ଉଦଳା,୩/୬ : ଖାଇବାବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲି ଫୁଙ୍କାରେ ବାଡ଼େଇ ମାରିଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଉଦଳା ଥାନା କୁଟଲିଂ ବନ୍ଧ ସାହି ଗ୍ରାମରେ । ମୃତକ ହେଲେ ବାସନ୍ତୀ ବାସ୍କେ ।
ସୂଚନା ଅନୁସାରେ, ଗାଁର ଲମା ବାସ୍କେ ଆଜି ମଧ୍ୟାହ୍ନରେ କାମ ସାରି ଘରକୁ ଫେରିଥିଲେ ଏବଂ ଖାଇବାକୁ ବସିଥିଲେ । ଏହି ସମୟରେ ସ୍ତ୍ରୀ ବାସନ୍ତୀ ବାସ୍କେ ଭାତ ଏବଂ ତରକାରୀ ବାଢି ଦେଇଥିଲେ । ଏହି ସମୟରେ ସ୍ୱାମୀ ଲମା ଆଣି ଦେଇଥିବା ଅଣ୍ଡା ତରକାରୀ କାହିଁ ବୋଲି ମାଗିଥିଲେ । ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ଉତକ୍ଷିପ୍ତ ହୋଇ ଉଠିଥିଲେ ସ୍ୱାମୀ ଲମା। ପ୍ରଥମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା’ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରିବା ପରେ ଘର ଭିତରକୁ ଘୋଷାରି ନେଇ ସେଠାରେ ଚୁଲି ଫୁଙ୍କାରେ ବାସନ୍ତୀର ମୁଣ୍ଡରେ ଆଘାତ କରିଥିଲେ । ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି ।