ଭୁବନେଶ୍ବର,୦୫/୧୧: ଏଣିକି ଆଉ ଠକି ପାରିବେନି ରାଜସ୍ବ ଅଧିକାରୀ । ଆଉ ଚାଲିବନି ଖାମ ଖିଆଲି ମନରେ କାମ । କାର୍ଯ୍ୟରେ ଢିଲା ମାରୁଥିବା ବା ଠକୁଥିବା ରାଜସ୍ବ ଅଧିକାରୀ ହୋଇଯାଆନ୍ତୁ ସଜାଗ । କାମରେ ଠକୁ ଥିବା ଆରଆଇ ଓ ଏଆରଆଇ ଓ ଅମିନଙ୍କ ଉପରେ ହେବ ଆକ୍ସନ । ଏନେଇ ଜିଲ୍ଲାପାଳମାନଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି ।
ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି କହିଛନ୍ତି,'' କିଛି ରାଜସ୍ବ ଅଧିକାରୀ ଯେପରି ଆରଆଇ ଓ ଏଆରଆଇ ଓ ଅମିନ ସେମାନଙ୍କ କାମ ଠିକ ଭାବରେ କରୁନାହାନ୍ତି । ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ସେମାନେ ବିଫଳ । ରାଜସ୍ବ ଅଧିକାରୀଙ୍କ ଖାମ ଖିଆଲି କାର୍ଯ୍ୟ ପାଇଁ ଲୋକଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଏ ନେଇ ଏକାଧିକ ଅଭିଯୋଗ ହୋଇଛି । କିଛି ରାଜସ୍ବ ଅଫିସର ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଅଛନ୍ତି । ମାତ୍ର ଏକାଧିକ କାମ ପଡି ରହିଛି । ସେମାନେ ତାଙ୍କ କାର୍ଯ୍ୟ ସଠିକ ଭାବେ କରି ନାହାନ୍ତି । କିଛି ରାଜସ୍ବ ଅଧିକାରୀ ନିଜ ତହସିଲରେ ନିଯୁକ୍ତ ଅଛନ୍ତି ଯାହା ନିସ୍ବାର୍ଥପର ପ୍ରଶାସନ ପାଇଁ ଠିକ ନୁହେଁ । ''
ଯେଉଁ ସ୍ଥାନରେ ରାଜସ୍ବ ଅଧିକାରୀ କାମରେ ଢ଼ିଲା ମାରୁଛନ୍ତି ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଉ ନାହାନ୍ତି ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଆରଆଇମାନେ କଣ କାମ କରିଛନ୍ତି ତାର ଏକ ସମୀକ୍ଷା ରିପୋର୍ଟ ମାଗିବାକୁ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।