ଭୁବନେଶ୍ୱର,୨୪/୦୫: ଖାକିରେ ଲାଗିଲା କଳଙ୍କ । ଲାଞ୍ଚ ନେଇ ଧରା ପଡ଼ିଲେ ଦୁଇ ପୁଲିସ୍ କର୍ମୀ । ୧୦ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ବାଙ୍କୋଇ ଫାଣ୍ଡିର ଏଏସଆଇ ଓ ହୋମଗାର୍ଡଙ୍କୁ ରେଡ୍ ହ୍ୟାଣ୍ଡ୍ ଧରିଛି ଭିଜିଲାନ୍ସ ଟିମ୍ । ଏକ କେସ୍ ଡାଏରୀରୁ ନାଁ ହଟାଇବା ପାଇଁ ଟଙ୍କା ନେଉଥିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ । ଉଭୟଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଫାଣ୍ଡିରେ ରେଡ୍ ମାରିଛି ଦୁର୍ନୀତି ନିବାରଣ ଟିମ୍ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଫାଣ୍ଡିରେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡ଼ି ବସିଥିଲା । ଏକ କେସ୍ ଡାଏରୀରୁ ନାଁ ହଟାଇବା ପାଇଁ ୧୦ ହଜାର ଟଙ୍କା ଅର୍ଥ କାରବାର ହୋଇଥିଲା । ଏହାଛଡ଼ା ଏଏସଆଇ ତୁଷାର ନାୟକଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଟିମ୍ । ଉଭୟଙ୍କୁ ଭୁବନେଶ୍ୱର ଅଣାଯାଇଥିବା ନେଇ ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି।