ଭୁବନେଶ୍ୱର, ୧୦।୮: ହତ୍ୟା ନା ଆତ୍ମହତ୍ୟା ? କାହିଁକୁ ଝୁଲିପଡ଼ିଲେ ନବବଧୂ ? ମୃତ୍ୟୁ ପଛରେ ରହିଛି କି ଯୌତୁକ ନିର୍ଯାତନା ? ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଆସିଛି ସାଙ୍ଘାତିକ ଅଭିଯୋଗ । ମୃତ ନବବଧୂଙ୍କ ପରିବାର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଶାଶୂ ଘର ଲୋକଙ୍କ ନିର୍ଯାତନା ସହି ନପାରି ବିବାହର ୬ ମାସ ନପୁରୁଣୁ ଝିଅ ଝୁଲିପଡିଲେ ବୋଲି ମୃତ ତୃପ୍ରିମାଳାଙ୍କ ମାଆ କହିଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଜାକେଲା ଗାଁର ପଦିଆ ନାୟକଙ୍କ ପୁଅ ବିକ୍ରମ ନାୟକଙ୍କ ସହ ଗତ ଫେବୃଆରୀ ମାସରେ ତୃପ୍ତିମାଳା ନାୟକଙ୍କର ବିବାହ ହୋଇଥିଲା । ତୃପ୍ତି ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳର ଧୀରୁକୁଟୀ ବସ୍ତିରେ ଥିବା ଶାଶୂଘରେ ରହୁଥିଲେ । ଶନିବାର ରାତିରେ ଶାଶୂଘର ଲୋକ ତୃପ୍ତିଙ୍କ ଘରକୁ ଫୋନ୍ କରି ତୃପ୍ତିମାଳା ରଶି ଲଗେଇ ଦେଇଛି ବୋଲି ସୂଚନା ଦେଇଥିଲେ । କୌଣସି କାରଣ ନଥାଇ ତୃପ୍ତି କାହିଁକି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଥିଲେ ପରିବାର । ଏହା ପରେ ତୃପ୍ତିମାଳାଙ୍କ ପରିବାର ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ।
ଏହାଛଡ଼ା ବାହାଘର ପରଠାରୁ ତୃପ୍ତିଙ୍କ ଶାଶୂଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ବୋଲି ମିଡିଆ ସାମ୍ନାରେ ଅଭିଯୋଗ ଆଣିଛନ୍ତି ମୃତ ତୃପ୍ତିମାଳାଙ୍କ ବାପା-ମାଆ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।