କୁଆଁପାଳ,୧୯/୦୮: କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଦିନ ଦ୍ବିପ୍ରହରେ ଆକ୍ରମଣ କରି ଫେରାର୍ ହୋଇଗଲେ ଦୁଇ ୨ ଯୁବକ । କଟକ ଜିଲ୍ଲା କୁଆଁପାଳ ବ୍ଲାକ୍ ମୂଳବସନ୍ତ ପୁର ଗାଁର ଜଣେ କଲେଜ୍ ଛାତ୍ରୀଙ୍କୁ ଏହି ମରଣାନ୍ତକ ଆକ୍ରମଣ ହୋଇଛି । ମଙ୍ଗଳବାର ପ୍ରାୟ ୧୧ଟା ବେଳେ କୁଆଁପାଳ କଲେଜକୁ କ୍ଲାସ୍ କରିବାକୁ ଯିବା ବେଳେ ଦୁଇ ଜଣ ଯୁବକ ଯୁକ୍ତ ୩ ପ୍ରଥମ ବର୍ଷରେ ପଢ଼ୁଥିବା ଏହି ଛାତ୍ରୀଙ୍କୁ ରାସ୍ତାରେ ଅଟକାଇଥିଲେ । ତାଙ୍କ ଠାରୁ ଲୁଟପାଟ୍ ଉଦ୍ୟମ ବେଳେ ଧାରୁଆ ଅସ୍ତ୍ର ତାଙ୍କ ବେକରେ ଲଗାଇଥିଲେ । ତେବେ ଅସାମାଜିକ ଯୁବକଙ୍କ ସହ ସାହସିକତାର ସହିତ ମୁକାବିଲା କରି କୌଶଳ କ୍ରମେ ଖସିଆସିଥିଲେ । ଛାତ୍ରୀଙ୍କ ଡାହାଣ ହାତକୁ ଦୁର୍ବୃତ୍ତମାନେ ଆଘାତ କରିଛନ୍ତି । ଅନେକ ଜାଗାରେ କ୍ଷତ ଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, କୁହୁଣ୍ଡା ପଞ୍ଚାୟତ ବିରୂପା ସେତୁ ନିକଟସ୍ଥ ମୂଳବସନ୍ତ ମାଇନର କେନାଲ ବନ୍ଧ ଉପରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକେ ଆହତ ଛାତ୍ରୀଙ୍କୁ ଚିଦାନନ୍ଦ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପରେ ସେଠାରୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଛାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।