ଆନନ୍ଦପୁର, ୩୧/୧୦: ବେଆଇନ ଗୋରୁ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲେ ସ୍ଥାନୀୟ ଯୁବଗୋଷ୍ଠୀ । ଗୋରୁ ବୋଝେଇ ଗାଡ଼ିକୁ ଅଟକ ରଖି ପୋଲିସ ଜିମା ଦେଲେ । ଏହି ଘଟଣାରେ ଜଣେ ଗୋରୁ ବ୍ୟବସାୟୀ ଏବଂ ଗାଡ଼ିର ଚାଳକ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୋଚିନ୍ଦା ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମୋଚିନ୍ଦା ଗ୍ରାମରେ ଏକ ଟାଟା ଏସି ବେଆଇନ ଭାବରେ ଗୋରୁ ବୋଝେଇ କରି ଯାଉଥିଲା । ଏହି ସମୟରେ ସ୍ଥାନୀୟ ଯୁବକ ମାନେ ଗାଡ଼ିଟିକୁ ଅଟକାଇଥିଲେ । ଏହା ସହ ଗାଡ଼ିର ଡ୍ରାଇଭର ଏବଂ ଜଣେ ଗୋରୁ ବେପାରୀକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଯୁବକମାନେ । ଖବର ପାଇ ଘଟଣାସ୍ଥଳରେ ଆନନ୍ଦପୁର ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆନନ୍ଦପୁର ଉପଖଣ୍ଡରେ ବେଆଇନ ଗୋଚାଲାଣ ବଢୁଥିବାରୁ ଏଥିରେ ରୋକ୍ ଲଗାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।