କେନ୍ଦୁଝର ସଦର,୩୧/୦୫: ଅସହ୍ୟ ହେଲା ପାରିବାରିକ କଳହ । ଗଛ ଡାଳରେ ବେକରେ ଫାଶୀ ଲଗାଇ ଝୁଲି ପଡ଼ିଲେ ଦମ୍ପତି । ମୃତକ ରଇବୁ ମୁଣ୍ଡା (୨୦) ଏବଂ ତାଙ୍କ ସ୍ତ୍ରୀ ଗୌରୀ ମୁଣ୍ଡା (୧୯) ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଯୋଗିମଠ ଗ୍ରାମର ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସ୍ୱାମୀ ରଇବୁ ମୁଣ୍ଡା ଏବଂ ସ୍ତ୍ରୀ ଗୌରୀ ମୁଣ୍ଡାଙ୍କ ଏକ ଚାରି ମାସର ଶିଶୁ ପୁତ୍ର ଅଛି । ତେବେ ଉଭୟଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ବିଳମ୍ବିତ ରାତିରେ ଦୁହେଁ ଘର ନିକଟରୁ ୧୦୦ ମିଟର ଦୂରରେ ଏକ ଗଛ ଡାଳରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୁଲିସ ।