ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଶ୍ୱ ନୃତ୍ୟ ଦିବସ : ପରୀକ୍ଷା ନିରୀକ୍ଷା ନାଁରେ ପରମ୍ପରା ଓ ପରିଚୟର ହେଉଛି ବିକୃତୀକରଣ

Published By : Rasmita Pradhan | April 29, 2025 8:42 AM

ଭୁବନେଶ୍ୱର,୨୯/୦୪ (ମନୋରଞ୍ଜନ ମହାନ୍ତି): ଓଡ଼ିଶାର ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟତା ଆଧାରରେ ଯେତିକି ସମୃଦ୍ଧ, ତା’ର କୋଣାନୁକୋଣରେ ଭରି ରହିଥିବା ଲୋକନୃତ୍ୟର ସମ୍ଭାର ମଧ୍ୟ ସେତିକି ଉତ୍କୃଷ୍ଟ । ସମୟ ବଦଳିବା ସହ ଏହା କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନିଜ ଭୌଗୋଳିକ ପରିସୀମାରେ ସୀମିତ ନାହିଁ । ଏହା ଶିଳ୍ପୀର ବୃତ୍ତି ଏବଂ ପ୍ରୀତିକୁ ସମୃଦ୍ଧ କରି ବିଶ୍ୱକୁ ଆଚ୍ଛନ୍ନ କରିଛି । ନିଜ ଭୂଖଣ୍ଡର ପରିଚୟର ଆଧାର ପାଲଟିଛି । କିନ୍ତୁ ସମୟାନୁକ୍ରମେ ଏହାର କଳେବର, ଅସ୍ତିତ୍ୱ, ରୂପରେଖରେ ପରିବର୍ତ୍ତନ ଆସିଛି, ଯାହା ଏକ ସ୍ୱାଭାବିକ ପ୍ରକ୍ରିୟା । ସମୟର ପ୍ରବାହମାନ ସ୍ରୋତରେ ଏହା ବଦଳିଛି ସତ କିନ୍ତୁ କେବେ ବୃତ୍ତିର ନ୍ୟାୟରେ ତ କେବେ ପ୍ରୀତିର ନ୍ୟାୟରେ ଆଉ କେବେ ଶିଳ୍ପୀଟିଏ ନିଜର ସ୍ୱତନ୍ତ୍ରତାକୁ ସୁସ୍ପଷ୍ଟ କରିବା ପାଇଁ ପରୀକ୍ଷା, ନିରୀକ୍ଷା ମାଧ୍ୟମରେ ଯେଉଁ ନୂତନ ସୃଷ୍ଟି ନିର୍ମାଣ କରିଛନ୍ତି, ତାହା ପରମ୍ପରାର ପରିଚୟର ବିରୋଧାଚରଣ କରିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଆଜି ବିଶ୍ୱ ନୃତ୍ୟ ଦିବସ ଅବସରରେ ଏହି ଆତ୍ମସମୀକ୍ଷା ଉପରେ ଆମର ଏକ ସମୀକ୍ଷା । ମନ୍ଦିରର ଗୁମୁଟି ଘରର ଗମ୍ଭୀରା ଭିତରେ ପରିବେଷିତ ହେଉଥିବା ମାହାରୀ ନୃତ୍ୟ ଏବେ ମଞ୍ଚରେ ବହୁଳ ପ୍ରଦର୍ଶିତ । କିନ୍ତୁ ସମୀକ୍ଷକ ଓ ଦର୍ଶକଙ୍କ ମତରେ ଏହା ମନୋରଞ୍ଜନର କାରକ ନୁହେଁ, ବରଂ ଭକ୍ତି ଉଦ୍ରେକକାରୀ ହେବା ଉଚିତ୍‌ । କିନ୍ତୁ ସମ୍ପ୍ରତି ଯେଉଁ ମାହାରୀ ନୃତ୍ୟ ସଂଯୋଜିତ ହେଉଛି, ତାହା ଭକ୍ତି ଅପେକ୍ଷା ଅଧିକ ମନୋରଞ୍ଜନଧର୍ମୀ ହେଉଛି । ଯାହା ମାହାରୀ ନୃତ୍ୟକୁ ଅନ୍ତର ଭରି ଭଲପାଉଥିବା ଦର୍ଶକ ତଥା ମାହାରୀ ନୃତ୍ୟ ପ୍ରେମୀମାନଙ୍କୁ ହତୋତ୍ସାହିତ କରୁଛି । ସେଥିରେ ବ୍ୟବହୃତ ହେଉଥିବା ସଙ୍ଗୀତ, ସାହିତ୍ୟ ଏବଂ ଅଙ୍ଗବିନ୍ୟାସରେ କେଉଁଠି ନା’ କେଉଁଠି ମାହାରୀ ନୃତ୍ୟର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ଦର୍ଶକ ମତ ଦିଅନ୍ତି । ଏଥିପ୍ରତି ନୃତ୍ୟ ଶିଳ୍ପୀ ସଚେତନ ହେବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଛି । 

ଓଡ଼ିଶୀ ନୃତ୍ୟ, ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓ ପରିଚୟର ମୂଳାଧାର । ଯେଉଁଥିରେ ଓଡ଼ିଶାର ଏକ ସାମଗ୍ରୀକ ଉତ୍କର୍ଷ ଓ ଓଡ଼ିଆ ଅସ୍ମିତା ସୁସ୍ପଷ୍ଟ ହେଉଥିଲା । କାରଣ ସେଥିରେ ବ୍ୟବହୃତ ଓଡ଼ିଶୀ ପାଟ, ରୂପା ତାରକସି ଗହଣା, ହସ୍ତଶିଳ୍ପର ଆଧାରରେ ସୋଲ ନିର୍ମିତ ଟାହିଆ ଏବଂ ସମୃଦ୍ଧ ଓଡ଼ିଆ ଭାଷାରେ ରଚିତ ଗୀତ ଏବଂ ଶାସ୍ତ୍ର ସହିତ ଓଡ଼ିଆ ପରମ୍ପରାକୁ ଉପସ୍ଥାପିତ କରୁଥିବା ଆଙ୍ଗିକ ମିଶ୍ରଣ ଓଡ଼ିଶୀ ନୃତ୍ୟର ସ୍ୱତନ୍ତ୍ରତାକୁ ପ୍ରତିପାଦିତ କରୁଥିଲା । ଯାହା ବିଶ୍ୱକୁ ଆକର୍ଷିତ କରିଥିଲା । କିନ୍ତୁ ସମ୍ପ୍ରତି କିଛି ନୃତ୍ୟଶିଳ୍ପୀ ଏବଂ ଗୁରୁ ସହଜ ଓ ସହଳ ଲୋକପ୍ରିୟତା ଓ ଯୁବମାନସକୁ ଆକର୍ଷିତ କରିବା ପାଇଁ ପରୀକ୍ଷା, ନିରୀକ୍ଷା ନାଁରେ ଶାସ୍ତ୍ରୀ ଦ୍ୱାହି ଦେଇ ପରିପାଟ୍ଟୀ, ସଙ୍ଗୀତ ଓ ସାହିତ୍ୟିକୁ ଏମିତି ବ୍ୟବହାର କରୁଛନ୍ତି ଯେ, ଓଡ଼ିଶୀ ତା’ର ନିଜସ୍ୱ ମହକ ହରାଇ ବସୁଛି । ଯାହା ଓଡ଼ିଶୀ ନୃତ୍ୟର ଅନେକ ବରିଷ୍ଠ ଗୁରୁ, ସଂସ୍କୃତିପ୍ରେମୀ, ସମୀକ୍ଷକ ଓ ବୁଦ୍ଧିଜୀବୀ କହି ଆସୁଛନ୍ତି । 

ସେମାନଙ୍କ ଅନୁସାରେ, ପ୍ରୟୋଗ ଓ ପ୍ରବିଧି ବଦଳିଗଲେ ପରିଚୟ ବଦଳିଯାଏ । ଏଥିପ୍ରତି ଆମ ନୃତ୍ୟଗୁରୁମାନେ ଆଦୌ ସଚେତନ ହେଉନାହାନ୍ତି, ଯାହା ଏକାନ୍ତ ଆବଶ୍ୟକ । ଲୋକ ନୃତ୍ୟର ଅବସ୍ଥା ମଧ୍ୟ ସମାନ । ପ୍ରକୃତିଦତ୍ତ ପଦାର୍ଥରୁ ନିର୍ମତ ବାଦ୍ୟଯନ୍ତ୍ର ବଦଳରେ ଇଲେକ୍ଟ୍ରୋନିକ୍ସ ବାଦ୍ୟର ବ୍ୟବହାର ଓ ବହୁ ଆଧୁନିକ ଗୀତର ପରିବେଷଣ ଏବଂ ନୃତ୍ୟର ସଂରଚନାରେ ସମକାଳୀନତା, ଯେମିତି ଲୋକ ନୃତ୍ୟର ଅସଲି ଅସ୍ତିତ୍ୱ ଶସ୍ତା ଲୋକପ୍ରିୟତା ପାଇଁ ଆଧୁନିକତାର ପରଦା ପଛରେ ଲୁଚିଗଲା ପରି ମନେ ହେଉଛି । ରାମଲୀଳାଠୁ ନେଇ ସମ୍ବଲପୁରୀ ଲୋକ ନୃତ୍ୟ ତଥା ଜନଜାତି ନୃତ୍ୟ ପର୍ଯ୍ୟନ୍ତ, ସବୁଥିରେ ଆଧୁନିକତାର ଛାପ ବାରି ହୋଇପଡ଼ୁଛି ।

‘ପ୍ରୟୋଗ, ପ୍ରବିଧି ଓ ପରିସୀମା ପ୍ରତି ସଚେତନତା ଜରୁରି’
ଯଦି କେବଳ ଶାସ୍ତ୍ରକୁ ଆଧାର କରାଯିବ, ତେବେ ସମଗ୍ର ପୃଥିବୀରେ ଏକ ପ୍ରକାର ଶାସ୍ତ୍ରୀୟ ନୃତ୍ୟ ରହିବ । ଶାସ୍ତ୍ରୀୟ ନୃତ୍ୟର ଅସଲି ସଂଜ୍ଞା ହେଉଛି³ ଶାସ୍ତ୍ର ତଥା ନିଜ ଆଞ୍ଚଳିକ ପରମ୍ପରରା ଉପଯୁକ୍ତ ମିଶ୍ରଣ । ଯଦି ନିଜ ପରମ୍ପରାକୁ ବାଦ୍‌ ଦେଇ କେବଳ ଶାସ୍ତ୍ର ନାଁରେ ନୃତ୍ୟ କରାଯିବ, ତେବେ ତାହା ନିଜ ଅଞ୍ଚଳର ଶାସ୍ତ୍ରୀୟ ନୃତ୍ୟ ପରିଚୟକୁ ନଷ୍ଟ କରିବ । ତେଣୁ ନୂତନ ପ୍ରୟୋଗ ବେଳ ପରୀକ୍ଷା, ନିରୀକ୍ଷାର ପରିସୀମା ପ୍ରତି ସଚେତନ ରହିବା ଉଚିତ୍‌ । 

ଡ. ଶ୍ରୀନିବାସ ଘଟୁଆରୀ, ନୃତ୍ୟଶିଳ୍ପୀ, ଗବେଷକ ତଥା ଉପସ୍ଥାପକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.