ରିଆମାଳ,୦୫/୧୧: କୂଅ ଭିତରେ ଫସି ରହିଥିଲା ହାତୀ ଛୁଆ । ବନ ବିଭାଗର ଉଦ୍ୟମ ପରେ ରାତି ୧୧ଟାରେ ହାତୀ ଶାବକକୁ କରାଗଲା ଉଦ୍ଧାର। କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଖଳିପଶି ଗାଁର ଘଟଣା। ଏନେଇ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଖଳିପସି ପାଖରୁ ୧୪ଟି ହାତୀ ହଳଦିଆଖୋଲ ଦେଇ ଯିବା ସମୟରେ ମା ସହିତ ଥିବା ଶାବକଟି ଚିତରଞ୍ଜନ ପ୍ରଧାନଙ୍କ ବଗିଚାର ଖୋଲା କୂଅ ଭିତରେ ଖସିପଡି ଯାଇଥିଲା । ହାତୀ ଘଉଡୁ ଥିବା ଦଳଙ୍କୁ ଏହା ଜଣାପଡିବା ପରେ ସଙ୍ଗେ ସଙ୍ଗେ ସେମାନେ ରେଞ୍ଜର ଶ୍ରୀ ଧରୁଆଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ରେଞ୍ଜରଙ୍କ ସହିତ ଏସ. ସି.ଏଫ ସ୍ୱାଧୀନତା ସାହାଣୀ ତଥା କୁଣ୍ଢେଇଗୋଳା ଫରେଷ୍ଟର ଏବଂ ରେସକ୍ୟୁ ଦଳ ପହଞ୍ଚି ଏକ ଜେସିବି ସାହାଯ୍ୟରେ କୂଅର ଗୋଟିଏ ପାଖକୁ ଭାଙ୍ଗି ହାତୀ ଶାବକକୁ ଉଦ୍ଧାର କରିଥିଲେ। ଶାବକଟି ଭଲ ଥିବା ବେଳେ ପାଖରେ ଥିବା ମା ହାତୀ ସହିତ ଚାଲି ଯାଇଥିବା ଶ୍ରୀ ଧରୁଆ କହିଛନ୍ତି ଏବଂ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।