ଲହୁଣୀପଡ଼ା,୩୦/୦୫: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ପଞ୍ଚାୟତ ତୁମକେଲା ସ୍ଥିତ ଭାସ୍କର ଷ୍ଟିଲ ଏଣ୍ଡ ଫେରୋ ଏଲୋୟ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ଦୁର୍ଘଟଣା । କାର୍ଯ୍ୟରତ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍ ବୋଝେଇ ଟ୍ରକ୍ । ଚାଲିଗଲା ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ଜଣକ ହେଲେ ଖୁଣ୍ଟାଗାଁ ଦିଗୀପଡ଼ାର ୨୫ ବର୍ଷୀୟ ବଇଦ ବେହେରା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କଲେ ପରିବାର ଲୋକେ ।
ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ପ୍ଲାଣ୍ଟ ଭିରରେ ଏକ ଆଇରନ ବୋଝେଇ ଟ୍ରକ୍ କାର୍ଯ୍ୟରତ ବଇଦଙ୍କ ଉପରେ ମାଡି ଯାଇଥିଲା । ଫଳରେ ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି । ଶ୍ରମିକଙ୍କ ମୃତଦେହ ରାଉରକେଲା ବ୍ୟବଚ୍ଛେଦ ଗୃହରେ ଥିବା ଜଣାପଡିଛି । ସକାଳେ ଖବର ଜଣା ପଡିବା ପରେ ଶ୍ରମିକ ମହଲରେ ଅଶାନ୍ତି ଦେଖାଯିବା ସହ ଗେଟ୍ ସମ୍ମୁଖରେ ଭିଡ ଦେଖାଯାଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉପଯୁକ୍ତ କ୍ଷତି ପୂରଣ ସହ ପରିବାରର ଜଣେ ସଦସ୍ୟଙ୍କୁ ପ୍ଲାଣ୍ଟରେ ଚାକିରି ଦେବା ପାଇଁ ଦାବି କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ଉପସ୍ଥିତ ଥିବା ବେଳେ ପରିବାର ଏବଂ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।