ପୁରୀ,୨୨/୦୯: ଜନବସତି ଦେଇ ବୋହି ଯାଏ । ଜୀବିକା ଦେଇ ଜୀବନ ବଞ୍ଚାଏ । ତା’ ପାଣିରେ ହସି ଉଠେ ଫସଲ । ଅବବାହିକାରେ ସୃଷ୍ଟି ହୁଏ ଜଙ୍ଗଲ । ‘ଜୀବନଧାରା’ ରୂପେ ସେ ପରିଚିତ ହୁଏ । ହେଲେ ଏବେ ନିଜେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି । କେଉଁଠି ମୁହାଣ ପୋତି ହୋଇ ନଦୀର ପ୍ରାକୃତିକ ଧାରା ପ୍ରଭାବିତ ହେଲାଣି ତ ଆଉ କେଉଁଠି ବର୍ଜ୍ୟ ଆଉ ରସାୟନରେ ଜଳ ବିଷାକ୍ତ ହୋଇଗଲାଣି । ଆସନ୍ନ ମୃତ୍ୟୁକୁ ଆବୋରି ତଥାପି ଗତି କରି ଚାଲିଛି । ଅପମୃତ୍ୟୁ ମୁହଁରେ ଆଉଟୁ ପାଉଟୁ ହେଉଛି ଜିଲ୍ଲାର ଜୀବନଧାରା ।
ମାଇଲ ମାଇଲ ରାସ୍ତା ଅତିକ୍ରାନ୍ତ କରି ନଦୀ ସମୁଦ୍ରରେ ବିଲୀନ ହୁଏ । ନଦୀ ସମୁଦ୍ରର ମିଳନସ୍ଥଳୀ ମୁହାଣର ସୁରକ୍ଷା ଭୌଗଳିକ ତଥା ଜୈବିକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିଜ ସାଥୀରେ ବାଲି ପଥର ଗୋଡ଼ି ସହ ଅନେକ ବର୍ଜ୍ୟ ବୋହି ଆଣିଥିବାରୁ ନଦୀ ମୁହାଣ ଦିନକୁ ଦିନ ସଙ୍କୁଚିତ ହେବାକୁ ଲାଗେ । ଏଥିପାଇଁ ନଦୀର ପ୍ରାକୃତିକ ପ୍ରବାହ ବଜାୟ ରଖିବାକୁ ନିୟମିତ ବ୍ୟବଧାନରେ ନଦୀ ମୁହାଣ ପ୍ରଶସ୍ତ କରିବାର ଆବଶ୍ୟକତା ରହିଛି । ହେଲେ ପୁରୀରେ ଥିବା ବିଭିନ୍ନ ନଦୀ ମୁହାଣକୁ ଶେଷ ଥର ପାଇଁ କେବେ ପ୍ରଶସ୍ତ କରାଯାଇଥିଲା ତାହାର ଉତ୍ତର କାହା ପାଖେ ନାହିଁ । ଆଗକୁ ସେଭଳି କରିବାର ଯୋଜନା ମଧ୍ୟ ନାହିଁ । ଯାହା ଫଳରେ ଜୈବ ବିବିଧତା ପ୍ରଭାବିତ ହେବା ସହ ଜଙ୍ଗଲ ଜମି ମଧ୍ୟ ନଷ୍ଟ ହେଉଛି ।
କୁଶଭଦ୍ରାର ଶାଖା ନୂଆ ନଈ ଓ ଧନୁଆ ନଦୀ ମୁହାଣ ଦ୍ରୁତ ଗତିରେ ସଂକୁଚିତ ହେବାରେ ଲାଗିଛି । ମେରାଇନ ଡ୍ରାଇଭ ରାସ୍ତା ନିକଟରେ ନୂଆ ନଈର ଓସାର ପାଖାପାଖି ୧୦୦ ମିଟର ଓ ଧନୁଆ ନଦୀର ଓସାର ପାଖାପାଖି ୧୫୦ ମିଟର ରହିଛି । ଉଭୟ ନଦୀ ସମୁଦ୍ରଠାରୁ ପାଖାପାଖି ୧.୫ କିମି ଦୂରରେ ଏକାଠି ମିଶିଛନ୍ତି । ହେଲେ ଦିନକୁ ଦିନ ଉଭୟ ନଦୀର ମିଳନସ୍ଥଳ ପୋତି ହେବାରେ ଲାଗିଛି । ନଦୀର ମିଳନ ସ୍ଥଳ ଶୈକତ ନିବାସ ପଟୁ ପୋତି ହୋଇ ଅପରପଟେ ବଳୁଖଣ୍ଡର ସଂରକ୍ଷିତ ଜଙ୍ଗଲ ଖାଉଛି । ପୂର୍ବରୁ ମୁହାଣର ଓସାର ୪୫୪ ମିଟର ଥିଲା । କିନ୍ତୁ ଏବେ ଏହା ୧୦୨ ମିଟର ରହିଛି ।
ଅନ୍ୟପକ୍ଷରେ ମୁହାଣ ନିକଟରେ ବାଲିବନ୍ତ ମଧ୍ୟ ଜମା ହେଉଛି । ଯାହା ଆଗମୀ ଦିନରେ ନଦୀର ଜୀବନଧାରାକୁ ପ୍ରଭାବିତ କରିବ । ଏହି ନଦୀରେ ନିର୍ଗତ ହେଉଥିବା ଶହ ଶହ ଏକର ମାଛ ଚାଷର ରାସାୟନିକ ପାଣି ଯଦି ସମୁଦ୍ରକୁ ନଯାଇ ଜମା ହେବ ତେବେ ଏହା ସମସ୍ତଙ୍କ ପାଇଁ କ୍ଷତିର କାରଣ ହେବ । ବର୍ଷା ଦିନରେ ଜଳ ନିଷ୍କାସନରେ ବାଧା ଉପୁଜିବା ଶହ ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବ । ସମୁଦ୍ରରେ ମିଶୁଥିବା ନୂଆ ନଈର ଜଳକୁ ଅଟକାଇ ସଂରକ୍ଷଣ କରିବା ନିମନ୍ତେ ବାଲିଗୁଆଳି ନିକଟରେ ନଦୀ ଜଳାଶ୍ରୟ ପ୍ରକଳ୍ପ କରିବାକୁ ଯୋଜନା ହୋଇଛି । ଏଥିନିମନ୍ତେ ୭୯.୨୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ହେଲେ ଏହି ପ୍ରକଳ୍ପ କାମ ଆଗକୁ ଆଗଉନାହିଁ ।
ପବିତ୍ର ପ୍ରାଚୀ ନଦୀ ଶଯ୍ୟା ମଧ୍ୟ ଦିନକୁ ଦିନ ପୋତି ହେବାରେ ଲାଗିଛି । କାକଟପୁରର ବିଶ୍ୱାମିତ୍ରଠାରୁ ଦେଉଳି ମଠ ପର୍ଯ୍ୟନ୍ତ ଜଳ ପ୍ରବାହ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସେହିଭଳି ଦେବୀନାସୀ ମୁହାଣ ନିକଟରେ ମଧ୍ୟ ନଦୀ ପାଣି ଠିକ୍ ରୂପେ ସମୁଦ୍ର ମଧ୍ୟକୁ ଯାଇପାରୁନାହିଁ । ଫଳରେ ନଦୀ ଜଙ୍ଗଲ ଭିତରକୁ କୂଳ ଖାଉଛି । ଧୀରେ ଧୀରେ ନଦୀର ପ୍ରାକୃତିକ ପ୍ରବାହ ପ୍ରଭାବିତ ହେଉଛି । ପଥର ବାଡ଼ ଦେଇ ଜେଟିକୁ ଆବଧ କରାଗଲେ କିମ୍ବା ହେନ୍ତାଳ ବଣ ସୃଷ୍ଟି କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମାନସ କୁମାର ସାହୁ ଦାବି କରିଛନ୍ତି । କେଳୁଣି ମୁହାଣରେ ହେଉଥିବା ବେଆଇନ ଜାଁଳ ଚାଷ ଯୋଗୁ ଦିନକୁ ଦିନ ନଦୀଧାରାକୁ ପ୍ରଭାବିତ ହେଉଛି । ମତ୍ସ୍ୟଜୀବୀମାନେ ମୁହାଣରେ ଜାଲ ପକାଇ ଜାଁଳ ଧରିବାରୁ ପାଣି ଠିକରେ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ । ଫଳରେ କେଳୁଣି ମୁହାଣ ମଧ୍ୟ ଧୀରେ ଧୀରେ ଏହାର ଦିଗ ବଦଳାଉଛି ।
ପୁରୀ ସହର ଉପକଣ୍ଠରେ ପ୍ରବାହିତ ହେଉଥିବା ଭାର୍ଗବୀର ଶାଖା ନଦୀ ମଙ୍ଗଳା ନଦୀ ପାଣି ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ମଙ୍ଗଳାଘାଟଠାରେ ଥିବା ୧୫ ମିଲିୟନ ଲିଟର କ୍ଷମତା ବିଶିଷ୍ଟ ବର୍ଜ୍ୟଜଳ ବିଶୋଧନାଗାରରୁ ନିର୍ଗତ ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ମଙ୍ଗଳା ମୁହାଣ ମଧ୍ୟ ଦିନକୁ ଦିନ ସଙ୍କୁଚିତ ହୋଇ ଚାଲିଛି । ୫୦ରୁ ୧୦୦ ମିଟର ପରିଧି ମଧ୍ୟରେ ଏହି ନଦୀ ସମୁଦ୍ରକୁ ସଂଯୋଗ କରୁଛି । ଫଳରେ ଅନେକ ଆବର୍ଜନା ପାଣି ଜମିବା ସହ ବର୍ଜ୍ୟବସ୍ତୁ ଜମି ରହୁଛି । ସେପଟେ କଣାସ ବ୍ଲକ ଦେଇ ଗତି କରୁଥିବା ଦୟା ନଦୀର ଅନେକ ସ୍ଥାନରେ ଦଳ ଜମି ରହିଛି । କଣାସ ବ୍ଲକରେ ପାଖାପାଖି ୯୦ ଭାଗ ନାଳରୁ ନଦୀକୁ ପାଣି ଯାଉନି । ଯାହା ନଦୀର ପ୍ରବାହକୁ ପ୍ରଭାବିତ କରୁଛି । ମକରା ନଦୀରେ ମଧ୍ୟ ଅନେକ ଜାଗାରେ ଦଳ ଭର୍ତ୍ତି ହୋଇଛି ।
ଏନେଇ ପରିବେଶବିତ୍ ସରୋଜ ଜେନା କହିଛନ୍ତି, ଜଳ ନିଷ୍କାସନ ଓ ଜଳ ସେଚନ ବିଭାଗ ଉପରେ ନଦୀ ସୁରକ୍ଷା ଦାୟିତ୍ୱ ରହିଛି । ହେଲେ ଏହି ୨ ବିଭାଗ ମଧ୍ୟରେ ସମନ୍ୱୟ ନାହିଁ । ଲୋକେ କାହା ନିକଟରେ ନିଜ ସମସ୍ୟା ଜଣାଇବେ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଦୟା, ମକରା ଓ ଧନୁଆ ନଦୀର ପାଖାପାଖି ୩୦ ଭାଗ ପୋତି ହୋଇଗଲାଣି । ଠିକ୍ ଭାବେ ନଦୀର ସର୍ଭେ ହେଉନି । ଜଳ ନିଷ୍କାସନ ଅଧୀକ୍ଷଣ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ କହିଛନ୍ତି, ପୁରୀ ଜିଲ୍ଲାର ବିଭିନ୍ନ ନଦୀ ମୁହାଣ ପ୍ରଶସ୍ତ କରିବାର ଆବଶ୍ୟକତା ରହିଛି । ସମୟେ ସମୟେ ମୁହାଣକୁ ପ୍ରଶସ୍ତ କରାଯାଏ । ହେଲେ ବର୍ତ୍ତମାନ ମୁହାଣ ପ୍ରଶସ୍ତ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ।