ଭୁବନେଶ୍ୱର, ୨୯/୦୫:ଓଡ଼ିଶାରେ ମୌସୁମୀ ବାୟୁ । ମୌସୁମୀ ସ୍ପର୍ଶରେ ଗଛଲତା, ଜୀବଜନ୍ତୁ ହସି ଉଠିଛନ୍ତି । ଚାଷୀ ମୁହଁରେ ଆଶା ଓ ସମ୍ଭାବନାର ସ୍ମିତହାସ୍ୟ ଖେଳି ଉଠିଛି । ବୁଧବାର ସମ୍ପୂର୍ଣ୍ଣ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତବର୍ଷ ଜୁନ୍ ୭ ତାରିଖରେ ମୌସୁମୀ ଓଡ଼ିଶାରେ ପହଞ୍ଚିଥିଲା । ଏଥର ଜୁନ୍ ମାସ ଆରମ୍ଭ ହେବା ଆଗରୁ, ବେଶ୍ ଆଗୁଆ ରାଜ୍ୟକୁ ଆସିଛି । ଏଥର ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ ବି କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅପରାହ୍ନରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ସକ୍ରିୟ ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ ରହିଛି ।
ଲଘୁଚାପ ପ୍ରଭାବରେ ଗୁରୁବାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କେନ୍ଦୁଝର, ଯାଜପୁର, ଜଗତ୍ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବହିବ ।
୩୦ ତାରିଖରେ ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ୩୧, ୧, ୨ ଓ ୩ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।
ବୁଧବାର ଢେଙ୍କାନାଳରେ ୪୩ମିମି ବର୍ଷା ହୋଇଛି । ଛତ୍ରପୁରରେ ୩୪, ଖୋର୍ଦ୍ଧାରେ ୨୧, ଦାରିଙ୍ଗିବାଡ଼ିରେ ୧୮, କେନ୍ଦ୍ରାପଡ଼ାରେ ୧୦.୨, ତାଳଚେରରେ ୧୭.୨ ଓ ଭବାନୀପାଟଣାରେ ୧୫.୮ ମିମି ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ୧୦୨ମିମି ବର୍ଷା ହୋଇଛି । କନ୍ଧମାଳ କୋଟଗଡ଼ରେ ୧୦୦ମିମି, ଯାଜପୁର ବିଞ୍ଝାରପୁରରେ ୯୫, ଭଦ୍ରକ ବାସୁଦେବପୁରରେ ୯୨, କେନ୍ଦ୍ରାପଡ଼ା ଆଳିରେ ୯୦, କନ୍ଧମାଳ କେ ନୂଆଗାଁରେ ୮୬ ମିମି ବର୍ଷା ହୋଇଛି ।