ନୂଆଦିଲ୍ଲୀ,୨୯।୭: ଅପରେସନ୍ ସିନ୍ଦୂରକୁ ନେଇ ସଂସଦରେ ଚର୍ଚ୍ଚା ଜାରି ରହିଛି। ଆଜି ଦ୍ବିତୀୟ ଦିନରେ କଂଗ୍ରେସ ସାଂସଦ ତଥା ବିରୋଧି ଦଳ ନେତା ରାହୁଲ ଗାନ୍ଧି ସରକାରଙ୍କୁ କରିଛନ୍ତି ଜୋରଦାର ଟାର୍ଗେଟ। ରାହୁଲ କହିଛନ୍ତି ‘ଅପରେସନ୍ ସିନ୍ଦୂର’ ବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ପାକିସ୍ତାନ ସହ ଲଢିବାର ଇଚ୍ଛାଶକ୍ତି ନଥିଲା। ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହେବାର ରାତିରେ ହିଁ ମାତ୍ର ୩୦ ମିନିଟ୍ରେ ସରିଯାଇଥିଲା। ସେତେବେଳେ ହିଁ ସରକାର ଅସ୍ତ୍ରବିରତି କରିଦେଇଥିଲେ।
ରାହୁଲ କହିଛନ୍ତି, ପହଲଗାମ୍ ଆକ୍ରମଣ ଖୁବ୍ କ୍ରୁର ଥିଲା। ଯାହା ହୋଇଛି ତାହା ଭୁଲ। ସବୁ ଏହାକୁ ନିନ୍ଦା କରିଛନ୍ତି। ଆମେ ଚଟାଣ ଭଳି ନିର୍ବାଚିତ ସରକାର ସହ ଠିଆ ହୋଇଥିଲୁ। ପହଲଗାମ୍ ହମଲା ପରେ ନରଓ୍ବାଲ ସାହେବଙ୍କ ଘରକୁ ଯାଇଥିଲୁ। ତାଙ୍କ ପୁଅ ନୌସେନାରେ ଥିଲେ। ୟୁପିରେ ମଧ୍ୟ ପୀଡିତ ପରିବାକୁ ଭେଟିବାକୁ ଯାଇଥିଲୁ। କାଶ୍ମୀରରେ ମଧ୍ୟ ପୀଡିତ ପରିବାକୁ ଦେଖା କରିଥିଲୁ। ଭାରତୀୟ ଯବାନ ହେଉଛନ୍ତି ଜଣେ ଜଣେ ଟାଇଗର। ଟାଇଗରକୁ ସ୍ବାଧୀନତା ଦେବାକୁ ପଡିଥାଏ। ସେନାର ବ୍ୟବହାର ପାଇଁ ଇଚ୍ଛା ଶକ୍ତି ଦରକାର। ଦେଶ ପାଇଁ କାମ କରିବାର ଅଛି ଯଦି ଯବାନଙ୍କୁ ସ୍ବାଧୀନତା ଦେବାକୁ ପଡିଥାଏ। ମୁଁ ରାଜନାଥ ସିଂହଙ୍କ ଭାଷଣ ଶୁଣିଛି। ସେ ‘ଅପରେସନ୍ ସିନ୍ଦୂର’ର ତୁଳନା ୧୯୭୧ ସହ କରିଛନ୍ତି। ସେତେବେଳର ସରକାରଙ୍କ ପାଖରେ ଇଛାଶକ୍ତି ଥିଲା। ଆମେ ଆମେରିକା କଥା ଶୁଣିନଥିଲୁ। ଏକ ଲକ୍ଷ ପାକିସ୍ତାନୀ ସୈନିକ ଆତ୍ମ ସମର୍ପଣ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଥିଲେ, ଆମେ ରାତି ୧.୩୫ ମିନିଟ୍ରେ ପାକିସ୍ତାନକୁ କହିଥିଲୁ ତାଙ୍କ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିବୁ। ଏହା ଏସ୍କେଲେଟରୀ ନଥିଲା ? ଏବେ କୌଣସି ଏକ୍ସେଲେସନ୍ ନହେବା ଦରକାର। ଆପଣ ୩୦ ମିନିଟ୍ରେ ହିଁ ପାକିସ୍ତାନ ଆଗରେ ସରେଣ୍ଡର କରିଦେଲେ। ଏହା କହିଦେଲେ ଯେ, ଆପଣଙ୍କ ପାଖରେ ଲଢିବାର ଇଚ୍ଛାଶକ୍ତି ନଥିଲା। ସରକାର ପାଇଲଟ୍ଙ୍କ ହାତ-ଗୋଡ ବି ବାନ୍ଧିଦେଲେ। ଏଥିରେ ସରକାରଙ୍କ ସମ୍ପୂର୍ଣ୍ଣ ଭୁଲ୍ ରହିଛି। ସେନାର କିଛି ବି ଭୁଲ୍ ନାହିଁ। ଟ୍ରମ୍ପ ୨୯ ଥର କହିସାରିଲେଣି ଆମେ ଯୁଦ୍ଧ ବନ୍ଦ କରିଛୁ। ଯଦି ଦମ୍ ଅଛି ତେବେ ପ୍ରଧାନମନ୍ତ୍ରୀ ଗୃହରେ କୁହନ୍ତୁ, ମୁଁ ମିଛ କହୁଛି। ଇନ୍ଦିରାଜୀଙ୍କ ୫୦% ସାହାସ ଯଦି ତାଙ୍କର ଅଛି, ତେବେ ଏଠାରେ କହିବେ। ଯଦି ସତରେ ଦମ୍ ଅଛି ତେବେ ପିଏମ୍ ଏହା କହି ଦିଅନ୍ତୁ ଟ୍ରମ୍ପ ମିଛ କହୁଛନ୍ତି। ବୈଦେଶିକ ମନ୍ତ୍ରୀ ଭାଷଣରେ କହିଛନ୍ତି, ସବୁ ଇସଲାମିକ୍ ଦେଶ ନିନ୍ଦା କରିଛନ୍ତି, କିନ୍ତୁ ଏହା କହି ନାହାନ୍ତି ପହଲଗାମ୍ ପରେ ଗୋଟିଏ ବି ଦେଶ ପାକିସ୍ତାନର ନିନ୍ଦା କରିନାହାନ୍ତି। ସବୁ ଦେଶ ଆତଙ୍କବାଦର ନିନ୍ଦା କରିଛନ୍ତି।
ରାହୁଲ ଆହୁରି କହିଛନ୍ତି, ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଅସୀମ ମୁନୀର ପ୍ରୋଟୋକଲ୍ ଭାଙ୍ଗି ଟ୍ରମ୍ପଙ୍କୁ ଭେଟିଲେ। ଟ୍ରମ୍ପଙ୍କ ସହ ଲଞ୍ଚ ବି କଲେ। ଟ୍ରମ୍ପ ଯୁଦ୍ଧ ରୋକିଥିବାରୁ ମୁନୀର ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତର ବୈଦେଶିକ ମନ୍ତ୍ରୀ କେଉଁଠି ଥିଲେ ? ଭାରତର ବୈଦେଶିକ ନୀତି ପାଇଁ ଚୀନ୍ ଓ ପାକିସ୍ତାନର ମେଣ୍ଟ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଗତକାଲି ବୈଦେଶିକ ମନ୍ତ୍ରୀ କହୁଥିଲେ ଟୁ ଫ୍ରଣ୍ଟ ଓ୍ବାର ଏବେ ଏକ ପୁରୁଣା କନସେପ୍ଟ । ଚୀନ୍ ସହାୟତାରେ ପାକିସ୍ତାନୀ ବାୟୁସେନାକୁ ରୂପାନ୍ତରିତ କରାଯାଉଛି। ଚୀନ୍ ଏବଂ ପାକିସ୍ତାନର ସେନା ଏକାଠି ହୋଇଯାଇଛନ୍ତି। ପାକିସ୍ତାନୀ ଅଧିକାରୀମାନେ ଚୀନ୍ରେ ତାଲିମ ନେଉଛନ୍ତି। ଏହା ବର୍ତ୍ତମାନ ଦେଶ ପାଇଁ ବିପଦପୂର୍ଣ୍ଣ। ସ୍ୱାଧୀନତା ସହିତ ଜାତୀୟ ସ୍ୱାର୍ଥରେ ସେନାକୁ ବ୍ୟବହାର କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନିଜ ଭାବମୂର୍ତ୍ତି ପାଇଁ ସେନାକୁ ବ୍ୟବହାର କରୁଛନ୍ତି। ଭାରତର ଲକ୍ଷ୍ୟ ଚୀନ୍ ଏବଂ ପାକିସ୍ତାନକୁ ପୃଥକ କରିବା ହେବା ଉଚିତ। ଗୋଟିଏ ଦେଶ ପାକିସ୍ତାନକୁ ନିନ୍ଦା କରିନାହିଁ, ଏହା ବୈଦେଶିକ ନୀତିର ବିଫଳତା। ଏହା ଲୋକଙ୍କ ମାନସିକତାକୁ ଦର୍ଶାଏ। ପ୍ରତିରକ୍ଷା ମନ୍ତ୍ରୀ ଥରେ ମଧ୍ୟ ଚୀନ୍ର ନାମ ନେଇ ନାହାଁନ୍ତି।’