ଭୁବନେଶ୍ୱର,୦୫/୦୮: ଦିନ ପାଖେଇ ଆସୁଛି । ଆୟୋଜକ ତତ୍ପର, କ୍ରୀଡ଼ାପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆସିବେ ୧୯ଟି ଦେଶରୁ ୨୦୦ରୁ ଊଦ୍ଧ୍ୱର୍ ଖେଳାଳି । ଘରୋଇ ଖେଳାଳିମାନେ ମଧ୍ୟ ଉତ୍ସାହିତ । ଘରୋଇ ଷ୍ଟାଡିୟମରେ ବିଦେଶୀ ଖେଳାଳିଙ୍କ ସହ ଟକ୍କର ଦେବାକୁ ସେମାନେ ଚଳାଇଛନ୍ତି ପ୍ରସ୍ତୁତି ।
ମଝିରେ ଆଉ ୪ ଦିନ ରହିଲା । ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ ଲେଭେଲ) ୨୦୨୫ । ବିଶ୍ୱ ଆଥଲେଟିକ୍ସ, ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ବାରମ୍ବାର ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । କ୍ରୀଡ଼ାମନ୍ତ୍ରୀ ମଧ୍ୟ ଏହା ଉପରେ ସତର୍କ ନଜର ରଖିଛନ୍ତି । ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବାନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ବାରମ୍ବାର ଆଲୋଚନା ଚଳାଛନ୍ତି । ହୁଏତ ଆସନ୍ତା ୯ ତାରିଖରୁ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିବେ । ଦିନେ ଦୁଇ ଦିନର ପ୍ରସ୍ତୁତି ପରେ ସେମାନେ ୧୦ ତାରିଖରେ ଟ୍ରାକ୍କୁ ଓହ୍ଲାଇବେ ।
୨୦୧୭ରେ ଏସିଆନ ଆଥଲେଟିକ୍ସ
କଳିଙ୍ଗ ଷ୍ଟାଡିୟମରେ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେଉଛି । ପୂର୍ବରୁ ୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ବେଶ ସଫଳତାର ସହ ଆୟୋଜିତ ହୋଇଥିଲା । ରାଞ୍ଚି ଆୟୋଜନରୁ ଓହରିବା ପରେ ମାତ୍ର ୯୦ ଦିନ ମଧ୍ୟରେ ରାଜ୍ୟ ସରକାର ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ କରିଥିଲେ । ମୁଖ୍ୟ ଷ୍ଟାଡିୟମରେ ନୂଆ ସିନ୍ଥେଟିକ୍ ଟ୍ରାକ୍ ସହ ଫ୍ଲଡ୍ଲାଇଟର ବ୍ୟବସ୍ଥା କରାଯାଇଥିଲା । ସେହିପରି ଏକ ନୂଆ ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ନିର୍ମାଣ ହୋଇଥିଲା । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୪୧ଟି ଦେଶରୁ ୫୬୦ ଜଣ କ୍ରୀଡ଼ାବିତ ଭାଗ ନେଇଥିଲେ । ଏଥର ୧୯ରୁ ଊଦ୍ଧ୍ୱର୍ ଦେଶରୁ ଖେଳାଳି ଆସିବେ । ଏହି ପ୍ରତିଯୋଗିତା ମାତ୍ର ଗୋଟିଏ ଦିନରେ ଶେଷ ହେବ । ପ୍ରଥମ ଥର ଏଭଳି ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଛି ।
କଳିଙ୍ଗରେ କ’ଣ ରହିଛି ସୁବିଧା?
୨୦୧୭ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ସମୟରେ କଳିଙ୍ଗ ଷ୍ଟାଡିୟମରେ ଯେତିକି ସୁବିଧା ରହିଥିଲା, ଏବେ ତା’ର ବହୁଗୁଣା ବଢ଼ି ଯାଇଛି । ମୁଖ୍ୟ ଷ୍ଟାଡିୟମ ସହ ଅଭ୍ୟାସ ଗ୍ରାଉଣ୍ଡ ଅଛି । ମୁଖ୍ୟ ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜିତ ହେବ । ଅଭ୍ୟାସ ଗ୍ରାଉଣ୍ଡରେ ଖେଳାଳିମାନେ ପ୍ରସ୍ତୁତ ହେବେ ।
ଏତଦବ୍ୟତୀତ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ । ଯାହା ମୁଖ୍ୟ ଷ୍ଟାଡିୟମର ଖୁବ ନିକଟରେ ରହିଛି । ଏହି ଇନଡୋର ଷ୍ଟାଡିୟମ ବିଶ୍ୱ ଆଥଲେଟିକ୍ସ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏଥିରେ ୨୦୦ ମିଟର ଟ୍ରାକ୍ ରହିଛି । ୧୦୦ ମିଟର ଅଭ୍ୟାସ ଟ୍ରାକ୍ ସହ ସଟପୁଟ, ଲଙ୍ଗ ଜମ୍ପ ଓ ପୋଲ ଭଲ୍ଟ ପାଇଁ ସୁବିଧା କରାଯାଇଛି । ଯଦି ପ୍ରବଳ ଖରା କିମ୍ବା ବର୍ଷା ଯୋଗୁ ଖେଳାଳିମାନେ ବାହାରେ ଅଭ୍ୟାସ କରିନପାରନ୍ତି, ତେବେ ସେମାନେ ଇନ୍ଡୋର ଷ୍ଟାଡିୟମରେ ଅଭ୍ୟାସ କରିପାରିବେ । ଏହା ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଅଟେ ।
ସେମିତି ମୁଖ୍ୟ ଷ୍ଟାଡିୟମରେ ଅତ୍ୟାଧୁନିକ ଜିମ୍ ଓ ଅତି ନିକଟରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ରହିଛି । କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଆଥଲେଟମାନଙ୍କ ପାଇଁ ବିଶ୍ୱର ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା କରାଯାଇଛି । ତେଣୁ ଗୋଟିଏ ଷ୍ଟାଡିୟମ ପରିସରରେ ଏତେ ସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ ହୁଏତ ବିଶ୍ୱରେ ବିରଳ ହୋଇପାରେ । ଜଣେ ଖେଳାଳି ପାଦରେ ଚାଲି ଚାଲି ସବୁ ସୁବିଧା ଲାଭ କରି ପାରିବେ ।
ଓଡ଼ିଶାରୁ କିଏ?
ଓଡ଼ିଶାରୁ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅନିମେଶ କୁଜୁର (୧୦୦ ଓ ୨୦୦ ମିଟର), ଲାଲୁ ପ୍ରସାଦ ଭୋଇ (୧୦୦ ଓ ୨୦୦ ମିଟର), କିଶୋର କୁମାର ଜେନା (ଜାଭେଲିନ), ବିକ୍ରାନ୍ତ ମଲ୍ଲିକ (ଜାଭେଲିନ), ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର) ଓ ପ୍ରଜ୍ଞା ସାହୁ (୧୦୦ ମିଟର ହର୍ଡଲ୍ସ) । ନିକଟରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅନିମେଶ ଓ ଲାଲୁ ପ୍ରସାଦ ଭାରତୀୟ ଦଳରେ ସାମିଲ ହୋଇଛି ୪ ଗୁଣା ୧୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ । ଚଳିତ ସିଜନରେ କିଶୋରଙ୍କ ପ୍ରଦର୍ଶନ ଭଲ ନାହିଁ । ହୁଏତ ନିଜ ଘରୋଇ ଗ୍ରାଉଣ୍ଡରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ।
କ’ଣ ରହିଛି ଯୋଗ୍ୟତା ମାନଦଣ୍ଡ
ଯୋଗ୍ୟତା ମାନଦଣ୍ଡ ଅନୁସାରେ, ପୁରୁଷ ୧୦୦ ମିଟରରେ ୧୦.୬୦ ସେକେଣ୍ଡ, ୨୦୦ ମିଟରରେ ୨୧.୩୦ ସେକେଣ୍ଡ, ୪୦୦ ମିଟରରେ ୪୬.୨୦ ସେକେଣ୍ଡ, ୮୦୦୦ ମିଟରରେ ୧:୪୮.୫୦, ୧୫୦୦ ମିଟରରେ ୧୪:୧୦.୦୦, ଲଙ୍ଗ ଜମ୍ପରେ ୭.୮୦ ମିଟର, ଟ୍ରିପଲ ଜମ୍ପରେ ୧୬.୩୦ ମିଟର ଏବଂ ଜାଭେଲିନରେ ୭୫.୦୦ ମିଟର ରହିଛି ।
ସେମିତି ମହିଳା ୧୦୦ ମିଟରରେ ୧୧.୮୦ ସେକେଣ୍ଡ, ୨୦୦ ମିଟରରେ ୨୩.୫୦ ସେକେଣ୍ଡ, ୪୦୦ ମିଟରରେ ୫୩.୦୦ ସେକେଣ୍ଡ, ୮୦୦୦ ମିଟରରେ ୨:୦୫.୦୦, ୧୫୦୦ ମିଟରରେ ୪:୧୮.୦୦, ୧୦୦ ମିଟର ହର୍ଡଲ୍ସରେ ୧୩.୫୫ ସେକେଣ୍ଡ, ଲଙ୍ଗ ଜମ୍ପରେ ୬.୦୦ ମିଟର ଏବଂ ଜାଭେଲିନରେ ୫୨.୫୦ ମିଟର ରଖାଯାଇଛି ।
ଭାରତ ସମେତ ତୁର୍କମେନିସ୍ତାନ, ଭୁଟାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ, ଭିଏତନାମ, ରିପବ୍ଲିକ ଅଫ୍ କାମେରୁନ୍, ଶ୍ରୀଲଙ୍କା, ଇରାନ ଏବଂ ମାଳଦ୍ୱୀପ ପ୍ରମୁଖ ଦେଶରୁ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ଆୟୋଜକ ପ୍ରସ୍ତୁତ
ରାଜ୍ୟ କ୍ରୀଡ଼ା ବିଭାଗ ପ୍ରତିଯୋଗିତା ଆୟୋଜନ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ,‘ଆସନ୍ତା ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ୧୯ଟି ଦେଶରୁ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ । ପ୍ରତିଯୋଗିତାରେ ମୋଟ ୨୦ଟି ଇଭେଣ୍ଟ ଖେଳାଯିବ । ଓଡ଼ିଶାରେ ପ୍ରଥମ ଥର ବିଶ୍ୱ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ର ସଫଳ ଆୟୋଜନ ନେଇ ଆମେ ପ୍ରସ୍ତୁତ ରହିଛୁ । ଓଡ଼ିଶାର କ୍ରୀଡ଼ାବିତମାନେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ବିଶ୍ୱାସ ରହିଛି ।’
ଦୂତି, ଶ୍ରାବଣୀ, ପୂର୍ଣ୍ଣିମା ଜିତିଥିଲେ ପଦକ
୨୦୧୭ ଏସିଆନ ଆଥଲେଟିକ୍ସରେ ଅଲିମ୍ପିଆନ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ପଦକ ଜିତିବାରେ ସଫଳ ହୋଇଥିଲେ । ୧୦୦ ମିଟରରେ ଦୂତି ବ୍ରୋଞ୍ଜ ଜିତିଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୧୧.୫୨ ସେକେଣ୍ଡ ନେଇଥିଲେ । ସେହିପରି ଦୂତି ଓ ଶ୍ରାବଣୀ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳରେ ସାମିଲ ହୋଇ ବ୍ରୋଞ୍ଜ ଜିତିଥିଲେ । ହେପଟାଥଲନରେ ପୂର୍ଣ୍ଣିମା (୫୭୯୮ ପଏଣ୍ଟ) ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଥିଲେ ।