରିୟତା ବଢ଼ୁଥିବା ବେଳେ ସରକାର ମଧ୍ୟ ମାଣ୍ଡିଆ ଚାଷ ପାଇଁ ବ୍ୟାପକ ପ୍ରୋତ୍ସାହନ ଦେଉଛନ୍ତି । ରାଜ୍ୟରେ ମିଲେଟ୍‌ ମିଶନ୍‌ କାମ କରୁଛି । 

ଅନୁଗୁଳ ଜିଲ୍ଲାରେ ରାସନ କାର୍ଡ୍‌ ହିତାଧିକାରୀଙ୍କୁ ଗତ ଜାନୁଆରୀ ମାସରେ ଚାଉଳ, ଗହମ ସହିତ ମାଣ୍ଡିଆ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏଥିପାଇଁ ଜିଲ୍ଲାକୁ ଆସିଥିଲା ପ୍ରାୟ ୩ ହଜାର କୁଇଣ୍ଟାଲ୍‌ ମାଣ୍ଡିଆ । ଗୋଦାମରୁ ସମସ୍ତ ରିଟେଲ୍‌ ପଏଣ୍ଟରେ ପହଞ୍ଚାଇ ଦିଆଯାଇଥିଲା । ହେଲେ ଗତ ଜାନୁଆରୀ ମାସରୁ ଏହି ମାଣ୍ଡିଆ ସେମିତି ପଡିଛି ଯେ ପଡିଛି, ହିତାଧିକାରୀଙ୍କୁ ଦିଆଯାଉନାହିଁ । ଖାଉଟିକୁ ମାଣ୍ଡିଆ ମିଳୁନଥିବା ବେଳେ ଖୁଚୁରା ବିକ୍ରେତାଙ୍କ ପାଇଁ ଏହା ଅଡୁଆ ସୃଷ୍ଟି କରିଛି । ମାଣ୍ଡିଆ ସଂରକ୍ଷିତ ରଖିବାକୁ ଜାଗା କି ବ୍ୟବସ୍ଥା ନାହିଁ । ଫଳରେ ଅନେକ ରିଟେଲ ପଏଣ୍ଟରେ ମାଣ୍ଡିଆରେ ପୋକ ଲାଗିବାର ଚିତ୍ର ସାମ୍ନାକୁ ଆସିଲାଣି । ମାଣ୍ଡିଆରେ ପୋକ ସାଲୁବାଲୁ ହେଉଥିବା ବେଳେ ଏହା ଖାଇବା ଉପଯୋଗୀ ହୋଇ ରହିନାହିଁ ବୋଲି ରିଟେଲରମାନେ ଅଭିଯୋଗ କଲେଣି । ଯୋଗାଣ ବିଭାଗର ସୂଚନା ମୁତାବକ, ଜିଲ୍ଲାରେ ମୋଟ୍‌ ୨ ଲକ୍ଷ ୭୫ ହଜାର ୧୩୭ ଜଣ ରାସନ କାର୍ଡ୍‌ ହିତାଧିକାରୀ ରହିଛନ୍ତି । ଜିଲ୍ଲା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସୁଥିବା ଖାଦ୍ୟଶସ୍ୟକୁ ୫୦୬ ଜଣ ଖୁଚୁରା ବିକ୍ରେତାଙ୍କ ଜରିଆରେ ବଣ୍ଟନ କରାଯାଉଛି । 

ଏହିକ୍ରମରେ ଗତ ଜାନୁଆରୀ ମାସରେ ଜିଲ୍ଲାକୁ ୩ ହଜାର କୁଇଣ୍ଟାଲ୍‌ ମାଣ୍ଡିଆ ଆସିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ମାଣ୍ଡିଆକୁ ସମସ୍ତ ରିଟେଲ୍‌ ପଏଣ୍ଟରେ ମଧ୍ୟ ପହଞ୍ଚାଇ ଦିଆଗଲା । ଫାଷ୍ଟ୍‌ କମ୍‌ ଫାଷ୍ଟ ସର୍ଭିସ୍‌ରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ କିଲେ ଲେଖାଏଁ ମାଣ୍ଡିଆ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ମାସ ପରେ ମାସ ଗଡିଥିଲେ ହେଁ ଏହି ମାଣ୍ଡିଆ ବଣ୍ଟା ହୋଇପାରିନାହିଁ । ଜିଲ୍ଲାକୁ ମିଳିଥିବା ମାଣ୍ଡିଆ ମଧ୍ୟରୁ ଶେଷ ପର୍ଯ୍ୟାୟରେ ଆସିଥିବା ଗୋଟିଏ ଟ୍ରିପ୍‌ ପାଳଲହଡାର ଏକ ଗୋଦାମରେ ରହିଛି । ଅନ୍ୟ ସମସ୍ତ ମାଣ୍ଡିଆ ରିଟେଲ୍‌ ପଏଣ୍ଟରେ ପୋକ ଖାଉଛି । ଏମିତିକି ମାସ ମାସ ପଡି ରହିବା ପରେ କିଛି ରିଟେଲ୍‌ ପଏଣ୍ଟରେ ମାଣ୍ଡିଆର ଆଉ ଚିହ୍ନବର୍ଣ୍ଣ ନଥିବା ଅଭିଯୋଗ ହୋଇଛି । ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରିଟେଲ୍‌ ପଏଣ୍ଟରେ ମାଣ୍ଡିଆ ସବୁ ନଷ୍ଟ ହେବାକୁ ବସିଲାଣି । 

ଯଦି ତୁରନ୍ତ ବାଣ୍ଟିବାର ନଥିଲା, ତେବେ ମାଣ୍ଡିଆକୁ ଗୋଦାମରେ ରଖିବା କଥା । ଗୋଦାମରେ ପୋକଯୋକରୁ ସୁରକ୍ଷା ପାଇଁ ଟ୍ରିଟମେଣ୍ଟ ହୋଇ ରହିଥାନ୍ତା । ମାତ୍ର ୬ ମାସ ହେଲା ରିଟେଲ୍‌ ପଏଣ୍ଟରେ ପଡିଥିବାରୁ ଅଧିକାଂଶ ମାଣ୍ଡିଆରେ ପୋକ ଲାଗିଗଲେଣି । ଅନେକ ସ୍ଥାନରେ ଏହା ଖାଦ୍ୟ ଉପଯୋଗୀ ହୋଇନାହିଁ । ସରକାରୀ ଅବହେଳା ପାଇଁ ଲକ୍ଷ ଲକ୍ଷ ଟଙ୍କାର ମାଣ୍ଡିଆ ବଣ୍ଟା ନହୋଇ ନଷ୍ଟ ହେଉଛି । ଏ ସଂକ୍ରାନ୍ତରେ ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକ କହିଛନ୍ତି, ମାଣ୍ଡିଆ ବଣ୍ଟନ ନେଇ କୌଣସି ସରକାରୀ ନିର୍ଦ୍ଦେଶ ନାହିଁ । ସରକାରୀ ନିର୍ଦ୍ଦେଶକୁ ଚାହିଁ ଚାହିଁ ୬ ମାସ ବିତି ସାରିଲାଣି । ତୁରନ୍ତ ବଣ୍ଟନ ନିମିତ୍ତ ସରକାରଙ୍କୁ ଚିଠି ଲେଖାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.