ଭୁବନେଶ୍ୱର,୧୭/୦୮: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଓ ଗଞ୍ଜାମ ଛତ୍ରପୁର ଥାନା ଦେବାଶିଷ ମହାନ୍ତି ନିଲମ୍ୱିତ ହୋଇଛନ୍ତି । ଉଭୟଙ୍କୁ ଡିଜିପି ୱାଇ. ବି ଖୁରାନିଆ ନିଲମ୍ୱନ କରିଛନ୍ତି । ସେମାନଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ଦୁଇ ରେଞ୍ଜ ଆଇଜିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
ଇନ୍ସପେକ୍ଟର ରାଜେଶ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନାର ଏସ୍ଆଇ ଥିଲାବେଳେ ଗଞ୍ଜେଇ ବେପାରକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ହୋଇଥିଲା । ଏହା ଭିତରେ ତାଙ୍କର ପଦନ୍ନୋତି ହୋଇଥିଲା । ସେଠାରୁ ବଦଳି ହୋଇ ପୁରୀ ଜିଲ୍ଳା ଅସ୍ତରଙ୍ଗ ଥାନାରେ ଥିଲେ । ତାଙ୍କ ପତ୍ନୀ ଭିଜିଲାନ୍ସରେ ଅଛନ୍ତି । ସେଥିପାଇଁ ସେ ଏକାଧିକ ବାର ଭିଜିଲାନ୍ସ ପଞ୍ଝାରୁ ବର୍ତ୍ତିଯାଇଛନ୍ତି । ଗତ ୧୩ ତାରିଖ ଦିନ ଜୟପୁର ଥାନା ପୁଲିସ୍ ଭୁବନେଶ୍ୱର ୟୁନିଟ୍-୨ କ୍ୱାର୍ଟର୍ସରୁ ରାଜେଶଙ୍କୁ ଧରି କ୍ୟାପିଟାଲ ଥାନାକୁ ନେଇଥିଲା । ତାଙ୍କ ଠାରୁ ଗଞ୍ଜେଇ ମାଫିଆଙ୍କର ଏକ କାର୍ ଜବତ ହୋଇଥିଲା । ୧୪ ତାରିଖ ଦିନ କ୍ୟାପିଟାଲ ଥାନାରୁ ସେ ଚମ୍ପଟ ମାରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି । କୋରାପୁଟ ଜିଲ୍ଳାରେ ଥିବା ସମୟରେ ଗଞ୍ଜେଇ ବେପାରୀଙ୍କୁ ରାକେଶ ସୁରକ୍ଷା ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୨୦୨୩ ଅଗଷ୍ଟ ୨୧ରେ ଅସ୍ତରଙ୍ଗ ଥାନାରେ ଯୋଗ ଦେଇଥିଲେ। ସେ ୫ ଦିନ ପାଇଁ ଛୁଟି ନେଇ ଭୁବନେଶ୍ୱର ସ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ । ୧୫ ଅଗଷ୍ଟରେ ଯୋଗଦାନ କରିଥାନ୍ତେ । କିନ୍ତୁ ଜୟପୁର ଟାଉନ୍ ଥାନା ଏକ ମାମଲାରେ ପଚରାଉଚରା ବେଳେ ସେ କ୍ୟାପିଟାଲ ଥାନାରୁ ଫେରାର ହୋଇଗଲେ । ଖୁବ୍ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡିଛି ।
ସେହିଭଳି ଛତ୍ରପୁର ଥାନା ଇନ୍ସପେକ୍ଟର ଦେବାଶିଷଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିଲା । ଗଞ୍ଜେଇ ବେପାରୀଙ୍କୁ ଥାନାରୁ ଖସାଇ ଦେବା, ଏତଲା ନେଇ ଥାନାକୁ ଯାଇଥିବା ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା, ଗିରଫ ଭୟ ଦେଖାଇ ଧମକ ଚମକ ଦେଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ଥିଲା । ତେଣୁ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ପାଖରେ ଦେବାଶିଷଙ୍କ ବିରୋଧରେ କିଛି ପ୍ରମାଣ ଥିବା ଅନୁମାନ କରାଯାଉଛି ।