ନମୌଜା,୧୮/୭ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁରସ୍ଥିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଗୋବିନ୍ଦପୁର-ସିଙ୍ଘପୁର ସେତୁ ଉପରୁ ଗତକାଲି ପୂର୍ବାହ୍ନରେ ଜଣେ ଯୁବତୀ ଭରା ନଦୀକୁ ଡେଇଁ ପଡ଼ିଥିଲେ l ଦୀର୍ଘ ୩୦ଘଣ୍ଟାର ପରିଶ୍ରମ ପରେ ବିଂଝାରପୁର ଦମକଳବାହିନୀ ଓ ଆଳି ଦମକଳ ବାହିନୀର ମିଳିତ ଉଦ୍ୟମରେ ଆଜି ସନ୍ଧ୍ୟା ୫ଟା ସମୟରେ ଗୋବିନ୍ଦପୁରର ଚନ୍ଦନପୁରଠାରେ ଏକ ପୁରୁଣା ପୋଲରେ ଯୁବତୀଙ୍କ ମୃତଦେହ ଲାଗିଥିବାବେଳେ ଦମକଳ ବାହିନୀ ଉଦ୍ଧାର କରିଥିବା ସୂଚନା ମିଳିଛି l
ପ୍ରକାଶ ଯେ, ଗତକାଲି ଦିନ ୧୧ଟା ସମୟରେ ଆଳି ଥାନା ଗୋବିନ୍ଦପୁର ପଞ୍ଚାୟତ ମିଶ୍ରସାହିର ସୁଧାଂଶୁ ଶେଖର ମିଶ୍ରଙ୍କ ଝିଅ ମଧୁସ୍ମିତା(୨୧) ଗତକାଲି କମ୍ପ୍ୟୁଟର କ୍ଲାସରୁ ଫେରି ଗୋବିନ୍ଦପୁର ସେତୁ ଉପରେ ପହଞ୍ଚି ଥିଲେ l ହଠାତ କେହି କିଛି ଭାବିବା ପୂର୍ବରୁ ସାଙ୍ଗରେ ନେଇଥିବା ସାଇକେଲକୁ ସେତୁ ଉପରେ ରଖି ଖରସ୍ରୋତା ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ l ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ସଙ୍ଗେ ସଙ୍ଗେ ମଧୁସ୍ମିତା ବହୁ ଦୂରକୁ ଭାସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ମତ ବ୍ୟକ୍ତ କରିଥିଲେ l ତେବେ ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହକୁ ଦମକଳ ବାହିନୀ ଉଦ୍ଧାର କରିଛନ୍ତି l