ସାଲେପୁର,୧୨/୦୪: ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ। ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ପତିତପାବନ ନାୟକ ଏହି ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।
ଛାଣିପୁର ପଞ୍ଚାୟତର ରାମକୃଷ୍ଣପୁର ଗ୍ରାମର ପତିତପାବନ ନାୟକଙ୍କ ପତ୍ନୀ ନନ୍ଦିନୀ ସ୍ବାଇଁଙ୍କର ଗର୍ଭଜନିତ ଯନ୍ତ୍ରଣା ହୋଇଥିଲା । ଯାହାପରେ ସ୍ବାମୀ ପତିତପାବନ ତାଙ୍କ ପତ୍ନୀଙ୍କୁ ସାଲେପୁରର ସପନପୁର ଗ୍ରାମରେ ଥିବା ଶ୍ରୀରାମ ନାମକ ଏକ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ଆଣିଥିଲେ। ଡ଼ାକ୍ତର ସେଠାରେ ନନ୍ଦିନୀଙ୍କ ଅସ୍ତ୍ରୋପଚାର କରି ଏକ ପୁତ୍ର ସନ୍ତାନକୁ ଜନ୍ମ କରାଇଥିଲେ । ହେଲେ ହଠାତ ଗତକାଲି ବିଳମ୍ବିତ ରାତିରେ ନନ୍ଦିନୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରକୁ ଡାକିବାକୁ ଯାଇଥିଲେ। କିନ୍ତୁ ପତିତପାବନ ଡ଼ାକ୍ତରଙ୍କୁ ନପାଇ ନିରାସ ହୋଇଥିଲେ । ନନ୍ଦିନୀ ରାତି ତମାମ ଯନ୍ତ୍ରଣାରେ ଛାଟିପିଟି ହୋଉଥିଲେ ହେ ନର୍ସିଂହୋମର କୌଣସି କର୍ମଚାରୀ ଆସିନଥିଲେ। ଆଜି ସକାଳୁ ଡ଼ାକ୍ତର ଆସି ରୋଗୀକୁ ଇଞ୍ଜେକ୍ସନ ଓ ସାଲାଇନ ଦେଇଥିଲେ। ହେଲେ ଚିକିତ୍ସାରେ ବିଳମ୍ବ ହେବାରୁ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପତିତପାବନ ।
ଏହା ମଧ୍ୟ ପଢନ୍ତୁ- ଫାଶିଗୁଡ଼ା ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଏନେଇ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ନର୍ସିଂହୋମରେ ଡ଼ାକ୍ତର ନଥିବା ଓ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ନର୍ସିଂହୋମ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।