କଟକ,୧୭/୦୮: ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରିବା ଘଟଣାରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) କମିସନରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ପକ୍ଷରୁ ଚଢ଼ଉ କଡ଼ାକଡ଼ି କରାଯାଇଛି । ମାଲ୍ବାହୀ ଗାଡ଼ିରେ ରେଟ୍ରା ରିଫ୍ଲେକ୍ଟିଭ୍ ଟେପ୍ ଲଗାଯାଇ ନ ଥିବାରୁ ଏଭଳି ୨୨୭ଟି ଗାଡ଼ିର ଫିଟ୍ନେସ୍ ପ୍ରମାଣପତ୍ର ରଦ୍ଦ କରି ଦିଆଯାଇଛି । ଦୁଇ ଦିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ ଯଦି ଗାଡ଼ି ମାଲିକମାନେ ଏ ଦିଗରେ ସଚେତନ ନ ହେବେ ତେବେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ୍ ଅଗଷ୍ଟ ୧୪ ରାତି ୯ ରୁ ୧୨ ଓ ଅଗଷ୍ଟ ୧୫ ତାରିଖ ଭୋର୍ ୪ ରୁ ସକାଳ ୬ ଯାଏ କରାଯାଇଥିଲା । ଆର୍ଟିଓ ମାନଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ୍ ଟିମ୍ ବିଭିନ୍ନ ରାଜପଥରେ ଉଭୟ ମାଲ୍ବାହୀ ଓ ଯାତ୍ରୀବାହୀ ଗାଡ଼ି ଗୁଡ଼ିକୁ ଯାଞ୍ଚ୍ କରିଥିଲେ । ଯେଉଁ ଗାଡ଼ି ବି ଏହି ନିୟମ ଉଲ୍ଲଙ୍ଘନ କରିଥିଲେ, ସେମାନଙ୍କ ଫିଟନେସ୍ ରଦ୍ଦ କରାଯାଇଛି । ଜଗତସିଂହପୁର ଆର୍ଟିଓଙ୍କ ଦ୍ୱାରା ସର୍ବାଧିକ ୨୭, ଝାରସୁଗୁଡ଼ା ଆର୍ଟିଓରେ ୨୬, ଭୁବନେଶ୍ୱର-୧ ଆର୍ଟିଓ ୧୫, ରାଉରକେଲା ଆର୍ଟିଓ ୧୩, କେନ୍ଦୁଝର ଆର୍ଟିଓ ୧୨, କଟକ ଓ ଚଣ୍ଡିଖୋଲ ଆର୍ଟିଓରେ ୯ ଟି ଲେଖାଏଁ, ଭୁବନେଶ୍ୱର-୨ ଆର୍ଟିଓ ୮, ଗଞ୍ଜାମ ଆର୍ଟିଓ ୭, ବଲାଙ୍ଗିର, ତାଳଚେର ଓ କେନ୍ଦ୍ରାପଡ଼ା ଆର୍ଟିଓରେ ୬ ଟି ଲେଖାଏଁ, ଭଦ୍ରକ ଓ ସୋନପୁରରେ ୫ଟି ଲେଖାଏଁ ଗାଡ଼ିର ଫିଟ୍ନେସ୍ ରଦ୍ଦ କରାଯାଇଛି ।
ସେହିଭଳି ଢେଙ୍କାନାଳ, ଫୁଲବାଣୀ, ନୂଆପଡ଼ା, ବୌଦ୍ଧ, ଯାଜପୁର, ରାୟଗଡ଼ା ଆର୍ଟିଓ ଓ ଖୋର୍ଦ୍ଧା ଏଆର୍ଟିଓରେ ୪ ଟି ଲେଖାଏଁ ଗାଡ଼ିର ଫିଟ୍ନେସ୍ ରଦ୍ଦ କରାଯାଇଛି । ଫିଟନେସ୍ ପ୍ରମାଣପତ୍ର ରଦ୍ଦ ହୋଇଥିବା ଗାଡ଼ି ଗୁଡ଼ିକରୁ ଅନେକ ଆଦୌ ରେଟ୍ରା ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନଥିଲେ ଏବଂ କିଛି ଏହାକୁ ଠିକ୍ ଭାବେ ଲଗାଇ ନ ଥିଲେ । ସେହି ଗାଡ଼ି ଗୁଡ଼ିକ ପୁଣି ଫିଟ୍ନେସ୍ ପାଇବାକୁ ନିୟମ ଅନୁଯାୟୀ ଟେପ୍ ଲଗାଇ ଆବେଦନ କରିବାକୁ କୁହାଯାଇଛି ।
ମୋଟର ଯାନ ଆଇନ ଅନୁଯାୟୀ, ସମସ୍ତ ବାଣିଜ୍ୟିକ ଯାନ ଗାଡ଼ିରେ ରେଟ୍ରା ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା ବାଧ୍ୟତାମୂଳକ । ଗାଡ଼ିର ପଛପଟେ ନାଲି, ଉଭୟ ପାଶ୍ୱର୍ରେ ହଳଦିଆ ଏବଂ ଆଗରେ ଧଳା ଟେପ୍ ଲଗାଇବା ପାଇଁ ନିୟମ ରହିଛି । ଯେମିତି ଅନ୍ୟ ସଡ଼କ ବ୍ୟବହାରକାରୀ ଗାଡ଼ିକୁ ଅନ୍ଧାର କିମ୍ବା କମ୍ ଆଲୁଅରେ ଦେଖିପାରନ୍ତି । ଯାହା ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ବିଶେଷକରି, ଜାତୀୟ ରାଜପଥରେ ରାତି ଓ ଭୋର୍ ସମୟରେ ଭାରୀଯାନ ଚଲାଉଥିବା ଚାଳକଙ୍କ ପାଇଁ ଅନ୍ୟ ଗାଡ଼ିର ସ୍ଥିତିକୁ ଜାଣିବାରେ ସହାୟକ ହୋଇଥାଏ ।