ନୂଆଦିଲ୍ଲୀ: ସିରିଆରେ ଦୀର୍ଘ ୧୧ ବର୍ଷର ଗୃହଯୁଦ୍ଧର ଅବସାନ ହୋଇଛି। ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କ ୨୪ ବର୍ଷ ଶାସନରେ ଲାଗିଛି ବ୍ରେକ। ତେବେ ଦେଶର ରାଜଧାନୀ ଦିଲ୍ଲୀଠୁ ପ୍ରାୟ ୪୦୦୦ କିଲୋମିଟର ଦୂରରେ ଥିବା ଡାମାସ୍କସ୍ରେ ହୋଇଥିବା ଏହି ଶାସନ ପରିବର୍ତ୍ତନ ଭାରତ ଉପରେ କ’ଣ ପ୍ରଭାବ ପକାଇବ ? କିଛି ଏମିତି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଉଙ୍କି ମାରୁଥିବ ନିଶ୍ଟୟ। ତେବେ ମଧ୍ୟପ୍ରାଚ୍ୟରେ ଥିବା ଭାରତର ଏହି ମିତ୍ର ରାଷ୍ଟ୍ରରେ ବର୍ତ୍ତମାନ ବିଦ୍ରୋହୀ ହୟାତ ତହରିର ଅଲ୍-ଶାମ୍(ଏଚ୍ଟିଏସ୍)ର କବ୍ଜାକୁ ଆସି ସାରିଛି। ସିରିଆ ସହ ଭାରତର କେବଳ ଯେ ମିତ୍ର ରାଷ୍ଟ୍ରର ସମ୍ବଦ୍ଧ ରହିଛି ତାହା ନୁହେଁ ସିରିଆ ସହ ଭାରତର ଏୌତିହାସିକ ସମ୍ବଦ୍ଧ ମଧ୍ୟ ରହିଛି।
ସିରିଆରେ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କ ଶାସନକାଳର ଅନ୍ତ ଘଟିଛି। ଏଚ୍ଟିଏସ୍ ସିରିଆ ଅକ୍ତିଆର କରିବା ପରେ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଅଲ୍ ଜଲାଲି ସମସ୍ତ ସରକାରୀ ସଂସ୍ଥା ଗୁଡିକୁ ଦେଖିବେ ବୋଲି ଘୋଷଣା କରିଛି। ସିରିଆ ବର୍ତ୍ତମାନ ଭାରତକୁ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବ ନା ନାହିଁ ସେଥିପାଇଁ ଏବେ ଭାରତ ଚିନ୍ତାରେ ପଡିଛି। ଅନ୍ୟପଟେ ସିରିଆ ଦାବି କରୁଥିବା ଗୋଲାନ ହାଇଟକୁ ଭାରତ ପୂର୍ବରୁ ଗ୍ରହଣ କରିସାରିଛି।
କ’ଣ ସିରିଆର ପ୍ରକୃତରେ ଭାରତର ମିତ୍ର ରାଷ୍ଟ୍ର?
ବଶାର ଅଲ-ଅସଦଙ୍କ ନେତୃତ୍ୱାଧିନ ସିରିଆ ଭାରତ ସହ ମିତ୍ର ରାଷ୍ଟ୍ରର ସମ୍ପର୍କ ରଖିଥିଲା। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ୍ୟ ଆରମ୍ଭ ହୋଇଯାଇଥିଲା। ତେବେ ଯୁଏଇ , ବାହାରିନ୍ ଓ ସାଉଦି ଆରବ ଭଳି ପଡୋଶୀ ଦେଶ ଅଶଦଙ୍କୁ ସମର୍ଥନ ଦେଇ ନିଜ ସମ୍ବଦ୍ଧ ସିରିଆ ସହ ରଖିଥିଲେ। ପରେ ଭାରତ ମଧ୍ୟ ଅସଦଙ୍କ ଶାସନକୁ ସମର୍ଥନ କରିଆସୁଥିଲା।
୧୯୫୭ ମସିହାରେ ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହରୁ ପ୍ରଥମ ଥର ପାଇଁ ସିରିଆ ଗ୍ରସ୍ତରେ ଯାଇଥିଲେ। ସେହି ବର୍ଷ ସିରିଆର ରାଷ୍ଟ୍ରପତି ଶୁକ୍ରୀ ଅଲ କୁଏତ୍ଲି ମଧ୍ୟ ଭାରତ ଗ୍ରସ୍ତକରିବାକୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ନିକଟରେ ଭାରତର ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲିଧରନ ୨୦୨୩ ଜୁଲାଇ ମାସରେ ଡାମାସ୍କସ୍ରେ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇଥିଲେ।
୨୦୧୭ ମସିହାରେ ଅସଦ ଭାରତରେ ହେଉଥିବା ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏହି ପରିସ୍ଥିତିକୁ ସିରିଆସହ ତୁଳନା କରିଥିଲେ। ବର୍ତ୍ତମାନ ଅସଦ ନିଜ ପଦରୁ ଇସ୍ତଫା ଦେବା ସହ ଋଷିଆ ପଳାୟନ କରିଛନ୍ତି। ତେବେ ସିରିଆର ପରବର୍ତ୍ତୀ ସରକାର ଭାରତ ସହ କିପରି ସମ୍ବଦ୍ଧ ରଖୁଛନ୍ତି ତାହା ଦେଖିବା ବାକି ରହିଲା।
ସିରିଆ କାଶ୍ମୀର ପ୍ରସଙ୍ଗରେ କ’ଣ କୁହେ ?
ସିରିଆ ଭଳି ଏକ ମୁସଲିମ ବହୁଳ ଦେଶ ଏଯାଏ ଭାରତକୁ କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଦେଇଆସିଛି। ଇସଲାମିକ ସହଯୋଗି ସଂଗଠନ(ଓଆଇସି)ରେ ଥିବା ଅନ୍ୟାନ୍ୟା ଦେଶଠାରୁ ଏହି ଆଭିମୁଖ୍ୟ ଭିନ୍ନ। ଓଆଇସି ଦେଶ ଗୁଡିକ ପ୍ରାୟତଃ ପାକିସ୍ତାନର ପକ୍ଷ ନେଇଥାନ୍ତି| ଅପରପକ୍ଷେ, ପାକିସ୍ତାନ ବାରମ୍ବାର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଓଆଇସିର ବ୍ୟବହାର କରିଛି।
ଅସଦଙ୍କ ନେତୃତ୍ୱାଧିନ ସରକାର କାସ୍ମୀର ବିବାଦକୁ ଭାରତର ଆଭ୍ୟନ୍ତରିଣ ମାମଲା ବୋଲି କହିବା ସହ ଏହା ଉପରେ ରାୟ ଦେବାକୁ ଅଧିକାର କେବଳ ଭାରତ ପାଖରେ ରହିଛି ବୋଲି କହିଥିଲେ। ତେବେ ନୂଆ ସରକାରଙ୍କ ଏହା ଉପରେ କଣ ମତ ରହିବ ସେନେଇ ସମସ୍ତେ ଦ୍ୱନ୍ଦରେ ଅଛନ୍ତି।
ସିରିଆ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ କ’ଣ ?
ଭାରତ ସିରିଆ ସହ ସମ୍ପର୍କ ରଖିବା ଦ୍ୱାରା ଏହି ଦେଶ ମଧ୍ୟପ୍ରାଚ୍ୟରେ ନିଜ ଉପସ୍ଥିତି ଜାହିର କରିବା ସହ ଏହାକୁ ନିଜ ରଣନିତୀର ଏକ ଅଂଶ ଭାବେ ପରିଗଣିତ କରୁଛି। ଅନ୍ୟପକ୍ଷେ ସିରିଆ ଭାରତକୁ କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରୁଥିଲା ବେଳେ ସିରିଆର ଗୋଲାନ ହାଇଟ୍ସ ଦାବିକୁ ମଧ୍ୟ ଭାରତ ସମର୍ଥନ କରୁଛି।
୧୯୬୭ ମସିହାରେ ସିରିଆ ସହ ଇସ୍ରାଏଲର ଏକ ୬ ଦିନିଆ ଯୁଦ୍ଧ୍ୟ ଲଢିଥିଲା। ଏହି ଯୁଦ୍ଧ୍ୟରେ ଇସ୍ରାଏଲ ସିରିଆର ଗୋଲାନ ହାଇଟ୍ସ ଅଞ୍ଚଳକୁ ଦଖଲ କରିଥିଲା। ଯାହାକୁ ସିରିଆ ଏଯାବତ ନିଜର ବୋଲି ଦାବି କରିଆସୁଛି।
୨୦୨୩ରେ ମୁରଲିଧରନଙ୍କ ସିରିଆ ଗ୍ରସ୍ତ ସମୟରେ ଭାରତରେ ପଢୁଥିବା ସିରିଆ ଛାତ୍ର ମାନଙ୍କ ଲାଗି ଷ୍ଟାଇପେଣ୍ଡ ଘୋଷଣା କରାଯାଇଥିଲା। ସେହି ବର୍ଷ ଫେବ୍ରୁୟାରି ମାସରେ ସିରିଆରେ ହୋଇଥିବା ବଡ ଧରଣର ଭୂମିକମ୍ପ ପାଇଁ ଭାରତ ଅପରେସନ ଦୋସ୍ତ ଲଞ୍ଚ କରିଥିଲା। ଅନ୍ୟପଟେ ଆମେରିକାର ସିରିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ବେଳେ ଭାରତ ଏହାକୁ ମାନି ନଥିଲା।
ଭାରତର ସିରିଆରେ ନିବେଶ;
ଦଶନ୍ଧି ଦଶନ୍ଧି ଧରି ଭାରତ ସିରିଆର ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ନିବେଶ କରି ଆସୁଛି। ଭାରତ ସିରିଆର ତୈଳ ବିପଣନ କ୍ଷେତ୍ରରେ ୨୪୦ ମିଲିୟନ ଡଲାରର ନିବେଶ କରିଛି। ଏହା ସହ ଶିକ୍ଷା, କୃଷି, ଇନଫରମେସନ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଭାରତ ନିବେଶ କରିଛି। ଭାରତର ଷ୍ଟଡି ଇନ ଇଣ୍ଡିଆ ପ୍ରୋଗ୍ରାମରେ ସିରିଆ ଯୁବକ ମାନଙ୍କ ଦକ୍ଷତା ବିକାଶ ପାଇଁ ୧,୫୦୦ ସିଟ ପ୍ରଦାନ କରାଯାଇଥିଲା। ୨୦୨୦ରୁ ୨୦୨୩ ମଧ୍ୟରେ ଦୁଇଦେଶ ମଧ୍ୟରେ ୧୦୦ ମିଲିୟନ ଡଲାରର କାରବାର ହୋଇଥିଲା। ୨୦୨୪ରେ ଏହା ୮୦ ମିଲିୟନ ଡଲାରକୁ ଖସି ଆସିଥିଲା।
ସୂଚନା ମୁତାବକ, ଅସଦ ଗାଦିରୁ ହଟିବା ପରେ ବର୍ତ୍ତମାନଯାଏ କିଏ ସିରିଆର ରାଷ୍ଟ୍ରପତି ହେବ ତାକୁ ନେଇ କଲ୍ପନାଜଳ୍ପନା ଲାଗି ରହିଛି। ଏହି ପରିପ୍ରେକ୍ଷିରେ ତୁର୍କି ନିଜର କୁର୍ଦିସ ସଂଗଠନ ଜରିଆରେ ସିରିଆରେ ନିଜ ସ୍ଥିତି ସୁଦୃଢ କରୁଛି। ଏହା ସହ ସିରିଆର ବିଦ୍ରୋହି ଗୋଷ୍ଠୀକୁ ମଧ୍ୟ ତୁର୍କ ସମର୍ଥନ ଯୋଗାଇଆସୁଛି। ଅସଦଙ୍କୁ ଇରାନ ଓ ଋଷିଆ ସମର୍ଥନ କରୁଥିଲେ। ଏବେ ସିରିଆରେ ଆଉ ଇରାନର ବିଶେଷ ପ୍ରଭାବ ପରିଲକ୍ଷିତ ହେଉନାହିଁ। ଅନ୍ୟପଟେ ତୁର୍କିର ଆରମ୍ଭରୁ ଭାରତ ବିରୋଧି ମନୋଭାବ ରହିଥିବାରୁ ଭାରତ ପାଇଁ ଏହା ମୁମ୍ଡ ବ୍ୟଥାର କାରଣ ସାଜିଛି।