ମାଲକାନଗିରି,୦୫/୦୬: ପରିବହନ ଓ ଶ୍ରମ ବିଭାଗର ଅତର୍କିତ ଚଢ଼ାଉ । ଘରୋଇ ବସରୁ ୧୧୬ଜଣ ଦାଦନ ଶ୍ରମିକ ଉଦ୍ଧାର। ଅତ୍ୟଧିକ ଯାତ୍ରୀ ନେବା ଅଭିଯୋଗରେ ପରିବହନ ବିଭାଗ ବସ୍ ମାଲିକଙ୍କୁ ୨୪,୨୦୦ ଟଙ୍କା ଜରିମାନା ଲଗାଇଛନ୍ତି ।
ସୂଚନା ମୁତାବକ, ବାଲାଜୀ ନାମକ ଏକ ଘରୋଇ ବଲ୍ ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଅଭିମୁଖେ ଫେରୁଥିଲା । ଏଥିରେ କ୍ଷମତା ଠାରୁ ଅତ୍ୟଧିକ ଦାଦନ ଶ୍ରମିକ ଯାତ୍ରା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ମାଲକାନଗିରି ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଇନସିପେକ୍ଟର ଦୀପକ କୁମାର ସାହୁ, ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଅଟକାଇ ଥିଲେ । ଯାଞ୍ଚ ବେଳେ ବସ୍ରେ କ୍ଷମତା ଠାରୁ ଅଧିକ ଦାଦନ ଶ୍ରମିକ ଯାତ୍ରା କରୁଥିଲେ । ମୋଟ୍ ୧୨୦ ଯାତ୍ରୀଙ୍କ ମଧ୍ୟରୁ ଏଥିରେ ୧୧୬ଜଣ ଦାଦନ ଶ୍ରମିକ ଥିବା ବେଳେ ମାତ୍ର ୪ଜଣ ସାଧାରଣ ଯାତ୍ରୀ ଯାତ୍ରା କରୁଥିଲେ ।
ସୂଚନା ଅନୁଯାୟୀ, ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ମାଙ୍ଗୀପାଲ୍ଲୀ ଅଞ୍ଚଳରେ ଏକ ଇଟାଭାଟି କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସେମାନେ ଏକ ବସ୍ ଯୋଗେ ନିଜ ଘର ବଲାଙ୍ଗୀର ଓ ନବରଙ୍ଗପୁରକୁ ଫେରୁଥିଲେ । ବସ୍ଟି କଣ୍ଟାବାଞ୍ଜି ଯାଉଥିବା ବେଳେ ମାଲକାନଗିରି ଆଞ୍ଚଳିକ ପରିବହନ ବିଭାଗ ବସ୍କୁ ଅଟକାଇ ଯାଞ୍ଚ କରିଥିଲେ । ତେବେ ଉକ୍ତ ବସ୍ରୁ ୧୧୬ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଶ୍ରମ ବିଭାଗ ସେମାନଙ୍କୁ ଜଳଖିଆ ଖୁଆଇ ଅନ୍ୟ ଏକ ବସରେ ଘରକୁ ପଠାଇବାକୁ ବ୍ୟବସ୍ଥା କରିଛନ୍ତି । ସମସ୍ତ ଦାଦନ ଶ୍ରମିକଙ୍କ ପରିଚୟ ଓ ଠିକଣା ସଂଗ୍ରହ କରାଯାଇ ବଲାଙ୍ଗୀରର ମାନବ ଚାଲାଣ ଦଲାଲଙ୍କୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ସୋମବାର ଦିନ ବାଲାଜୀ ଟ୍ରାଭେଲ୍ସର ଆଉ ଏକ ଘରୋଇ ବସ୍ ଅତ୍ୟଧିକ ଯାତ୍ରୀଙ୍କୁ ନେଇ କଣ୍ଟାବାଞ୍ଜି ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୫ଜଣ ଶ୍ରମିକ ଆହତ ହୋଇଥିଲେ।