ଖଲ୍ଲିକୋଟ, ୪/୮ : ୧୬ ନମ୍ବର ଜାତୀୟ ରାଜପଥ ଗଣ୍ଡାପଲ୍ଲୀ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା। ହମ୍ପସ୍ରେ ସ୍କୁଟିରୁ ଖସିପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ। ସୋମବାର ମଧ୍ୟାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ପୁରୀ ଜିଲ୍ଲା ପାରିକୁଦ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ପାରିକୁଦ ଅଞ୍ଚଳର ଜଣେ ଯୁବତୀ ସୋମବାର ମଧ୍ୟାହ୍ନରେ କେଶପୁର ପଟୁ ନିଜ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିଲେ। ଗଣ୍ଡାପଲ୍ଲୀ ନିକଟରେ ରାସ୍ତାରେ ଥିବା ହମ୍ପସକୁ ଦେଖି ପାରିନଥିଲେ। ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ସ୍କୁଟି ହମ୍ପସ୍ ଉପରେ ଜମ୍ପ ମାରିଥିଲା। ଫଳରେ ଯୁବତୀ ଜଣଙ୍କ ସ୍କୁଟି ଉପରୁ ଛିଟିକି ପଡ଼ି ରାସ୍ତା ଉପରେ କଚାଡ଼ି ହୋଇପଡ଼ିଥିଲେ। ଯୁବତୀଙ୍କ ମୁଣ୍ଡ ରାସ୍ତାରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖଲ୍ଲିକୋଟରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।