ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ମେଲୋଡି ଗ୍ରୁପ୍‌ର ଝାଳବୁହା କସରତ: ଟ୍ରେଣ୍ଡିଂରେ "ଡୁଙ୍ଗୁଥିଲି ଓ ଲାଲ୍‌ ପରୀ', କଣ୍ଠଶିଳ୍ପୀ କୁଲଦୀପ, ମଣ୍ଟୁ, ଅସୀମାଙ୍କ ଚାହିଦା

Published By : Manoj | August 6, 2025 12:37 PM

କଟକ,୦୬/୦୮:  ପାଖେଇ ଆସୁଛି ପାର୍ବଣ ଋତୁ । ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଏବେଠୁ ଷ୍ଟୁଡିଓ ମାନଙ୍କରେ ମେଲୋଡି ଅର୍କେଷ୍ଟ୍ରାମାନଙ୍କ ପକ୍ଷରୁ ଅଭ୍ୟାସ ଜୋର୍‌ଦାର ଜାରି ରଖିଛନ୍ତି ।  ଓଡ଼ିଆରେ ‘ଡୁଙ୍ଗୁଥିଲି’, ‘ପାଉଚୁ ପିଲେଇ ଦେରେ  ଦାଦା’, ଓ ‘ଖପରାଖୋଲ’ ଏବଂ ହିନ୍ଦୀରେ ‘ଲାଲ୍‌ପରୀ’  ‘ରାନୁ ମୁମ୍ବାଇ କି ରାନୁ’, ‘ପରମ ସୁନ୍ଦରୀ’ ଓ ‘ଆଜ କି  ରାତ୍‌’ ପରି କିଛି ନୂଆ ଓଡ଼ିଆ ଓ ହିନ୍ଦୀ ଟ୍ରେଣ୍ଡିଂ ଗୀତ ସହ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ ଏବେ  ସହରର ଥିବା ପ୍ରମୁଖ ମେଲୋଡି ଗ୍ରୁପ୍‌ ଗୁଡ଼ିକ ନିଜର  ଅଭ୍ୟାସ ଆରମ୍ଭ କରିଦେଲେଣି। କାରଣ ଏଥର ପୂଜା  ବଜାରରେ ଦର୍ଶକମାନଙ୍କୁ କିଛି ନୂଆ ନୂଆ ଗୀତ ଭେଟି  ଦେବା ପାଇଁ ଏବେଠାରୁ ନିଜର ଅଭ୍ୟାସ ଜାରି ରଖିଲେଣି । ଷ୍ଟୁଡିଓ ମାନଙ୍କରେ କଣ୍ଠଶିଳ୍ପୀ ଓ ବାଦ୍ୟକାରମାନେ ଦିନକୁ  ୬ରୁ ୭ ଘଣ୍ଟା ଅଭ୍ୟାସ କରୁଛନ୍ତି । ସେଥିମଧ୍ୟରୁ କିଛି  ମେଲୋଡି ଗ୍ରୁପ୍‌ ପକ୍ଷରୁ ନୂଆ ସାଉଣ୍ଡ୍‌, ଭଲ ଭଲ ସିଙ୍ଗର୍‌  ସହ ଭଲ ବାଦ୍ୟ ଯନ୍ତ୍ର ଉପରେ ମଧ୍ୟ ଫୋକସ୍‌ କରୁଥିବା  ପରିଲକ୍ଷିତ ହେଉଛି । ଚଳିତ ବର୍ଷ ଗଶେଶ ପୂଜା ପାଇଁ ମେଲୋଡି ଗ୍ରୁପ୍‌ମାନେ ତତ୍ପର ହୋଇ ଉଠିଛନ୍ତି । କ୍ଲବ୍‌ ଗୁଡ଼ିକ  ପକ୍ଷରୁ ମଧ୍ୟ ମେଲୋଡି ପାଇଁ ଆଗୁଆ ବୁକିଂ ସରିଲାଣି ।  ଏଥର ପୂଜା ବଜାରରେ ଦର୍ଶକମାନଙ୍କୁ ଗୀତ ଓ ନାଚରେ  ଝୁମେଇବା ପାଇଁ ଅର୍‌କେଷ୍ଟ୍ରା ପକ୍ଷରୁ ପ୍ରସ୍ତୁତି ଜୋର୍‌ ଧରିଛି  ।

ଚଳିତ ମାସ ୨୭ ତାରିଖରେ ଗଣେଶ ପୂଜା । ପାର୍ବଣରେ  ମେଲୋଡି ଗ୍ରୁପ୍‌ମାନଙ୍କର ଡିମାଣ୍ଡ୍‌ ଅଧିକ ଥାଏ । ନୂଆ ଓ  ପୁରୁଣା ଗୀତକୁ ନେଇ ମେଲୋଡି ଗ୍ରୁପ୍‌ ଗୁଡ଼ିକ ନୃତ୍ୟ,  ବାଦ୍ୟ ଓ ସାଉଣ୍ଡ୍‌ ମାଧ୍ୟମରେ ଦର୍ଶକମାନଙ୍କୁ ଝୁମେଇଥାନ୍ତି ।  ସେହିପରି ଭଲ ଭଲ ଆଗଧାଡ଼ିର କଣ୍ଠଶିଳ୍ପୀମାନେ ମଧ୍ୟ ଏହି  ମେଲୋଡି ଗ୍ରୁପ୍‌ରେ ସାମିଲ ହୁଅନ୍ତି । ଫଳରେ ଗ୍ରୁପ୍‌ ଗୁଡ଼ିକର  ଚାହିଦା ମଧ୍ୟ ଅଧିକ ବଢ଼ିଥାଏ । ସହରରେ ୬୦ରୁ ଅଧିକ  ମେଲୋଡି ଗ୍ରୁପ୍‌ ରହିଛି । ସେଥିମଧ୍ୟରୁ ପ୍ରମୁଖ ମେଲୋଡି ଗ୍ରୁପ୍‌  ‘ସର୍‌ଗମ୍‌ ଅର୍କେଷ୍ଟ୍ରା’, ‘ସାଗର ସଙ୍ଗମ୍‌’, ‘ଗୀତ୍‌ ସାଗର’,  ‘ଗୋଲ୍ଡେନ୍‌ ଅର୍କେଷ୍ଟ୍ରା’, ‘ଗୀତ୍‌ ସନ୍ଧ୍ୟା’, ‘ସଙ୍ଗୀତ ସନ୍ଧ୍ୟା’,  ‘ଗୀତ୍‌ ସଙ୍ଗୀତ’, ଓ ‘ଗୀତ୍‌ ସଙ୍ଗମ’ ଆଦି ନିଜର ଗୀତ  ଅଭ୍ୟାସ ଆରମ୍ଭ କରିଦେଲେଣି । ଚଳିତ ବର୍ଷ ଦର୍ଶକମାନଙ୍କୁ  ପୂଜା ବଜାରରେ ଝୁମେଇବା ପାଇଁ ଓଡ଼ିଆ ଟ୍ରେଣ୍ଡିଂ ଗୀତରେ  ‘ବାଲାମି ଚାଉଳକୁ ପାଟେଣୀ ଖାସି’, ‘ମାତାଲି’, ‘ଦହି  ପଖାଳ’, ‘ମହୁଆ ପାଣି’, ‘ଗଜରା ବାଲି’, ଓ ‘ଫୁଲେଇ  ରସବତୀ’ । 

ସେହିପରି ହିନ୍ଦୀରେ ‘ସେୟାଁରା’, ‘ଲାଲ ପରୀ’,  ‘ଛମା ଛମା’, ‘ଉଇ ଆମା’ ଓ ‘ଦେବା ଶ୍ରୀ ଗଣେଶା ଦେବା’  ଏବଂ ଓଡ଼ିଆ ପୁରୁଣା ଚଳଚ୍ଚିତ୍ରର ‘ଆମ ଗାଁକୁ ଥରେ ଯିଏ  ଆସିଛି’, ‘ଫୁର୍‌ କିନା ଉଡ଼ିଗଲା ବଣୀ’, ‘ଯାଯାବର’ ଓ  ‘ଚିଠି ମୋର ଟିକି ଚଢ଼େଇ ପରି’ ଅନେକ ଗୁଡ଼ିଏ ଗୀତର  ଅଭ୍ୟାସ କରୁଛନ୍ତି ମେଲୋଡି ଗ୍ରୁପ୍‌ ଗୁଡ଼ିକ । ଏବେ ହ୍ୟୁମାନ  ସାଗର, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ୍‌ ପଟ୍ଟନାୟକ, ଈରା  ମହାନ୍ତି, ଅସୀମା ପଣ୍ଡା, ମଣ୍ଟୁ ଛୁରିଆଙ୍କ ପରି ଅନେକ  ଆଗଧାଡ଼ିର କଣ୍ଠଶିଳ୍ପୀମାନେ ଏବେ ଡିମାଣ୍ଡ୍‌ରେ ରହିଛନ୍ତି । 

ଏ ସଂପର୍କରେ ସର୍‌ଗମ୍‌ ଅର୍କେଷ୍ଟ୍ରା ମାଲିକ ଶ୍ୟାମ  କୁମାର କହିଛନ୍ତି, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂଜା  ବଜାରରେ ଦର୍ଶକ ମାନଙ୍କୁ ଗୀତ ଓ ନାଚ ମାଧ୍ୟମରେ  ଝୁମେଇବା ପାଇଁ ଆମ ଗ୍ରୁପ୍‌ ପକ୍ଷରୁ ପ୍ରୟାସ ଜାରି ରହିଛି ।  ଆମେ ବିଶେଷ କରି ଭଲ ଭଲ ଟ୍ରେଣ୍ଡିଂ ଗୀତ ଉପରେ  ବେଶି ଫୋକସ୍‌ ରଖିଛୁ । ସେହିପରି ସାଗର୍‌ ସଙ୍ଗମର  ମାଲିକ ମହମ୍ମଦ୍‌ ଆବିଦ୍‌ କହିଛନ୍ତି, ଚଳିତ ବର୍ଷ ଗଣେଶ  ପୂଜାର ମାସକ ଆଗରୁ ବିଭିନ୍ନ କ୍ଲବ୍‌ ଗୁଡ଼ିକ ପକ୍ଷରୁ ଆଗୁଆ  ବୁକିଂ ସରିଲାଣି । କେବଳ ସହର ନୁହେଁ, ସହର ବାହାରେ  ଭୁବନେଶ୍ୱର, ଜଗତସିଂହପୁର, ଦେଓଗଡ଼, ଯାଜପୁର,  ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ ଓ ବ୍ରହ୍ମପୁର ଆଦି ସ୍ଥାନକୁ  ମଧ୍ୟ ଆମେ ଯାଉ । ପୂଜା ପାର୍ବଣ ଋତୁରେ ଦର୍ଶକମାନଙ୍କୁ  ଆକୃଷ୍ଟ କରିବା ପାଇଁ ଆମେ ବିଶେଷ ଭାବରେ ଡିଜିଟାଲ୍‌  ସରାଉଣ୍ଡିଂ ସାଉଣ୍ଡ୍‌, ଭଲ ଡ୍ୟାନ୍ସର, ଭଲ ବ୍ୟାଣ୍ଡ୍‌ ଉପରେ  ଗୁରୁତ୍ୱ ଦେଉଛୁ । ଅନ୍ୟପକ୍ଷରେ କିଲୋମିଟରକୁ ନେଇ  ମେଲୋଡିର ବଜେଟ୍‌ ରହିଛି ବୋଲି ଶ୍ରୀ ଆବିଦ୍‌ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.