ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି । ଏହାରି ମଧ୍ୟରେ ପାକିସ୍ତାନର ସେନା ମୁଖପାତ୍ର ମେଜର ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତ ଉପରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାର ଅଭିଯୋଗ ଆଣିଛନ୍ତି। କିନ୍ତୁ ଏହି ବ୍ୟକ୍ତିଜଣଙ୍କ କିଏ ଆସନ୍ତୁ ଜାଣିବା । ସରିଫ ଚୌଧୁରୀ ଏମିତି ଜଣେ ବାପର ପୁଅ ଯହାଙ୍କୁ ବିଶ୍ବସ୍ତରୀୟ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି । ତାଙ୍କ ପିତା ଗ୍ଲୋବାଲ୍ ଟେରରିଷ୍ଟ । ଆଉ ତାଙ୍କର ନାଁ ଓସାମା ବିନ୍ ଲାଡେନ ଏବଂ ଏପରିକି ତାଲିବାନ ସହିତ ଜଡିତ । ଡିଜି ଆଇଏସ୍ପିଆରର ଚୌକିରେ ବସିଥିବା ଅହମ୍ମଦ ସରିଫ ଚୌଧୁରୀ ବାପାଙ୍କୁ ଜାତିସଂଘ, ଆମେରିକା, ବ୍ରିଟେନ ଏବଂ ପାକିସ୍ତାନ ମଧ୍ୟ ଆତଙ୍କବାଦ ସହିତ ଜଡିତ ବୋଲି ବିବେଚନା କରିଛନ୍ତି।
ଅହମଦ ସରିଫ ଚୌଧରୀଙ୍କ ବାପା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ରାସାୟନିକ, ଜୈବିକ ଏବଂ ପରମାଣୁ ଅସ୍ତ୍ର ବିଷୟରେ ସୂଚନା ଦେଇଥିଲେ। ଅହମଦ ସରିଫ ବର୍ତ୍ତମାନ ପାକିସ୍ତାନ ସେନାର ମିଡିଆ ୱିଙ୍ଗ ISPRର ମହାନିର୍ଦ୍ଦେଶକ। ସେ ଇଲେକ୍ଟ୍ରିକାଲ୍ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ କୋରରେ କାର୍ଯ୍ୟ କରନ୍ତି । ତାଙ୍କୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ISPRର ମହାନିର୍ଦ୍ଦେଶକ କରାଇଛନ୍ତି । ସେ ପୂର୍ବରୁ DESTO (ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗଠନ)ର ନେତୃତ୍ୱ ନେଇଥିଲେ, ଯାହା ପାକିସ୍ତାନ ପାଇଁ ସାମରିକ ଗବେଷଣା କରୁଥିବା ପ୍ରତିଷ୍ଠାନ। ଏହି ସଂଗଠନ ଅନେକ ଥର ଆମେରିକା ଦ୍ୱାରା ପ୍ରଯୁକ୍ତିବିଦ୍ୟା ପ୍ରତିବନ୍ଧକର ଶିକାର ହୋଇଛି ।
ତାଙ୍କ ବ୍ୟକ୍ତିଗତ ବିଚାରଧାରା ଅଧିକ କିଛି ଜଣା ନଥିଲେ ବି ସେ ଜିଆ-ଉଲ୍-ହକ୍ଙ୍କ ସମୟରେ ବଡ଼ ହୋଇଛନ୍ତି । ଯେଉଁ ସମୟରେ ଉଗ୍ର ଜାତୀୟତାବାଦ ଏବଂ ଧାର୍ମିକ କଠୋରତାକୁ ଖୋଲାଖୋଲି ଭାବରେ ପ୍ରୋତ୍ସାହିତ କରାଯାଇଥିଲା । ଅହମଦ ସରିଫଙ୍କ ପିତା ଡକ୍ଟର ସୁଲତାନ ବଶିରୁଦ୍ଦିନ ମହମୁଦ ଏକ ଗରିବ ଚାଷୀ ପରିବାରର ଥିଲେ। ସେ ପଞ୍ଜାବ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିଲେ ଏବଂ ଲାହୋରରେ ଇଲେକଟ୍ରିକାଲ ଇଞ୍ଜିନିୟରିଂ ପଢ଼ିବାଥିଲେ । ପରେ ୧୯୬୦ ଦଶକରେ ସେ ବ୍ରିଟେନ ଯାଇଥିଲେ। ସେଠାରେ ସେ କଂଟ୍ରୋଲ ସିଷ୍ଟମସ୍ ଏବଂ ନ୍ୟୁକ୍ଲିୟର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଅହମଦ ସରିଫଙ୍କ ପିତା ଡକ୍ଟର ସୁଲତାନ ବଶିରୁଦ୍ଦିନ ମହମୁଦ ପାକିସ୍ତାନର ଜଣେ ବଡ଼ ପରମାଣୁ ବୈଜ୍ଞାନିକ ଥିଲେ। ତାଙ୍କୁ ପାକିସ୍ତାନର ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର, ସୀତାରା-ଏ-ଇମତିଆଜ ପ୍ରଦାନ କରାଯାଇଥିଲା।
ପରେ ପରେ ସେ ବିଜ୍ଞାନ ଛାଡି ଜିହାଦର ରାସ୍ତାରେ ଯାଇ ଥିଲେ । ୨୦୦୦ ମସିହାରେ, ସେ ଉମ୍ମାହ ତମୀର-ଏ-ନୌ (UTN) ନାମକ ଏକ ସଂଗଠନ ଗଠନ କରିଥିଲେ। ଶାନ୍ତି ଏବଂ ସେବା ଦେବାକୁ ଗଠଦ ହୋଇଥିବା ସଂଗଠନର ମୂଳ ଲକ୍ଷ୍ୟ ଥିଲା ପାଣ୍ଠି ସଂଗ୍ରହ କରିବା, ଯୋଜନା ପ୍ରସ୍ତୁତ କରିବା ଏବଂ ତାଲିବାନ ଓ ଅଲ-କାଏଦାକୁ ବୈଷୟିକ ସହାୟତା ଯୋଗାଇବା। ବଶିରୁଦ୍ଦିନ ମହମୁଦଙ୍କୁ ୨୦୦୧ ରେ ତାଙ୍କ ସହଯୋଗୀ ବୈଜ୍ଞାନିକଙ୍କ ସହ ଗିରଫ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ, ସେ ଓସାମା ବିନ୍ ଲାଡେନକୁ ଭେଟିଥିଲେ ଏବଂ ତାଙ୍କୁ ପରମାଣୁ ବୋମା ସହ ବିଭିନ୍ନ ଜୈବିକ ଅସ୍ତ୍ର ତିଆରି କରିବାର ସୂଚନା ଦେଇଥିଲେ। ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ, ସେ ଲାଡେନକୁ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମର ମୌଳିକ ବିଷୟ ଏବଂ ଏହାର ପ୍ରଭାବ ବୁଝାଇଥିଲେ ।
ଡକ୍ଟର ବଶୀର କେବଳ ଅସ୍ତ୍ରଶସ୍ତ୍ରରେ ଆଗ୍ରହୀ ନଥିଲେ ବରଂ ଅଦ୍ଭୁତ ବୈଜ୍ଞାନିକ ଚିନ୍ତାଧାରା ପ୍ରତି ମଧ୍ୟ ଆଗ୍ରହୀ ଥିଲେ। ସେ ମେକାନିକ୍ସ ଅଫ୍ ଦି ଡୁମ୍ସଡେ ଆଣ୍ଡ୍ ଲାଇଫ୍ ଆଫ୍ଟର ଡେଥ୍ ନାମକ ଏକ ପୁସ୍ତକ ଲେଖିଥିଲେ, ଯେଉଁଥିରେ ସେ ଦାବି କରିଥିଲେ ଯେ, ଜିନ୍ ପ୍ରକୃତରେ ପ୍ଲାଜମାରୁ ତିଆରି ଶକ୍ତି ୟୁନିଟ୍ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। ପୁସ୍ତକରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ, ଫରାସୀ ବିପ୍ଳବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ବିଶ୍ୱର ଅନେକ ବଡ଼ ବିଦ୍ରୋହ ସୂର୍ଯ୍ୟ ଦାଗ ଯୋଗୁଁ ହୋଇଥିଲା। ଜଣେ ଆମେରିକୀୟ ଗୁପ୍ତଚର ଅଧିକାରୀ ତାଙ୍କ ବିଷୟରେ କହିଥିଲେ ।